ଅନୁକମ୍ପାମୂଳକ ନିଯୁକ୍ତି ଅଧିକାର ନୁହେଁ : ସୁପ୍ରିମ୍କୋର୍ଟ

0 81

ନୂଆଦିଲ୍ଲୀ : ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଅନୁକମ୍ପାମୂଳକ ନିଯୁକ୍ତି ଦୟା ମନୋଭାବ ଯୋଗୁ କରାଯାଇଥାଏ । ହଠାତ୍ ସଂକଟ ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥାଏ । ମାତ୍ର ଏହା ଅଧିକାର ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ଆଜି କହିଛନ୍ତି । ସମ୍ବିଧାନର ଧାରା ୧୪ ଏବଂ ୧୬ ଅନୁଯାୟୀ ସମଗ୍ର ସରକାରୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ପ୍ରାର୍ଥୀଙ୍କୁ ସମାନ ସୁଯୋଗ କରାଯିବା ଉଚିତ । କିନ୍ତୁ ଏହା ମାନଦଣ୍ଡ ଅନୁସାରେ କରାଯିବା ଆବଶ୍ୟକ । ବିଚାରପତି ଏମ.ଆର.ଶାହା ଏବଂ ଆର.ବୋପାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଦୟା ମନୋଭାବ କାରଣରୁ ରୋଜଗାର ଯୋଗାଇବାର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ରୋଜଗାର କରୁଥିବା ବ୍ୟକ୍ତିଙ୍କ ହଠାତ୍ ମୃତ୍ୟୁ କ୍ଷେତ୍ରରେ ସେହି ପରିବାରକୁ ତତ୍କ୍ଷଣାତ୍ ସଂକଟରୁ ସୁରକ୍ଷା ଦେବା । ଏହାର ଉଦ୍ଦେଶ୍ୟ ନୁହେଁ ଯେ, ପରିବାରକୁ ସହାୟତା ନାମରେ ମୃତକଙ୍କ ପଦବୀଠାରୁ କମ୍ ପଦବୀରେ ନିଯୁକ୍ତି ଦେବା । ଚତୁର୍ଥ ଶ୍ରେଣୀର ଜଣେ କର୍ମଚାରୀଙ୍କ ବିଧବାଙ୍କୁ ତୃତୀୟ ଶ୍ରେଣୀରେ ନିଯୁକ୍ତ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଖଣ୍ଡପୀଠ ଖାରଜ କରି ୟୁପି ସରକାରଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ତେବେ ଶୀର୍ଷ କୋର୍ଟ କହିଛନ୍ତି ଯେ, ଅନୁକମ୍ପାମୂଳକ ନିଯୁକ୍ତିରେ ଶିକ୍ଷାଗତ ଯୋଗ୍ୟତାକୁ ମଧ୍ୟ ବିଚାର ପରିସରଭୁକ୍ତ କରାଯିବା ଆବଶ୍ୟକ ।

Leave A Reply

Your email address will not be published.