ସ୍ୱଚ୍ଛତା ଭାରତ ମିଶନ ୨.୦ର ଶୁଭାରମ୍ଭ, ଆବର୍ଜନାମୁକ୍ତ ହେବ ଦେଶ : ସୁଧୁରିବ ଜଳସମସ୍ୟା

0 70

ନୂଆଦିଲ୍ଲୀ : ସ୍ୱଚ୍ଛ ଭାରତ ଅଭିଯାନ ଭାରତରେ ବହୁ ମାତ୍ରାରେ ସଫଳ ହୋଇଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆଉ ଏକ ପଦକ୍ଷେପ ସ୍ୱଚ୍ଛ ଭାରତ ମିଶନ ୨.୦ ଆରମ୍ଭ କରିଛନ୍ତି । ଏହି ମିଶନ ବିଶେଷକରି ପ୍ରତ୍ୟକ ସହରମାନଙ୍କରେ କାର୍ଯ୍ୟକାରୀ ହେବ । ଏହାସହ ସହରର ଉନ୍ନତି ଓ ଦ୍ୱିତୀୟଥର ପାଇଁ ଅଟଳ ମିଶନ ୨.୦ ମଧ୍ୟ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବୟାନରେ କୁହାଯାଇଛି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ସ୍ୱଚ୍ଛ ଭାରତ ମିଶନ ଓ ଅମୃତ ମିଶନ ଦ୍ୱାରା ସମସ୍ତ ସହରକୁ ଆବର୍ଜନାମୁକ୍ତ କରିବା ଓ ଜଳ ସଂରକ୍ଷଣର ଲକ୍ଷକୁ ହାସଲ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।

ଏହି ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୪ରେ ଦେଶବାସୀଙ୍କ ପାଇଁ ଭାରତକୁ ବାହ୍ୟ ମଳମୁକ୍ତ କରିବାର ସଂକଳ୍ପ ନେଇଥିଲୁ । ଏହାଦ୍ୱାରା ଭାରତରେ ୧୦କୋଟି ଶୌଚାଳୟ ନିର୍ମାଣ ହେବା ସହ ଦେଶବାସୀ ଏହି ସଂକଳ୍ପକୁ ପୁରା କରିଛନ୍ତି । ବର୍ତ୍ତମାନ ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ୨.୦ର ଲକ୍ଷ ହେଉଛି ଆବର୍ଜନା ମୁକ୍ତ ସହର ଓ ସହରକୁ ସମ୍ପୂର୍ଣ୍ଣ ଅଳିଆମୁକ୍ତ କରିବା । ପ୍ରଧାନମନ୍ତ୍ରୀ କହିଛନ୍ତି ଅମୃତ ମିଶନ ଦେଶବାସୀଙ୍କୁ ଅଧୀକ ସାହାଯ୍ୟ କରିବ । ସହରରେ ଥିବା ଲୋକମାନେ ୧୦୦ ପ୍ରତିଶତ ସ୍ୱଚ୍ଛ ପାଣି ପାଇବା, ସ୍ୱେରେଜ୍ଗୁଡ଼ିକର ଉନ୍ନତମାନର ପ୍ରବନ୍ଧନ ହେବା ଇତ୍ୟାଦି ଲକ୍ଷ୍ୟ ଏହି ଯୋଜନାର ଅନ୍ତର୍ଭୁକ୍ତ । ଏହାର ଆଗାମୀ ଲକ୍ଷ୍ୟ ହେଉଛି ସ୍ୱେରେଜ ଏବଂ ସେପ୍ଟିକ ମ୍ୟାନେଜମେଣ୍ଟ ବଢ଼ାଇବା, ନିଜ ସହରକୁ ୱାଟର ସିକ୍ୟୋର ସିଟି କରିବା ଓ ଏହା ବିଶେଷ ଭାବେ ଧ୍ୟାନ ଦେବା ଯେ ସହରରେ ଥିବା ନଦୀମାନଙ୍କରେ ଯେପରି କୌଣସି ଅପରିଷ୍କାର ନର୍ଦ୍ଦମା ପାଣି ନ ମିଶିବ ।

ସେ କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ ଓ ଅମୃତ ଯୋଜନାରେ ଭାରତ ଆଶାତୀତ ସଫଳତା ଲାଭ କରିଛି । ଏହି ଅବସରରେ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂହ ପୁରି ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ନଗର ଉନ୍ନୟନ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ମୋଦୀ କହିଛନ୍ତି ଯେ ଅମୃତ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪,୭୦୦ ସହରାଞ୍ଚଳର ସ୍ଥାନୀୟ ପରିବାର ଲୋକଙ୍କୁ ପ୍ରାୟ ୨.୬୪ କୋଟିର ସ୍ୱେରେଜ୍ ସଂଯୋଗ, ପ୍ରାୟ ୨.୬୮ କୋଟି ଟ୍ୟାପ୍ ସଂଯୋଗ ଓ ୫୦୦ ଅମୃତ ସହରରେ ସ୍ୱେରେଜ ଏବଂ ସେପ୍ଟେଜର ଶତ ପ୍ରତିଶତ କଭରେଜ ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ ଏହି ଯୋଜନା ଦ୍ୱାରା ସହରି କ୍ଷେତ୍ରରେ ପ୍ରାୟ୧୦.୫ କୋଟିରୁ ଅଧୀକ ଲୋକ ଉପକୃତ ହେବେ ।

ଅମୃତ ମିଶନରେ ଓଡ଼ିଶା ନମ୍ବର ୱାନ :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ୨.୦ର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇ ନିଜ ନିଜ ରାଜ୍ୟର ସ୍ୱଚ୍ଛତା ମିଶନକୁ କିଭଳି ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯିବ ସେ ନେଇ ମତ ରଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହୋଇ କହିଥିଲେ ଯେ, ସହରାଞ୍ଚଳକୁ ସ୍ୱଚ୍ଛ ପାନୀୟଜଳ ଯୋଗାଣ ଓ ଆବର୍ଜନାମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଟାର୍ଗେଟ୍ ହାସଲ କରିବା ପାଇଁ ୨୦୧୫ରୁ ଓଡ଼ିଶାରେ ଅମୃତ ମିଶନ୍ କାର୍ଯ୍ୟକାରୀ ହେଉଛି । ରାଜ୍ୟର ୯ଟି ସହରରେ ଏହି ଯୋଜନାରେ ପାନୀୟ ଜଳ ବ୍ୟବସ୍ଥାର ଉନ୍ନତି କରାଯାଉଛି । ଏଥିସହ ରାଜ୍ୟ ସରକାର ସହରାଞ୍ଚଳ ପାନୀୟ ଜଳ ଯୋଗାଣ ପାଇଁ ୧୬ ଶହ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଅମୃତ ମିଶନ୍ କାର୍ଯ୍ୟକାରିତାରେ ଓଡ଼ିଶା କ୍ରମାଗତ ଭାବେ ଗତ ୩ବର୍ଷ ହେଲା ପ୍ରଥମ ସ୍ଥାନ ଅଧିକାର କରୁଛି ।

ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ନିଜସ୍ୱ ବସୁଧା ଯୋଜନା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨୭ଟି ସହରରେ ଶତପ୍ରତିଶତ ଘରକୁ ପାଇପ୍ ପାଣି ଯୋଗାଇ ଦିଆଯାଇଛି । ପାଇପ୍ ପାଣି ସହ ଆବର୍ଜନାମୁକ୍ତ ସହରାଞ୍ଚଳ ପାଇଁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ଘରକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ଏଥିରେ ତୃଣମୂଳସ୍ତରରେ ଜଳସାଥୀମାନେ ସହଯୋଗ କରିଛନ୍ତି । ୫-ଟି କାର୍ଯ୍ୟକ୍ରମରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ୍ ଆରମ୍ଭ ହୋଇଛି । ସାରା ଦେଶରେ ପୁରୀ ପ୍ରଥମ ସହର ଭାବେ ପ୍ଲାଷ୍ଟିକମୁକ୍ତ ଓ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ୍ କାର୍ଯ୍ୟକାରୀ କରି ଲଣ୍ଡନ, ଟୋକିଓ ଓ ୟୁକେ ସହ ସମାନ ହୋଇପାରିଛି । କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ୧୭ଟି ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟକାରୀ ହେଉଛି । ଆବର୍ଜନାମୁକ୍ତ ପାଇଁ ୫୫ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ହୋଇଛି । ଏଥିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ସହଭାଗୀ ହୋଇଛନ୍ତି ।

Leave A Reply

Your email address will not be published.