ଜମି ବିକ୍ରୀ ଆଳରେ ଲକ୍ଷାଧିକ ଟଙ୍କା ଠକେଇ, ଠକ ଯୁବକ ବିରୁଦ୍ଧରେ ସଵରେଜେଷ୍ଟ୍ରୀ ଅଫିସ ଓ ଥାନାରେ ଅଭିଯୋଗ

0 66

ମାହାଙ୍ଗା : ସମ୍ପତ୍ତି ବିକ୍ରୀ ଉଦ୍ୟମକୁ ନେଇ ଆଜି ମାହାଙ୍ଗା ଥାନା ଅଂଚଳରେ ଏକ ବଡ଼ ଧରଣର ଚଂଚକତା ପଦାକୁ ଆସିଛି। ବେଆଇନି ସମ୍ପତ୍ତି ବିକ୍ରୀ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ଘର ମାହାଙ୍ଗା ଥାନା କୁହୁଣ୍ଡା ପଞ୍ଚାୟତ ଶଂଖପୁର ଗାଁରେ ବୋଲି ଅଭିଯୋଗ ହୋଇଛି । ଠକ ଯୁବକ ପୈତୃକ ଗାଁ’ ଛାଡି ସ୍ଥାୟୀ ଭାବେ ରହନ୍ତି ଦିଲ୍ଲୀରେ । ମାହାଙ୍ଗା ତହସିଲ ଅଧିନ ବନଗୁରିଆ ମୌଜାର ଖାତା ନମ୍ବର -୧୧୬, ପ୍ଲଟ ନମ୍ବର -୩୪୬ ରେ ଥିବା ଏଗାର(୧୧) ଡ଼ିସିମିଲ ସମ୍ପତ୍ତି ଉପରେ ଜିତେନ୍ଦ୍ର ପଣ୍ଡା ଓ ରବୀନ୍ଦ୍ର ପଣ୍ଡା, ପିତା ସ୍ବର୍ଗତ ଗୋଲଖ ପଣ୍ଡାଙ୍କ ଏକ ପୁରୁଣା ଛାତ ଘର ରହିଛି । ଉପରୋକ୍ତ ସମ୍ପତ୍ତିକୁ ବିକ୍ରୀ କରିବା ପାଇଁ ଜିତେନ୍ଦ୍ର ହୋଟେଲ ମିଡ଼ିଷ୍ଟିରେ ପହଂଚି ତା’ଙ୍କ ମାମୁଁ ବନ ପ୍ରସାଦ ଦାଶଙ୍କ ମାଧ୍ୟମରେ କୁହୁଣ୍ଡା ଗ୍ରାମର ଶିବ ପ୍ରସାଦ ବେହେରାଙ୍କ ଠାରୁ କୁଆଡେ ୩ ଲକ୍ଷଟଙ୍କା ଅଗ୍ରିମ ନେଇଥିଲେ । ସେହିପରି ମୂଳବସନ୍ତ ପଞ୍ଚାୟତ ଉତ୍ତରସାହି ମୌଜାର ହରିଶ୍ଚନ୍ଦ୍ର ସିଂଙ୍କ ଠାରୁ ମଧ୍ୟ ଏଗ୍ରିମେଣ୍ଟ ପେପରରେ ଚୁକ୍ତି କରି ଜିତେନ୍ଦ୍ର ଏକ ଲକ୍ଷ ତିରିଶି ହଜାର ଓ ପରବର୍ତ୍ତୀ ସମୟରେ ଆହୁରି ଲକ୍ଷାଧିକ ଟଙ୍କା ନେଇଥିଲେ । ଏହି ୨ ଜଣଙ୍କ ବ୍ୟତୀତ କୁହୁଣ୍ଡା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ଅନୁରୂପ ଭାବେ ଜମି ବିକ୍ରୀ ଆଳରେ ଟଙ୍କା ନେବା ସାଙ୍ଘାତିକ ଅଭିଯୋଗ ହୋଇଛି ।

ଆଜି ଅତି ଚତୁରତାର ସହ ଦିଲ୍ଲୀରୁ ଆସି ମାହାଙ୍ଗା ସବ- ରେଜେଷ୍ଟ୍ରି କାର୍ଯ୍ୟାଳୟରେ ଖାତା ଆସାମୀ ଅଜଣା ଲୋକକୁ ଉପରୋକ୍ତ ଜମି ଓ ଘର ବିକ୍ରୀ ପାଇଁ ଯୋଜନା ଚଳାଇଥିଲେ । ଏହି ବେଆଇନି ସମ୍ପତ୍ତି ହସ୍ତାନ୍ତର ଉଦ୍ୟମ କରୁଥିବା ଜିତେନ୍ଦ୍ର ଏବଂ ତାଙ୍କ ଭାଇଙ୍କ କଳା କାର୍ନାମା ପଦାରେ ପଡିଯାଇଛି । ଠକାମିର ଶୀକାର ବ୍ୟକ୍ତିମାନେ ସବ-ରେଜେଷ୍ଟ୍ରି ଅଫିସ ମାହାଙ୍ଗାରେ ପହଂଚି ଲିଖିତ ଅଭିଯୋଗ କରିବାରୁ, ଏହି ଜମି ବିକ୍ରି ହୋଇପାରିନାହିଁ । ଏହି ଠକେଇ ବାବଦରେ ସ୍ଥାନୀୟ ସବରେଜିଷ୍ଟାରଙ୍କୁ ଅବଗତ କରାଯିବା ପରେ ଆଇନିଗତ ତର୍ଜମା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ । ଠକେଇର ଶୀକାର ଲୋକମାନେ ଏ ନେଇ ମାହାଙ୍ଗା ଥାନାରେ ଜିତେନ୍ଦ୍ର ପଣ୍ଡାଙ୍କ ବିରୁଦ୍ଧରେ ଏତଲା ଦେବା ସୂଚନା ମିଳିଛି । ଏହି ଜମି ଠକେଇ ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଓ ଏହି ଠକ ଯୁବକକୁ ତୁରନ୍ତ ଗିରଫ କରାଯିବା ସହ ତାଙ୍କୁ କେଉଁମାନେ ସହଯୋଗ କରୁଛନ୍ତି ସେସବୁର ପର୍ଦ୍ଦାଫାସ ପାଇଁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.