ବାତ୍ୟା ଗୁଲାବ ଫଳରେ ବଡ କ୍ଷୟକ୍ଷତି ହୋଇ ନାହିଁ – ଏସଆରସି

0 63

ଭୁବନେଶ୍ୱର : ବାତ୍ୟା ଗୁଲାବ ଫଳରେ ବଡ କ୍ଷୟକ୍ଷତି ହୋଇ ନାହିଁ । ରାଜ୍ୟର କୌଣସି ସ୍ଥାନରେ ପବନର ବେଗ ଅଧିକ ହୋଇ ନାହିଁ । ବିଦ୍ୟୁତ ଭିତିଭୂମି କେଉଁଠି କ୍ଷତିଗ୍ରସ୍ତ ହୋଇ ନାହିଁ କିମ୍ବା ବିଦ୍ୟୁତ ଖୁଂଟ ଉପୁଡି ନାହିଁ । କିଛି ସ୍ଥାନରେ ମାଟି ଅତଡା ଖସିଛି ଓ ଗଛ ପଡି ରାସ୍ତା ଅବରୋଧ ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ମୋଟାମୋଟି ଭାବେ ପାଣିପାଗ ବିଭାଗ ବାତ୍ୟା ଦ୍ୱାରା ଯେତିକି ବର୍ଷା ହେବ ବୋଲି ଆକଳନ କରିଥିଲା, ସେମିତି ବର୍ଷା କି ପବନ ହୋଇ ନାହିଁ । କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ ।

ସେ କହିଛନ୍ତି ଯେ ,ପବନର ବେଗ କେଉଁଠି ବି ଅଧିକ ହୋଇ ନାହିଁ । ଗଜପତି ଓ କୋରାପୁଟରେ କେବଳ ଦୁଇଟି ତିନୋଟି ସ୍ଥାନରେ ମାଟି ଅତଡ଼ା ଖସିଥିଲା ।

ସେ କହିଛନ୍ତି ଯେ ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀରେ ସର୍ବାଧିକ ୧୪୮ ମିଲି ମିଟର ବର୍ଷା ହୋଇଛି । ମାଲକାନଗିରିର ଗୋଟିଏ ବ୍ଲକରେ ୧୦୭ ମିଲି ମିଟର ବର୍ଷା ହୋଇଛି । ଗଜପତିର ଗୋଶାଣୀରେ ୮୩ ମିମି, ମୋହନାରେ ୩୩ ମିମି, ରାୟଗଡ଼ା ବ୍ଳକରେ ୬୦ ମିମି ଓ ନୂଆଗଡ଼ରେ ୩୩ ମିମି ବର୍ଷା ରେକର୍ଡ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି । ବର୍ଷା କମିଲେ ତାହା ମରାମତି କରାଯିବ । ପାହାଡ଼ିଆ ସ୍ଥାନରେ କିଛି ଜାଗାରେ ପାଣି ଚାଲୁଥିଲା, ତାହା ଏବେ ବନ୍ଦ ହୋଇଗଲାଣି ।

ସେ କହିଛନ୍ତି ଯେ ଏସଡିଆରଏଫ ନିୟମ ଆଧାରରେ ସମସ୍ତ ଜିଲ୍ଲାପାଳମାନଙ୍କୁ ୫ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସର୍ବମୋଟ ୪୬ ହଜାର ୭୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧୧୮୯ଟି ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇଥିଲା । ୧୫୩୩ ଜଣ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମାଲକାନଗିରି ଜିଲ୍ଲାରେ ଅଳ୍ପ ବର୍ଷା ଜାରି ରହିଛି । ଆଶା କରୁଛୁ ସେମିତି କିଛି ସମସ୍ୟା ହେବ ନାହିଁ । କେବଳ ମାଲକାନଗିରିରେ ୫୦ ରୁ ୬୦ ଗଛ ଭାଙ୍ଗିଛି ।

ସେ କହିଛନ୍ତି ଯେ ବାତ୍ୟାର କେନ୍ଦ୍ରବିନ୍ଦୁ ଏବେ ମାଲକାନଗିରି ଜିଲ୍ଲାରେ ରହିଛି ଏବଂ ଏହା ୨ ରୁ ୩ ଘଂଟୈା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ କରିଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି ।

Leave A Reply

Your email address will not be published.