ରାଜଧାନୀରେ ମିଳିତ ବିରୋଧୀ ଦଳର ପିକେଟିଂ, ଶତାଧିକ ଗିରଫ

0 75

ଭୁବନେଶ୍ୱର : କୃଷି ଓ କୃଷକ ବିରୋଧୀ ତିନୋଟି କୃଷି ଆଇନକୁ ବାତିଲ କରିବା, ଶ୍ରମିକ ବିରୋଧୀ ୪ଟି ଲେବର୍ କୋଡ୍ର ପ୍ରତ୍ୟାହାର ଏବଂ ଡିଜେଲ, ପେଟ୍ରୋଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ବନ୍ଦ କରିବା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ୧୦ ଘଂଟିଆ ଭାରତ ବନ୍ଦର ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ରାଜଧାନୀର ବିଭିନ୍ନ ସ୍ଥାନରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ) ଲିବରେସନ ଓ ସମାଜବାଦୀ ପାର୍ଟିର ନେତା ଓ କର୍ମୀମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ ।

ପୂର୍ବାହ୍ନରେ ମାଷ୍ଟରକ୍ୟାଂଟିନ ଛକଠାରେ ମିଳିତ ବିରୋଧୀ ଦଳର ଏକ ଶୋଭାଯାତ୍ରା ବାହାରି ପିକେଟିଂ କରାଯାଇଥିଲା । ଏଥିରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ ଓ ସୁଦର୍ଶନ ଦାସ, ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା ଓ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂହଦେଓ, ସିପିଆଇ(ଏମ୍)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ଜନାର୍ଦ୍ଦନ ପତି, ଓଡ଼ିଶା କୃଷକ ସଭାର ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ (ଏମ.ଏଲ.) ଲିବରେସନର ମହେନ୍ଦ୍ର ପରିଡ଼ା ଓ ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ । ଶୋଭାଯାତ୍ରାକାରୀମାନେ ମାଷ୍ଟରକ୍ୟାଂଟିନରୁ ଲୋୟର ପିଏମ୍ଜି ଆଡ଼କୁ ଯିବାବେଳେ ପୋଲିସ କର୍ଡନ ଭାଙ୍ଗିବାରୁ କମିଶନରେଟ୍ ପୋଲିସ ସେମାନଙ୍କୁ ଗିରଫ କରି ପରେ ଛାଡ଼ିଦେଇଥିଲା ।

ଏହା ପୂର୍ବରୁ ଆଜି ସକାଳେ ଅଖିଳ ଭାରତ କୃଷକ ସଭାର ନେତା କ୍ଷୀରୋଦ ସିଂହଦେଓ, ଏଆଇଟିୟୁସି ଉପସାଧାରଣ ସମ୍ପାଦକ ବିଜୟ ଜେନା, ସିପିଆଇ ଜୋନ ସହସମ୍ପାଦକ କୈଳାସ ପୁହାଣ, ଉତ୍କଳ ମହିଳା ସମିତିର ବନଲତା ଜେନା ଓ ପ୍ରମୋଦିନୀ ପାଇକରାୟ, ଏଆଇଏସ୍ଏଫ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ଗଣତାନ୍ତ୍ରିକ ମହିଳା ସମିତିର ତାପସୀ ପ୍ରହରାଜ, ଫରୱାର୍ଡ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଭୁବନେଶ୍ୱର ରେଳ ଷ୍ଟେସନ ଓ ମାଷ୍ଟରକ୍ୟାଂଟିନ ଅଂଚଳରେ ପିକେଟିଂ କରିଥିଲେ ।

ଏହା ସହିତ ଏଜି ଛକ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ଚନ୍ଦ୍ରଶେଖରପୁର, କିଟ୍ ଛକ ଓ ରେଳକୁଞ୍ଜ ପ୍ରଭୃତି ସ୍ଥାନରେ କଂଗ୍ରେସ ଓ ବାମଦଳ ପକ୍ଷରୁ ପିକେଟିଂ ସହିତ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା ।

ଅପରପକ୍ଷରେ ରାଜ୍ୟବାସୀ ସଂଯୁକ୍ତ କିଷାନ ମୋର୍ଚ୍ଚାର ଭାରତ ବନ୍ଦ ଡାକରାକୁ ବିପୁଳ ଓ ସ୍ୱତଃସ୍ଫୁର୍ତ ସମର୍ଥନ ଦେଇ ଏହାକୁ ରାଜ୍ୟ ବ୍ୟାପୀ ସମ୍ପୂର୍ଣ୍ଣ ସଫଳ କରିଥିବାରୁ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଓ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ସିଂହଦେଓ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.