ଓଡ଼ିଶା ଛାଡ଼ିଲା ବାତ୍ୟା ଗୁଲାବ : ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

0 71

-ହୋଇନି ବିଶେଷ କ୍ଷୟକ୍ଷତି: ଏସ୍ଆରସି
-କୋରାପୁଟ-ମାଲକାନଗିରିରେ ଅଧିକ ବର୍ଷା

ଭୁବନେଶ୍ୱର : ବାତ୍ୟା ଗୁଲାବର ସାମ୍ନା କଲା ଦକ୍ଷିଣ ଓଡ଼ିଶା । କିନ୍ତୁ ବିଶେଷ କ୍ଷୟକ୍ଷତି ହୋଇନି । ଗୁଲାବ ଡିପ୍ ଡିପ୍ରେସନ୍ ରେ ପରିଣତ ହୋଇ ମାଲକାନଗିରି ଦେଇ ଆଗକୁ ବଢ଼ିଥିଲା । ପରେ ଏହା ଡିପ୍ରେସନ୍ ରେ ପରିଣତ ହୋଇ ଓଡ଼ିଶା ପାର କରିଛି । କେବଳ କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ଓ ଗଛ ଉପୁଡ଼ିଛି । ବାତ୍ୟା ମୁକାବିଲାର ଲକ୍ଷ୍ୟ ଥିଲା ଜିରେ କାଜୁଆଲିଟି । ଯାହା ସଫଳ ହୋଇଛି ବୋଲି ଏସ୍ଆରସି ପ୍ରଦୀପ ଜେନା କହିଛନ୍ତି । ୫ଦିନରେ କ୍ଷୟକ୍ଷତିର ରିପୋର୍ଟ
ଦେବା ପାଇଁ ସେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ବାତ୍ୟାକୁ ନଜରରେ ରଖି ୪୬ହଜାର ୭୫ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧୧୮୯ଟି ସେଣ୍ଟରରେ ସେମାନଙ୍କୁ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୫୩୩ଜଣ ଆସନ୍ନ ପ୍ରସବା ଥିଲେ । ପବନ ପ୍ରଭାବରେ ମାଲକାନଗିରିରେ ୫୦ ରୁ ୬୦ଟି ଗଛ ଉପୁଡ଼ିଥିଲା । ସେଠାରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗୁଲାବ ପ୍ରଭାବରେ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗୋଟିଏ ଗୋଟିଏ ବ୍ଲକ୍ ରେ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀ ବ୍ଲକରେ ୧୪୫ ମି.ମି. ଓ ମାଲକାନଗିରିର ଗୋଟିଏ ବ୍ଲକରେ ୧୦୭ ମି.ମି. ବର୍ଷା ରେକର୍ଡ କରାଯାଇଛି । କୋରାପୁଟ ସୁଙ୍କି ଘାଟିରେ ମାଡି ଅତଡା ଧସିଛି । ଫଳରେ ରାଜପଥ ଅବରୋଧ ହୋଇଥିଲା । ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ କାମ ଚାଲିଛି ।୨୧ ବ୍ଳକ୍ରେ ୫୦ ମିମିରୁ ଅଧିକ ବର୍ଷା ହୋଇଥିବାବେଳେ ଗଜପତି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଗଛ ଉପୁଡିପଡିଛି । ଗଜପତିର ଗୋଶାଣୀରେ ୮୩ ମି.ମି, ମୋହନାରେ ୩୩ ମି.ମି, ରାୟଗଡ ବ୍ଲକରେ ୬୦ ମି.ମି. ଓ ନୂଆଗଡରେ ୩୩ ମି.ମି ବର୍ଷା ରେକର୍ଡ ହୋଇଛି । ବାତ୍ୟା ଗୁଲାବ ପ୍ରଭାବରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ ।

କାଶୀନଗରରେ ବଂଶଧାରା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ ଉଟି-ଫୁଟ୍ସିର ରାସ୍ତାର ମାର୍କରପୋଲ ଉପରେ ୨ଫୁଟ୍ର ପାଣି ପ୍ରବାହିତ ହେଉଛି । ମାଲକାନଗିରିର ବିଭିନ୍ନ ନଦୀ ଜଳସ୍ତର ବୃଦ୍ଧି ପାଇଛି । ଏମ୍ଭି-୯୬ ପୋଲ ଉପରେ ୩ ଫୁଟ୍ର ପାଣି ପ୍ରବାହିତ ହେଉଥିବାରୁ କାଲିମେଳା-ମୋଟୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ପ୍ରବଳ ବର୍ଷାରେ ଅନେକ ରାସ୍ତା ଧୋଇଯାଇଥିବା ବେଳେ କିଛି ମାଟିଘର ଭାଙ୍ଗିଛି । ସୂଚନାଯୋଗ୍ୟ ଯେ, ବାତ୍ୟା ଗୁଲାବ ଶ୍ରୀକାକୁଲମ ନିକଟରେ ଲ୍ୟାଣ୍ଡଫଲ କରିବା ପରେ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ରେ ପ୍ରଭାବ ପକାଇଛି । ଖାଲି ସେତିକି ନୁହେଁ, ତେଲେଙ୍ଗାନାରେ ବି ବର୍ଷା କରିବା ପରେ ଆରବସାଗର ଆଡକୁ ମୁହାଁଇଛି ଗୁଲାବ । ଏହି ବାତ୍ୟାକୁ ନେଇ ନୂଆ କଥା ସାମ୍ନାକୁ ଆସୁଛି ତାହା ହେଉଛି ଏହି ବାତ୍ୟା ଦୁର୍ବଳ ହେବା ପରେ ପୁଣିଥରେ ଶକ୍ତି ସଂଗ୍ରହ କରିବ ଏବଂ ସାଇକ୍ଲୋନ୍ ହୋଇ ପୁଣି ୩ ଦିନ ପରେ ଗୁଜରାଟ ଉପକୂଳରେ ମାଡ ହେବ । ୧୯୯୬ ପରେ ଏହା ହେଉଛି ତୃତୀୟ ଘଟଣା । ଯାହା ଏବେ ସାମ୍ନାକୁ ଆସିଛି । ଗୋଟିଏ ବାତ୍ୟା ଦୁର୍ବଳ ହୋଇ ପୁଣି ଶକ୍ତି ସଂଗ୍ରହ କରି ପୁଣି ବାତ୍ୟାର ରୂପ ନେବା ।

୨୮ରେ ପୁଣି ଲଘୁଚାପ :

ଚଳିତବର୍ଷ ସେପ୍ଟେମ୍ବର ମାସଟି ଓଡ଼ିଶା ପାଇଁ ବିପଦ ଆଣିଛି । ପ୍ରଥମ ସପ୍ତାହରେ ୨୩ ଜିଲାରେ ମରୁଡ଼ି ଦେଖା ଦେଇଥିବାବେଳେ ଦ୍ୱିତୀୟ ସପ୍ତାହରେ ଲଘୁଚାପ ବର୍ଷା ଉପକୂଳ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା । ସେପ୍ଟେମ୍ବର ଶେଷ ସପ୍ତାହରେ ଚିନ୍ତା ବଢ଼ାଇଥିଲା ବାତ୍ୟା ‘ଗୁଲାବ’ । ଏବେ ‘ଗୁଲାବ’ ବିଶେଷ କ୍ଷୟକ୍ଷତି ନ କରି ଏକ ପ୍ରକାର ଟଳିଯାଇଥିବା ବେଳେ ଆସନ୍ତା ୨୮ ତାରିଖରେ ପୁଣି ଏକ ଲଘୁଚାପର ଆଶଙ୍କା ରହିଛି । ଚଳିତ ମାସରେ ବିପର୍ଯ୍ୟୟକୁ ନେଇ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାକୁ ଯାଉଛି । ବାତ୍ୟା ‘ଗୁଲାବ’ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉପରୋକ୍ତ ଜିଲ୍ଲାଗୁଡିକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର । ନୂଆପଡା, ବଲାଙ୍ଗୀର, ରାୟଗଡା ଏବଂ କଳାହାଣ୍ଡି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ମଙ୍ଗଳବାରରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ବିଶେଷ କରି ମୟୂରଭଞ୍ଜ,ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା ଏବଂ ବରଗଡ ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡା ଜିଲ୍ଲା ଖଡିଆଳରେ ୭୪.୮ ମିମି, ସିନାପାଲିରେ ୫୪ ମିମି, କୋରାପୁଟ ଜିଲାର ଲମତାପୁଟରେ ୫୮.୪ମିମି ଓ କଳାହାଣ୍ଡିର ଲାଞ୍ଜିଗଡରେ ୪୫.୬ ମିମି ବର୍ଷା ହୋଇଛି । ସୋମବାର ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୫ଟା ସୁଦ୍ଧା ପାରଳାଖେମୁଣ୍ଡିରେ ୨୪ ମିମି, ରାୟଗଡାରେ ୫.୮ ମିମି, ମାଲକାନଗିରିରେ ୪.୨ ମିମି, କୋରାପୁଟରେ ୧୫ ମିମି, ଗୋପାଳପୁରରେ ୧୨ ମିମି, ଭୁବନେଶ୍ୱରରେ ୧୪.୫ ମିମି, କଟକରେ ୧୬ ମିମି ଓ ବାଲେଶ୍ୱରରେ ୧୪ ମିମି ବର୍ଷା ରେକର୍ଡ କରାଯାଇଛି ।

Leave A Reply

Your email address will not be published.