ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ

0 71

– ଲକ୍ଷଣ ଥିବା ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ଭୋଟ୍ ଗ୍ରହଣ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତିଯେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ । ମୋଟ୍ ୨୦୧ଟି ବୁଥ୍ କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିବା ବେଳେ ଯେଉଁ ଭୋଟରଙ୍କର କୋଭିଡ୍ ଲକ୍ଷଣ ଥିବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସେ କହିଛନ୍ତି, ଆଜିଠୁ ବୁଥ୍ ଗୁଡ଼ିକୁ ପୋଲିଂ ପାର୍ଟି ଗୁଡ଼ିକୁ ପଠାଯାଉଛି । ୩୪୮ଟି ପୋଲିଂ ପାର୍ଟି ମଧ୍ୟରୁ ୨୦୦ଟିକୁ ସେମାନଙ୍କ ବୁଥ୍ କୁ ପଠାଯାଇ ସାରିଲାଣି । ମୋଟ ୧୪୯୦ ଜଣ କର୍ମଚାରୀଙ୍କୁ ପୋଲିଂ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଅତିରିକ୍ତ ୭୦୦ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଏହି ଉପନିର୍ବାଚନ ପାଇଁ ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ର ବି ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨ ହଜାର ପୋଲିସ୍ କର୍ମଚାରୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି । ସେମାନଙ୍କ ଭିତରେ ବିଏସ୍ଏଫ୍ ୩ଟି କମ୍ପାନୀ ମଧ୍ୟ ରହିଛନ୍ତି । ପୁଲିସ୍ କର୍ମଚାରୀଙ୍କ ନେତୃତ୍ୱ ଏସ୍ପି ନେଉଛନ୍ତି । ତାଙ୍କୁ ଏଥିପାଇଁ ୩ ଜଣ ଅତିରିକ୍ତ ଏସ୍ପି ଓ ୭ ଜଣ ଡିଏସ୍ପି ସହଯୋଗ କରୁଛନ୍ତି ।

ଏଥର ୨୦୧ଟି ସମ୍ବେଦନଶୀଳ ବୁଥ୍ ରେ ଜଣେ ମାଇକ୍ରୋ ଓବ୍ଜରଭର କିମ୍ବା କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀ କିମ୍ବା ୱେବ୍ କାଷ୍ଟିଂ କିମ୍ବା ଭିଡିଓ ରେକର୍ଡିଂ ମଧ୍ୟରୁ ଗୋଟିଏ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଏହି ଉପନିର୍ବାଚନ ପାଇଁ ୪୨୩ଟି ଗାଡ଼ିକୁ ନିୟୋଜିତ କରାଯାଇଛି । ପୋଲିଂ ପାର୍ଟି, ପୁଲିସ୍ ଓ ଅର୍ଦ୍ଧସାମରିକ ବାହିନୀ ପାଇଁ ଏହି ସବୁ ଗାଡ଼ିର ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନରେ ସାମିଲ ସମସ୍ତ କର୍ମଚାରୀ ଡବଲ୍ ଡୋଜ୍ ନେଇଛନ୍ତି ।

ଭିନ୍ନକ୍ଷମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଘରୁ ଆଣି ପୁଣି ଘରେ ଛାଡ଼ିବା ପାଇଁ ବ୍ୟବସ୍ଥା ହୋଇଛି । ପୋଲିଂ ବୁଥ୍ ଗୁଡ଼ିକରେ ସେମାନଙ୍କ ପାଇଁ ହ୍ୱିଲ୍ ଚେୟାର ବ୍ୟବସ୍ଥା ରହିବ । ତା’ସହିତ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି । ମତଦାନ କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଭୋଟରଙ୍କୁ ହ୍ୟାଣ୍ଡଗ୍ଲୋବ୍ସ ଓ ମାସ୍କ ଦିଆଯିବାର ବ୍ୟବସ୍ଥା ହୋଇଛି । ସେହିଭଳି ସେମାନଙ୍କ ଶରୀରର ତାପମାତ୍ରା ବି ମପାଯିବ । କୌଣସି ଭୋଟରଙ୍କ ଶରୀରର ତାପମାତ୍ରା ସାଧାରଣରୁ ଅଧିକ ଥିଲେ ବା ସେମାନଙ୍କ ଠାରେ କୋଭିଡ୍ ରେ ଅନ୍ୟ କୌଣସି ଲକ୍ଷଣ ଥିଲେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ସେମାନଙ୍କୁ ଏକ ଚିରକୁଟ୍ ଦେଇ ଘରକୁ ପଠାଇ ଦିଆଯିବ । ସେମାନେ ଭୋଟ୍ ଗ୍ରହଣର ଅନ୍ତିମ ୧ ଘଂଟାରେ ଆସି ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ସେ କହିଛନ୍ତି, ପ୍ରତ୍ୟେକ ବୁଥ୍ ରେ କୋଭିଡ୍ ନୋଡାଲ୍ ଷ୍ଟାଫ୍ ଙ୍କୁ ନିଯୁକ୍ତି ଦିଆଯାଇଛି । ସାଧାରଣତଃ ଆଶା କର୍ମୀ ବା ଅଙ୍ଗନୱାଡ଼ି କର୍ମୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ବୁଥ୍ ଗୁଡ଼ିକରେ କୋଭିଡ୍ ର ସବୁ ପ୍ରୋଟୋକଲକୁ ଅନୁସରଣ କରାଯାଉଛି ନାହିଁ, ତାହା ସେମାନେ ତଦାରଖ କରିବା ସହିତ ଏଥିରେ ସହଯୋଗ କରିବେ ।

Leave A Reply

Your email address will not be published.