‘ଗୁଲାବ’ ପରେ ଏବେ ‘ସାହିନ୍’ ଭୟ : ବଙ୍ଗୋପସାଗରରେ ୱେଲମାର୍କ ଲୋ ପ୍ରେସର

0 68

-୩ ଦିନ ଭିଜିବ, ଫୁଲିବ ସୁବର୍ଣ୍ଣରେଖା-ବୁଢାବଳଙ୍ଗ !

ନୂଆଦିଲ୍ଲୀ : ପୂର୍ବ ପରେ ପଶ୍ଚିମରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସାମୁଦ୍ରିକ ଝଡ଼ ଗୁଲାବ ଏବେ ପୁନଃ ଜନ୍ମ ନେଇ ନୂଆ ନାଁ ‘ସାହିନ୍’ ନାମରେ ତାଣ୍ଡବ ରଚିପାରେ । ଗୁଲାବର ଅବଶିଷ୍ଟାଂଶ ଆରବ ସାଗରରେ ପ୍ରବେଶ କରି ସେଠାରେ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି । ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହାପ୍ରଭାବରେ ଓଡ଼ିଶାରେ ତିନିଦିନ ପ୍ରବଳ ବର୍ଷିବ । ଉତ୍ତର ଓଡ଼ିଶାରେ ଅଧିକ ରହିବ ବର୍ଷା ପରିମାଣ । ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବୁଧବାର କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ତେଣୁ ପୁଣି ଫୁଲିପାରେ ବୈତରଣୀ ଓ ବୁଢ଼ାବଳଙ୍ଗର ଜଳସ୍ତର । ଦେବଗଡ଼, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ଢେଙ୍କାନାଳକୁ ୟେଲୋ ସତର୍କତା ଦିଆଯାଇଛି । ୩୦ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼କୁ ମଧ୍ୟ ୟେଲୋୱାର୍ଣ୍ଣିଂ ଜାରି ହୋଇଛି । ଆରବ ସାଗରରେ ବାତ୍ୟା ପାଇଁ ପାଗ ଭିଡୁଛି । ଗୁଲାବ ନେଇପାରେ ପୁନଃ ଜନ୍ମ । ଆନ୍ଧ୍ର-ଓଡ଼ିଶା ଦେଇ ଅତିକ୍ରମ କଲା ବେଳେ ଏହା ବେଶୀ କ୍ଷୟକ୍ଷତି କଲା ନାହିଁ । ଦୁର୍ବଳ ହୋଇ ପଶ୍ଚିମ ତଟମୁହାଁ ହୋଇଛି । ଏହାପରେ ଗୁଜରାଟ ଦେଇ ଆରବସାଗରରେ ପ୍ରବେଶ କରିବ ଗୁଲାବର ଅବଶିଷ୍ଟାଂଶ । ପଶ୍ଚିମ ତଟରେ ପହଞ୍ଚିବା
ପରେ ଏହା ବଳ ଗୋଟାଇବ ।

ପାଣିପାଗ ବିଭାଗର ଅନୁମାନ ଅନୁଯାୟୀ ଏହା ଘନୀଭୂତ ହୋଇ ପୁଣି ଏକ ସାମୁଦ୍ରିକ ଝଡରେ ପରିଣତ ହୋଇପାରେ । ୨ରୁ ୩ ଦିନ ମଧ୍ୟରେ ଏହି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଗୁଜରାଟ, ମଧ୍ୟ ମହାରାଷ୍ଟ୍ର, ମରଠାୱାଡା, ସୌରାଷ୍ଟ୍ର ଓ କଚ୍ଛରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୩୦ ତାରିଖ ସନ୍ଧ୍ୟାରେ ଉତ୍ତର-ପୂର୍ବ ଆରବସାଗର ଓ ଗୁଜରାଟ ଉପକୂଳରେ ବାତ୍ୟା ସୃଷ୍ଟି ହେବା ଆଶଙ୍କା କରାଯାଉଛି । ସେହିପରି ଝାଡ଼ଖଣ୍ଡ, ଗାଙ୍ଗେଟିକ୍, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, ପୁଡୁଚେରୀ, ଜରାଇକାଲର ବିଭିନ୍ନ ସ୍ଥାନରେ ଆଗାମୀ ଦୁଇ ତିନିଦିନ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆସୁଛି ଆଉ ୨ଟି ଲଘୁଚାପ : ରାଜ୍ୟରେ ଦୁଇ ସପ୍ତାହ ବର୍ଷିବ

ବଙ୍ଗୋପସାଗରରେ ୨୯ ତାରିଖ ଓ ଅକ୍ଟୋବର ୯ ତାରିଖରେ ଦୁଇଟି ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ଆସନ୍ତା ୨ ସପ୍ତାହ ରାଜ୍ୟରେ ବର୍ଷା ଜାରି ରହିବ । ଏହା ବ୍ୟତୀତ ମେସୁମୀ ବର୍ଷା ମଧ୍ୟ ଜାରି ରହିବ । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପାଣିପାଗ ଅନୁକୂଳ ଥିବାରୁ ବଙ୍ଗୋପସାଗରରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଏକାଧିକ ସିଷ୍ଟମ ସୃଷ୍ଟି ହେବାର ସମ୍ଭାବନା ରହିଛି । ଉପକୂଳରେ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅକ୍ଟୋବର ୧ରୁ ୫ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଉତ୍ତର ଉପକୂଳରେ ଅକ୍ଟୋବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ମଧ୍ୟମ ବର୍ଷା ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ସେହିପରି ଅକ୍ଟୋବର ୩ ତାରିଖରେ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ସିଷ୍ଟମ୍ ୫ ତାରିଖରେ ଫିଲିପାଇନ୍ସ୍ ଓ ୬ ତାରିଖରେ ଦକ୍ଷିଣ ଚୀନ୍ ସାଗର ଦେଇ ୭ ତାରିଖରେ ମିଆଁମାର୍ ଉପକୂଳ ଓ ୮ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚି ୯ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମଧ୍ୟ ରାଜ୍ୟରେ ଭଲ ବର୍ଷା ହୋଇପାରେ । ଅନ୍ୟପକ୍ଷରେ ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମେସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୯ ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଭଦ୍ରକରେ ପ୍ରବଳ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାଗୁଡ଼ିକରେ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.