୩୦ବର୍ଷ ପରେ ମିଳିବନି ମୁନ୍ଦେ ପାଣି : ୫୦୦ କୋଟି ଲୋକ ଶୋଷରେ ହେବେ ଆଉଟୁପାଉଟୁ

0 75

ନୂଆଦିଲ୍ଲୀ : ଏବେ ପୃଥିବୀରେ ଜାରି ରହିଥିବା ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ଧାରାରେ ପରିବର୍ତ୍ତନ ନ ଆସିଲେ ଆଉ ୩୦ବର୍ଷ ପରେ ସ୍ଥିତି ଅଣାୟତ୍ତ ହେବ । ପୃଥିବୀର ପ୍ରାୟ ୫୦୦ କୋଟି ଲୋକ ପିଇବା ପାଣି ମୁନ୍ଦେ ନପାଇ ଶୋଷରେ ଆଉଟୁପାଉଟୁ ହେବେ । ଏନେଇ ‘ଦ ଷ୍ଟେଟ୍ ଅଫ୍ କ୍ଲାଇମେଟ୍ ସର୍ଭିସ୍ ୨୦୨୧ ୱାଟର’ ରିପୋର୍ଟରେ ଏହା ପ୍ରକାଶ ପାଇଛି । ୨୦୧୮ରେ ପୃଥିବୀର ୩୦୦ କୋଟି ଲୋକ ବର୍ଷକୁ ମାସେ ପିଇବା ପାଣି ପାଉନଥିବା ଜାତିସଂଘର
ୱାର୍ଲ୍ଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେସନ୍ ପକ୍ଷରୁ ପ୍ରକାଶିତ ହୋଇଛି । ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଗ୍ଲାସ୍ଗୋଠାରେ ଅକ୍ଟୋବର ୩୧ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଜଳସଂକଟ ରିପୋର୍ଟ ପ୍ରକାଶପାଇଛି । ୨୦୦୦ ମସିହା ପରେ ପୃଥିବୀରେ ଜଳସଂକଟ ଲାଗିରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଗତ ୨୦ବର୍ଷ ଧରି ପୃଥିବୀ ପୃଷ୍ଠରେ ଥିବା ଜଳ ପରିମାଣ ବର୍ଷ ପିଛା ୧ ସେମି ହାରରେ କମିବାରେ ଲାଗିଛି । ଏହା ଜାରି ରହିଲେ ମହାବିପତ୍ତି ଆସିବାର ଆଶଙ୍କା ରହିଥିବା ରିପୋର୍ଟରେ କୁହାଯାଇଛି । ଗତ ୨୦ବର୍ଷ ତୁଳନାରେ ଏବେ ବନ୍ୟା ବିଭୀଷିକା ୧୩୪ ପ୍ରତିଶତ ବୃଦ୍ଧି ପାଇଛି ।

ସେହିପରି ମରୁଡ଼ି ଘଟଣା ୩୦ ପ୍ରତିଶତ ବଢ଼ିଛି । ଏହାର ମୂଳ କାରଣ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ବୋଲି ବୈଜ୍ଞାନିକମାନେ ଆଗରୁ ସତର୍କ କରାଇସାରିଛନ୍ତି । ଏଥିସହିତ ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ଜଳର ଉତ୍ତାପ ବଢ଼ିବା ଫଳରେ ପୃଥିବୀର ଉଜ୍ଜ୍ୱଳତା ହ୍ରାସ ପାଉଛି । ୨୦ବର୍ଷ ପୂର୍ବେ ପୃଥିବୀ ପ୍ରତି ବର୍ଗମିଟରରେ ଯେତିକି ଆଲୋକ ପ୍ରତିଫଳନ କରୁଥିଲା ଏବେ ତାଠାରୁ ଅଧା ୱାଟ୍ କମ୍ କରୁଛି ବୋଲି ‘ଜିଓ ଫିଜିକାଲ ରିସର୍ଚ୍ଚ ଲେଟର୍ସ’ ନାମକ ପତ୍ରିକାରେ ପ୍ରକାଶ ପାଇଛି । ପ୍ରାୟ ଦୁଇ ଦଶନ୍ଧି ହେଲା ପୃଥିବୀର ପ୍ରତିଫଳନ କ୍ଷମତା ହ୍ରାସ ପାଇବାରେ ଲାଗିଛି । ଯାହା ଆଗକୁ ବଡ଼ ବିପଦର ସଙ୍କେତ ଦେଉଛି । ତେଣୁ ଗ୍ଲାସ୍ଗୋଠାରେ ଅନୁଷ୍ଠିତ ସମ୍ମିଳନୀରେ ପ୍ରତ୍ୟେକ ଦେଶ ଜଳବାୟୁ ପରିବର୍ତ୍ତନ ଉପରେ ଧ୍ୟାନ ଦେଇ ସବୁଜ ଘରର ପ୍ରଭାବ ହ୍ରାସ ପାଇଁ ଉଦ୍ୟମ କରିବା ଉଚିତ ।

Leave A Reply

Your email address will not be published.