ନୋବେଲ ଶାନ୍ତି ପୁରସ୍କାର ପାଇବେ ୨ ସାମ୍ବାଦିକ

0 86

ନୂଆଦିଲ୍ଲୀ : ଫିଲିପାଇନ୍ସର ସାମ୍ବାଦିକା ମାରିଆ ରେସା ଏବଂ ଋଷର ସାମ୍ବାଦିକ ଦିମିତ୍ରି ମୁରାଟୋବଙ୍କୁ ଆଜି ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ନରୱେ ନୋବେଲ କମିଟିର ସଭାପତି ବେରିଟ୍ ରିସ୍-ଆଣ୍ଡର୍ସେନ୍ କହିଛନ୍ତି ଯେ, ବାକ୍ ସ୍ୱାଧୀନତାରକୁ ସୁରକ୍ଷା ଦେବାକୁ ଦୁହେଁ ଫିଲିପାଇନ୍ସ ଏବଂ ଋଷ ରେ କରିଥିବା ପ୍ରୟାସ ପାଇଁ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି ।

ବେରିଟ୍ ରିସ୍-ଆଣ୍ଡର୍ସେନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ର ଏବଂ ଗଣମାଧ୍ୟମର ସ୍ୱାଧୀନତା ଦିନକୁ ଦିନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ମାରିଆ ରେସା ଏବଂ ଦିମିତ୍ରି ମୁରାଟୋବ ବାକ୍ ସ୍ୱାଧୀନତାକୁ ସୁରକ୍ଷା ଦେଉଥିବା ସାମ୍ବାଦିକଙ୍କ ପ୍ରତିନିଧୀ ପାଲଟିଛନ୍ତି । ୨୦୧୨ରୁ ରେସା ଅନୁସନ୍ଧାନକାରୀ ସାମ୍ବାଦିକତା ପାଇଁ ଏକ ଡିଜିଟାଲ୍ ମିଡିଆ କମ୍ପାନି ରାପ୍ଲରର ସହ-ପ୍ରତିଷ୍ଠାତା ଭାବେ କାମ ଆରମ୍ଭ କରିଥିଲେ, ଯାହାକି ସେ ଏପର୍ଯ୍ୟନ୍ତ ଜାରି ରଖିଛନ୍ତି । ନିଜ ଡିଜିଟାଲ ମିଡିଆ କମ୍ପାନି ଦ୍ୱାରା ସେ ଅନେକ ଅପରାଧର ଅନୁସନ୍ଧାନ କରିଛନ୍ତି ।

ସେହି ଭଳି ମୁରାଟୋବ ୧୯୯୩ ରେ, ନୋଭାୟା ଗଜେତା ନାମକ ଖବରକାଗଜର ପ୍ରତିଷ୍ଠା କରିଥିଲେ । ନିଜ ଖବରକାଗଜ ଜରିଆରେ ସେ ବାକ୍ ସ୍ୱାଧୀନତାକୁ ସୁରକ୍ଷା ଦେଇଥିବା ସହ ୧୯୯୫ମସିହାରୁ ଏହାର ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଆସୁଛନ୍ତି ।

ମୋଟ ୩୨୯ଜଣଙ୍କ ମଧ୍ୟରୁ ମାରିଆ ରେସା ଏବଂ ଦିମିତ୍ରି ମୁରାଟୋବ ନୋବେଲ ଶାନ୍ତି ପୁରସ୍କାର ୨୦୨୧ପାଇଁ ମନୋନୀତ ହୋଇଛନ୍ତି । ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ୧.୧ ମିଲିୟନ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯିବ ।

Leave A Reply

Your email address will not be published.