ଆଜିଠୁ ଟ୍ୱିନ୍ସିଟିରେ ପାର୍ବଣ କର୍ଫ୍ୟୁ

0 50

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ସୋମବାରଠାରୁ ଲାଗୁ ହେବ ପାର୍ବଣ କଟକଣା । ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ୧୦ ଦିନ ପାଇଁ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ ନିଷେଧାଦେଶ ଜାରି ହେବ । ପାର୍ବଣ ଭିଡ଼କୁ ହ୍ରାସ କରିବା ପାଇଁ ଏହି ଦୁଇ ସହରେର ରାତି ୮ଟାରୁ ସବୁ ଦୋକାନ ବଜାର ବନ୍ଦ ରହିବ । ଗତ ଦୁଇ ମାସ ଭିତରେ ସଂକ୍ରମଣ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ବହୁ ପରିମାଣରେ କମିଥିଲେ ବି ଏହି ଦୁଇ ସହରରେ ନିୟନ୍ତ୍ରଣ ବାହାରେ ରହିଛି । ବିଶେଷକରି ଖୋର୍ଦ୍ଧାରେ ରାଜ୍ୟର ଅର୍ଦ୍ଧାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପକ୍ଷରେ ପାର୍ବଣ ଭିଡ଼କୁ ରୋକିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଏନେଇ ମାର୍ଗଦର୍ଶିକା ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରିବାକୁ ଆରକ୍ଷୀ ବିଭାଗ କାର୍ଯ୍ୟାନୁଷ୍ଠାନ ଭୂମିକାକୁ ଓହ୍ଲାଇଛି । ପ୍ରଥମ ଭୁଲରେ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଉପରେ ଜୋରିମାନା ଲାଗୁ କରାଯିବାକୁ ସ୍ଥିର ହୋଇଛି । ଏପରିକି ଅଧିକ ଅମାନିଆ ହେଲେ ଗିରଫ ମଧ୍ୟ କରାଯିବ ବୋଲି ଦ୍ୱୈତନଗରୀ ଆରକ୍ଷୀ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ଯେ, ରାତି ୮ଟା ପରେ କଟକ-ଭୁବନେଶ୍ୱରରେ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ । ନିୟମ ଖିଲାପ କଲେ ଅମାନିଆ ଦଣ୍ଡ ଭୋଗିବେ । ଏଥିସହ ଦାଦାବଟିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯେ କେହି ଦାଦାବଟି ଆଦାୟ କରୁଥିବାର ନଜର ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିପରି ଦୁର୍ଗାପୂଜା ବେଳେ ସର୍ତକ ରହିବା ସହ ନିୟମ ପାଳନ କରିବାକୁ ଲୋକଙ୍କୁ ସେ ନିବେଦନ କରିଛନ୍ତି । ପାର୍ବଣ ବେଳେ କମିଶନରେଟ୍ ପୁଲିସ୍ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଓ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବ । କଟକ-ଭୁବନେଶ୍ୱରରେ ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁଲିସ୍ ଆୟୁକ୍ତ କୋଭିଡ୍ ନିୟମ ଅନୁଯାୟୀ ମଣ୍ଡପରେ ପୂଜା ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଗଣମାଧ୍ୟମ ଜରିଆରେ ଦ୍ୱୈତନଗରୀବାସୀଙ୍କୁ ରାଜ୍ୟ ସରକାରଙ୍କ କଟକଣା ମାନିବାକୁ ଅନୁରୋଧ କରିଛନ୍ତି । ପୂଜା ମଣ୍ଡପଗୁଡ଼ିକରେ ରାଜ୍ୟ ସରକାରଙ୍କ କଟକଣା ଅନୁସାରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ରୀତିନୀତିରେ ହେବ । କିନ୍ତୁ ମଣ୍ଡପରେ ଆୟୋଜକଙ୍କ ସହ ୭ ଜଣରୁ ଅଧିକ ରହିପାରିବେ ନାହିଁ ।

ଏହାବ୍ୟତୀତ ମଣ୍ଡପର ଚାରିପଟ କପଡ଼ାରେ ଆବଦ୍ଧ କରାଯିବ । ମଣ୍ଡପ ବାହାରେ ଆଲୋକମାଳାର ସାଜସଜ୍ଜା ହେବନାହିଁ କି ଡାକବାଜି ଯନ୍ତ୍ର ଲାଗିବ ନାହିଁ । ପ୍ରତ୍ୟେକ ମଣ୍ଡପରେ ପୋଲିସ ମୁତୟନ ହେବେ । ମଣ୍ଡପରେ କୌଣସି ବଡ଼ଧରଣର ପ୍ରସାଦସେବନର ବ୍ୟବସ୍ଥା ହେବନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ରହିଛି । ପାର୍ବଣର ପରିବେଶ ଏବେ ବାଜରଘାଟରେ ଦେଖିବାକୁ ମିଳିଲାଣି । ଭିଡ଼ ପରିଲକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ବଜାର ଘାଟରେ ତୁଣ୍ଡି ଏବଂ ସାମାଜିକ ଦୂରତା ପାଳନ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି । ସ୍ୱତନ୍ତ୍ର ଭାବେ ନଜର ରଖିବା ଲାଗି ଦଳ ଗଠନ କରାଯାଇଛି । ସେମାନେ ଯେଉଁଠାରେ ନିୟମ ଉଲ୍ଲଘଂନ ହେଉଥିବ ସେଠାରେ ଜୋରିମାନା କରିବେ । ଅନେକ ଅମାନିଆ ଅଛନ୍ତି ସେମାନଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେ କହିଛନ୍ତି । ସାନ୍ଧ୍ୟ ଆଇନକୁ ପୂର୍ବରୁ ଜନସାଧାରଣ ଯେଉଁ ପ୍ରକାର ପାଳନ କରିଥିଲେ ସେହିପରି ଏଥର ପାଳନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଶ୍ରୀ ପ୍ରିୟଦର୍ଶୀ ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.