ବଟି ଆଦାୟକାରୀ ପୋଲିସ ଅଧିକାରୀଙ୍କୁ ଜେଲ୍ ପଠାଯାଉ : ଏସ୍ସି

0 73

ନୂଆଦିଲ୍ଲୀ : ସରକାରଙ୍କ ସହ ବୁଝାମଣା କରି ସବୁ ଫାଇଦା ପାଉଥିବା ଓ ବେଆଇନ ଭାବେ ଅର୍ଥ ହାସଲ କରୁଥିବା ପୋଲିସ୍ ଅଧିକାରୀଙ୍କୁ ଏହାର ପରିଣାମ ଭୋଗିବାର ସମୟ ଆସି ଯାଇଛି । ବଟି ଆଦାୟ ଓ କ୍ଷମତାର ଅପବ୍ୟବହାର କରୁଥିବା ଅଧିକାରୀଙ୍କୁ ଜେଲ୍ ପଠାଇବା ଦରକାର । ସେମାନଙ୍କୁ କୌଣସି ପ୍ରକାରର ସୁରକ୍ଷା କେହି ଦେବା କଥା ନୁହେଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା କହିଛନ୍ତି । ଛତିଶଗଡ଼ ସରକାର ନିଲମ୍ବିତ ଆଇପିଏସ୍ ଅଧିକାରୀ ଗୁରଜିନ୍ଦର ପାଲ ସିଂହଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଓ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି । ସେ ଗିରଫ ହେବାର ଆଶଙ୍କା ଥିବାରୁ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାର ଶୁଣାଣି ଆଜି ଜଷ୍ଟିସ ରମଣାଙ୍କ ଖଣ୍ଡପୀଠ କରିଛନ୍ତି । ତୃତୀୟ ଥର ପାଇଁ ଆଇପିଏସ ଗୁରିଜନ୍ଦର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବରୁ ଦୁଇଟି ମାମଲାରେ କୋର୍ଟ ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିଲେ ।

ଆଜି ସିଜେଆଇ ଜଷ୍ଟିସ ରମଣା କହିଛନ୍ତି, ଆପଣ ସବୁ ମାମଲାରେ ଏପରି ସୁରକ୍ଷା ପାଇପାରିବେ ନାହିଁ । ଆପଣଙ୍କ ସମ୍ପର୍କ ସରକାରଙ୍କ ସହ ଥିବାରୁ ଆପଣ ବଟି ଆଦାୟ କରିବା ଆରମ୍ଭ କରିଥିଲେ । ଆପଣଙ୍କ ସମ୍ପର୍କ ସରକାରଙ୍କ ସହ ଭଲ ରହିଥିଲା ଓ ଆପଣ ସେଥିପାଇଁ ବେଆଇନ ଉପାୟରେ ଅର୍ଥ ଆଦାୟ କରିଥିଲେ । ଗୋଟିଏ ଦିନ ଆପଣଙ୍କୁ ଏସବୁର ମୂଲ୍ୟ ଦେବାକୁ ପଡ଼ିବ । ସରକାରଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ଥିବାରୁ ଆପଣ ବଟି ଆଦାୟ କରିପାରିବେ । କିନ୍ତୁ ଏହାପରେ ଆପଣଙ୍କୁ ଏସବୁ ସୁଧ ସହ ଫେରସ୍ତ କରିବାକୁ ପଡ଼ିବ । ବହୁତ ଅଧିକ ହୋଇ ଯାଉଛି । ଆମେ ଏପରି ବଟି ଆଦାୟ କରୁଥିବା ଅଧିକାରୀମାନଙ୍କୁ କାହିଁକି ସୁରକ୍ଷା ଦେବୁ ? ବର୍ତ୍ତମାନ ସୁରକ୍ଷା ମାଗିବା ଦେଶରେ ନୂଆ ଟ୍ରେଣ୍ଡ ହେଲାଣି । ଶ୍ରୀ ସିଂହଙ୍କ ଓକିଲ କହିଥିଲେ ଯେ, ଗୁରିଜନ୍ଦରଙ୍କ ଭଳି ଅଧିକାରୀଙ୍କୁ ସୁରକ୍ଷା ଜରୁରି । କିନ୍ତୁ ଏହାର ଜବାବରେ କୋର୍ଟ କହିଥିଲେ, ନା, ଏପରି ଅଫିସରମାନେ ଜେଲ ଯିବା ଦରକାର । ତଥାପି ଜଷ୍ଟିସ ରମଣା ଶ୍ରୀ ସିଂହଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବା ସହ ଛତିଶଗଡ଼ ସରକାରଙ୍କୁ ନୋଟିସ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ରେ ହେବ । ସୂଚନାଯୋଗ୍ୟ, ଅଗଷ୍ଟ ୨୬ରେ ସୁପ୍ରିମକୋର୍ଟ ଆଉ ଗୋଟିଏ ମାମଲାର ଗୁରିଜନ୍ଦର ସିଂହଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିଲେ । ଏହି ସମୟରେ ସରକାର ବଦଳିବା ପରେ ପୋଲିସ୍ ଅଫିସରମାନଙ୍କ ବିରୋଧରେ ରୁଜୁ ହେଉଥିବା ଦେଶଦ୍ରୋହ ମାମଲାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।

Leave A Reply

Your email address will not be published.