ଅକ୍ଟୋବର ପାଇଁ ଗାଇଡଲାଇନ୍ ଜାରି

0 66

ଟୁଇନ୍ ସିଟିରେ ରାତି ୮ରୁ ନାଇଟ୍ କର୍ଫ୍ୟୁ
ବାଣ ବିକ୍ରି ବି ମନା

ଭୁବନେଶ୍ୱର : କରୋନା ସଂକ୍ରମଣ ମାମଲା ରାଜ୍ୟରେ ହ୍ରାସ ପାଉଥିଲେ ମଧ୍ୟ ରାଜ୍ୟ ସରକାର ପୁଣିଥରେ କଟକ ଓ ଭୁବନେଶ୍ୱରରେ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ସମଗ୍ର ରାଜ୍ୟର ସହରାଂଚଳରେ ନାଇଟ୍ କର୍ଫ୍ୟୁ ଆସନ୍ତା ନଭେମ୍ୱର ୧ତାରିଖ ପର୍ଯ୍ୟନ୍ତ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିବାବେଳେ କେବଳ ଟୁଇନ୍ ସିଟିରେ ଅକ୍ଟୋବର ୧୧ରୁ ୨୦ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ । ଏହାସହିତ ପାର୍ବଣ ମାସରେ ରାଜ୍ୟ ତମାମ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ହୋଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଅକ୍ଟୋବର ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କହିଛନ୍ତି ଯେ, ଧାର୍ମିକ ସମାରୋହ ପାଳନରେ କଟକଣା ରହିନଥିବାରୁ ଲୋକ ଏକଜୁଟ ହେଉଛନ୍ତି ଓ ତାହା ଦେଶର କେତେକ ସ୍ଥାନରେ ସଂକ୍ରମଣ ହାରକୁ ବୃଦ୍ଧି କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଲୋକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଚଳିତ ପୂଜା ଓ ପାର୍ବଣରେ କେତେକ କଟକଣା ଜାରି କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ପୂଜାରେ ଲୋକଙ୍କ ଏକଜୁଟ ଯୋଗୁ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା କରି ଗାଇଡଲାଇନ୍ ଜାରି କରିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ନଭେମ୍ବର ୧ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ନୂଆ କୋଭିଡ୍ କଟକଣା ଜାରି କରିଛନ୍ତି । ରାଜ୍ୟ ତମାମ କେଉଁଠିବି ସାପ୍ତାହିକ ସଟଡାଉନ୍ ଲାଗୁ ହେବ ନାହିଁ । ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଚାଲିଥିଲେ ମଧ୍ୟ ମାତ୍ର ରାଜ୍ୟର ସହରାଂଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପ୍ରତ୍େୟକ ଦିନ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ମାତ୍ର କଟକ ଓ ଭୁବନେଶ୍ୱରରେ ଏହି ନାଇଟ୍ କର୍ଫ୍ୟୁ ଅକ୍ଟୋବର ୧୧ରୁ ୨୦ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ । ତେବେ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଦୋକାନ, ମଲ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ରାଜ୍ୟବ୍ୟାପୀ ଖୋଲା ରହିବ । ସମସ୍ତ ପ୍ରକାରର ଧାର୍ମିକ ସମାରୋହ, ଉତ୍ସବ ପାଳନ ଉପରେ କଟକଣା ବଳବତ୍ତର ରହିବ । ଆଗକୁ ଦୀପାବଳି ଆସୁଥିବାବେଳେ ସରକାର ଚଳିତ ପାର୍ବଣ ଋତୁରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରାଜ୍ୟବ୍ୟାପୀ କଟକଣା ଜାରି କରିଛନ୍ତି । ଏହି ନାଇଟକର୍ଫ୍ୟୁ ସମୟରେ ସମସ୍ତ ପ୍ରକାରର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । କେବଳ ଔଷଧ ଦେକାନ, ଚଷମା ଦେକାନ ଆଦି ଖୋଲା ରହିବ । ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି ପାଇଁ ଅନୁମତି ରହିବ । କୋଭିଡ୍ ପରୀକ୍ଷା, କୋଭିଡ୍ ଟିକା କେନ୍ଦ୍ରକୁ ଯିବା ସମେତ ସମସ୍ତ ପ୍ରକାରର ଘରୋଇ ଓ ସରକାରୀ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ସେବା ପାଇଁ ଅନୁମତି ମିଳିବ । ଘରୋଇ ଚାରିଚକିଆ ଓ ଦୁଇଚକିଆ ଯାନ ଚଳାଚଳ, ଅଟୋ ରିକ୍ସା ଓ କ୍ୟାବ୍ ସର୍ଭିସ ଆଦିକୁ ବସଷ୍ଟାଣ୍ଡ, ରେଳଷ୍ଟେସନ, ଏୟାରପୋର୍ଟ କୁ ନେବା ଆଣିବା ନିମନ୍ତେ ଅନୁମତି ମିଳିବ । ନାଇଟ୍ କର୍ଫ୍ୟୁ ସମୟରେ ଭୁବନେଶ୍ୱର ଓ କଟକର ପୁଲିସ କମିଶନର, ମହାନଗର ନିଗମ କମିଶନର ଅବା ଜିଲ୍ଲାପାଳ ଚାହିଁଲେ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଅତିରିକ୍ତ ପ୍ରତିଷେଧକ ପଦକ୍ଷେପ ନେଇପାରିବେ ବୋଲି ଏସଆରସି କହିଛନ୍ତି ।

ଏସବୁ ବ୍ୟତୀତ ରାଜ୍ୟ ସରକାର ପୂର୍ବରୁ ଜାରି କରିଥିବା ଧାର୍ମିକ,ରାଜନୀତିକ ଓ ସାମାଜିକ ସମାରୋହ ଉପରେ କଟକଣା ପୂର୍ବବତ୍ ବଳବତ୍ତର ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ସାନିଟାଇଜେସନ୍ ଭଳି କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଏହି ନିୟମକୁ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଓ ବିପର୍ଯ୍ୟୟ ପରିଚାଳନା ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହେବା ସହ ଦଣ୍ଡର ପ୍ରାବଧାନ ରହିଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.