ସରିଲା ପିପିଲି ଭୋଟ, ୩କୁ ଅପେକ୍ଷା : ଇଭିଏମ୍ ରେ ପ୍ରାର୍ଥୀଙ୍କ ଭାଗ୍ୟ

0 75

-ଦୁଇଥର ସ୍ଥଗିତ ସତ୍ତେ୍ୱ କମିନଥିଲା ଭୋଟରଙ୍କ ଉତ୍ସାହ

ପିପିଲି/ଭୁବନେଶ୍ୱର : ସକାଳୁ ସକାଳୁ ପିପିଲିରେ ଭୋଟରଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ବୁଥ୍ ଆଗରେ ଲାଗିଥିଲା ଲମ୍ବା ଲାଇନ୍ । କୋଭିଡ୍ କଟକଣାରେ ଭୋଟ୍ ଦେଇଥିଲେ ଭୋଟର । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବି ଥିଲା । ଏଥିସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯାଇଥିଲା । କୋଭିଡ୍ର ସେକେଣ୍ଡ ୱେଭ୍ ପରେ ଏହା ଥିଲା ରାଜ୍ୟର ପ୍ରଥମ ନିର୍ବାଚନ । ଦିନ ବଢ଼ିବା ସହ ବଢ଼ୁଥିଲା ଭୋଟିଂ ହାର । ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ଭୋଟିଂ ହୋଇସାରିଥିଲା । ଅପରାହ୍ନ ୩ଟା ସୁଦ୍ଧା ୫୯.୭୨ ପ୍ରତିଶତ ଓ ଅପରାହ୍ନ ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ ହୋଇଥିଲା । ମହିଳା ଓ ଫାଷ୍ଟ ଟାଇମ୍ ଭୋଟରଙ୍କ ମଧ୍ୟରେ ଅଧିକ ଆଗ୍ରହ ଥିବା ଲକ୍ଷ୍ୟ କରାଯାଇଥିଲା । ଭୋଟ ଦେବା ପରେ ଆଦର୍ଶ ବୁଥ୍ ଆଗରେ ସେଲ୍ଫୀ ଉଠାଇବାକୁ ମଧ୍ୟ ଭୂଲି ନଥିଲେ ଯୁବ ଭୋଟର । ବରିଷ୍ଠ ନାଗରିକ ହ୍ୱିଲ ଚେୟାରରେ ଆସି ଭୋଟ ଦେଇଥିଲେ । ସେମାନଙ୍କୁ ମତଦାନ କେନ୍ଦ୍ରକୁ ଆଣିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଧାଡ଼ିରେ ପ୍ରାୟ ଅଧଘଣ୍ଟା ଠିଆ ହୋଇ ଭୋଟ୍ ଦେଇଥିଲେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ୫-ନଂ ବୁଥ୍ ଓ ବିଜେପି ଆଶ୍ରିତ ପଟ୍ଟନାୟକ ୨୭୪ ନଂ ବୁଥ୍ ରେ ଭୋଟ୍ ଦେଇଥିଲେ । ତେବେ ଶାନ୍ତିଶୃଙ୍ଖଳା ସହ ମତଦାନ ସରିଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ୨ହଜାରରୁ ଅଧିକ ପୋଲିଂ ଅଫିସର ଓ ୨ହଜାରରୁ ଊଦ୍ଧ୍ୱର୍ ପୋଲିସ ନିୟୋଜିତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା । କିନ୍ତୁ ଦୁଇଥର ସ୍ଥଗିତ ରହିଥିଲା ଏହି ଉପନିର୍ବାଚନ । ପ୍ରଥମେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ଓ ପରେ କୋଭିଡ୍ ସେକେଣ୍ଡ ୱେଭ୍ ଯୋଗୁ ଉପନିର୍ବାଚନ ସ୍ଥଗିତ ରହିଥିଲା । ପ୍ରଥମ ଉପନିର୍ବାଚନ ଘୋଷଣାର ୬ମାସ ମଧ୍ୟରେ ଏବେ ଭୋଟିଂ ହୋଇଛି । କିନ୍ତୁ ଭୋଟରଙ୍କ ଆଗ୍ରହ କମିନଥିଲା । ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ରେ ସିଲ୍ ହୋଇଥିବା ବେଳେ ୩ରେ ଜଣାପଡ଼ିବ କିଏ ଧରିବ ପିପିଲି ମଙ୍ଗ । ଅନ୍ୟପକ୍ଷରେ ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳୁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ବିଭିନ୍ନ ବୁଥ୍ରୁ ଇଭିଏମ୍ ଅଚଳ ବା ତ୍ରୁଟି ହୋଇଥିବା ଜଣାପଡ଼ିଛି । ସକାଳେ ପ୍ରଥମେ ୪ଟି ବୁଥରେ ଇଭିଏମ୍ ଅଚଳ ହୋଇଥିବା ବେଳେ ପୁଣି ଆଉ ୬ଟି ବୁଥରେ ଇଭିଏମ୍ରେ ତ୍ରୁଟି ଦେଖିବାକୁ ମିଳିଥିଲା । କୌଶଲ୍ୟାପୁରର ୧୫୪ ନମ୍ବର ବୁଥ୍ ସହିତ ପୁବାର ୧୫୮, ଲକ୍ଷ୍ମୀନାରାୟଣପୁରର ୧୬୧, କୁଞ୍ଜରର ୧୬୭, ସିଉଳାର ୧୬୯ ଓ ବିନାୟକପୁରର ୧୭୩ ନମ୍ବର ବୁଥ୍ରେ ଇଭିଏମରେ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା । ଏହା ପୂର୍ବରୁ ୧୩୯-ଇ, ୧୭୭, ୧୮୮ ଓ ନୂଆଶାସନ ଦକ୍ଷିଣ ସାହିର ୨୦୩ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇ ଯାଇଥିଲା । ତେବେ ଏଗୁଡ଼ିକୁ ସଜାଡ଼ିବା ପରେ ପୁଣି ମତଦାନ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.