ଅନ୍ତର୍ଦୃଷ୍ଟି : ଯେମିତି ଦୃଷ୍ଟି

69

ପ୍ରାବନ୍ଧିକ ମୋହନ ଚରଣ ବିଷିଙ୍କ ପ୍ରବନ୍ଧ ସଂକଳନ ଯେମିତି ଦୃଷ୍ଟିର ଆତ୍ମପ୍ରକାଶ ଆମ ସମସ୍ତଙ୍କ ପାଇଁ ଖୁସି ଓ ସଫଳତାର ଖବର । ପ୍ରବନ୍ଧ ଭଳି ଏକ ଗଭୀର ଗହନ ଓ ଚିନ୍ତନଶୀଳ ବିଭାଗରେ ଲେଖନୀ ଚାଳନା କରିବା ନିଶ୍ଚୟ ଏକ ଆତ୍ମଶକ୍ତିର ବିଷୟ । ପ୍ରବନ୍ଧ ଗୁଡିକ ଅବଶ୍ୟ ବିଭିତ୍ତ ସମୟରେ ବିଭିନ୍ନ ଓଡିଆ ଖବରକାଗଜ ମାନଙ୍କରେ ପ୍ରକାଶିତ ହୋଇ ଆମକୁ ପଢିବାର ସୁଯୋଗ ଦେବା ସହ ମୋହନ ଚରଣ ବିଷିଙ୍କ ପ୍ରତି ଆନ୍ତରିକ ଆସ୍ଥା ସୃଷ୍ଟି କରିଚାଲିଛି । ସେହି ସବୁ ପ୍ରବନ୍ଧର ଏକତ୍ର କରି ପୁସ୍ତକର ରୂପ ହେଉଛି ଯେମିତି ଦୃଷ୍ଟି । ପୁସ୍ତକରେ ସମୁଦାୟ ୩୬ ଗୋଟି ପ୍ରବନ୍ଧ ରହିଛି । କଳେବର ଦୃଷ୍ଟିରୁ ଛୋଟ ଛୋଟ ହେଲେ ମଧ୍ୟ ପ୍ରବନ୍ଧ ଗୁଡିକ ସ୍ୱୟଂସଂପୂର୍ଣ୍ଣ ନିଶ୍ଚୟ । ଉଭୟ ବସ୍ତୁନିଷ୍ଠ ବା ତନ୍ମୟ ଓ ବ୍ୟକ୍ତିନିଷ୍ଠ ବା ମନ୍ମୟ ପ୍ରବନ୍ଧ ରହିଛି ସଂକଳନରେ । ତେବେ ସମଗ୍ର ସଂକଳନରେ ବିଷୟାତ୍ମକ ପ୍ରବନ୍ଧ, ଚିନ୍ତାତ୍ମକ ପ୍ରବନ୍ଧ, ବର୍ଣ୍ଣନାତ୍ମକ ପ୍ରବନ୍ଧ, ଐତିହାସିକ ପ୍ରବନ୍ଧ, ରାଜନୀତିକ ପ୍ରବନ୍ଧ, ତାତ୍ତ୍ୱିକ ପ୍ରବନ୍ଧ, ବିଶେଷଣାତ୍ମକ ପ୍ରବନ୍ଧ, ତଥ୍ୟ ମୂଳକ ପ୍ରବନ୍ଧ, ଜୀବନ ଧର୍ମୀ ପ୍ରବନ୍ଧ,ସମ୍ବାଦଧର୍ମୀ ପ୍ରବନ୍ଧ, ସାହିତ୍ୟଧର୍ମୀ ପ୍ରବନ୍ଧ ଓ ଘଟଣା ଧର୍ମୀ ପ୍ରବନ୍ଧ ଗୁଡିକ ପଢିବାକୁ ମିଳେ । ଏମିତି ଅନେକ ପ୍ରବନ୍ଧ ରହିଛି ଯାହା ନିର୍ଦ୍ଧିଷ୍ଟ ଭାବେ ପାଳିତ ଦିବସ ପରିପ୍ରେକ୍ଷୀରେ ମଧ୍ୟ ରଚିତ । ଜାତୀୟ ଯୁବ ଦିବସ ପରିପ୍ରେକ୍ଷୀରେ ପ୍ରଥମ ପ୍ରବନ୍ଧ ଯୁବଶକ୍ତି ରାଷ୍ଟ୍ରଶକ୍ତି ଏବଂ ନେତାଜୀ ଜୟନ୍ତୀ ଅବସରରେ ମୁକ୍ତି ସଂଗ୍ରାମର ମହାନାୟକ ନେତାଜୀ ଇତ୍ୟାଦି ।

ବିଦ୍ୟାର୍ଥୀର ସଂସାର, ଏତେବେଳେ ଦିଅ ଦରଶନ, କୁଳାଚାର ଓ କରୋନା, କରୋନା କାୟା ମଣିଷର ଛାୟା ଆଦି ପ୍ରବନ୍ଧରେ ଅନଲାଇନ ପାଠପଢା, କରୋନାର ଭୟାବହତାକୁ ନେଇ ଆକୁଳ ପ୍ରାର୍ଥନା, କରୋନାରୁ ସୁରକ୍ଷା ପାଇଁ ପାରଂପରିକ କୂଳାଚାର ପ୍ରତି ସଚେତନ ହେବାକୁ ଆହ୍ୱାନର ପ୍ରସଙ୍ଗ ସବୁ ରହିଛି । ଜଇଆ ପଛେ ଜୀବନ ଦେଲା, ମିଶୁ ମୋର ଦେହ ଏ ଦେଶ ମାଟିରେ, ଯିଏ ମୋର ନିନ୍ଦାକାରୀ ସିଏ ମୋର ପରମ ବଂନ୍ଧୁ ପ୍ରବନ୍ଧ ମାନଙ୍କରେ ପୁରୁଷାର୍ଥ ଲାଭ କରିଥିବା ମହାନ ବ୍ୟକ୍ତିତ୍ୱ ମାନଙ୍କ ଜୀବନ ଗାଥାର କଥା କୁହାଯାଇଛି । ଭାଗବତ ଓଡିଆ ଜନଜୀବନର ଅନ୍ୟସ୍ୱର, ମାଣବସାରେ ନାରୀବାଦ, ରାମନାମ ସୁଖଦାୟୀ ପ୍ରବନ୍ଧରେ ସାହିତ୍ୟିକ ଓ ପୌରାଣିକ ବିଷୟରେ ବର୍ଣ୍ଣନା କରିଥିବାବେଳେ ପ୍ରକୃତି ଉପାସନା ନୂଆଖାଇ ପ୍ରବନ୍ଧରେ ସଂସ୍କୃତିର ରୂପବିନ୍ୟାସ କରାଯାଇଛି । ଦାନ ଦାନା ଦାଦନ, ବିଦ୍ୟାର୍ଥୀର ସଂସାର, ଜୀବନର ଉତ୍ତରାୟଣ, ଶିରସ୍ତ୍ରାଣକୁ କର ମୁଣ୍ଡ ମୁକୁଟ, କୃଷକର କଷଣ, ବିବାହ ବୟସ କେବେ, ସ୍ୱାକ୍ଷର ସାକ୍ଷର ନିରକ୍ଷର, ଜାତୀୟ ଶିକ୍ଷାନୀତି ଆଦି ପ୍ରବନ୍ଧ ସମ୍ବାଦ ଓ ତଥ୍ୟ ଧର୍ମୀ ହୋଇଥିବାବେଳେ ଇନ୍ଦ୍ରାବତୀ କଳାହାଣ୍ଡିର ବିକାଶ ଗଂଗା ଏକ ତଥ୍ୟପୂର୍ଣ୍ଣ ସମସାମୟିକ ବାସ୍ତବତା ଓ ଭବିଷ୍ୟତର ସ୍ୱପ୍ନ ଚର୍ଚ୍ଚା କରେ ।

ଇତିହାସ ଓ କିମ୍ବଦନ୍ତୀରେ ଗୁଡହାଣ୍ଡି ଡୋକରୀ ଚଂଚରା ଏକ ଗବେଷଣାତ୍ମକ ତଥ୍ୟ ସଂବଳିତ ପ୍ରବନ୍ଧ । ପ୍ରାବନ୍ଧିକ ବିଷିଙ୍କର ଏଭଳି ଅନେକ ମନ୍ମୟ ପ୍ରବନ୍ଧ ଗୁଡିକ ସହିତ ଏତେବେଳେ ଦିଅ ଦରଶନ, ସେବା ପରମ ଧର୍ମ, ଏକ ଯୁକ୍ତ ଏକ ସମାନ ଏକ, ବାର୍ଦ୍ଧକ୍ୟର ପ୍ରଜ୍ଞା, ଅବ୍ୟକ୍ତ ହୃଦୟର ଭାଷା, ମାତୃଶକ୍ତି ଯୁଗେ ଯୁଗେ, ସତ୍ୟ ଭୀମ ମଣି,କାଶତଣ୍ଡି ହସୁଛି, ସୁଖ କେଉଁଠି ଥାଏ ଏବଂ ଶୀର୍ଷକ ପ୍ରବନ୍ଧ ଯେମିତି ଦୃଷ୍ଟି ହେଉଛି ସଂକଳନର ଏକ ଏକ ସମର୍ଥ ବସ୍ତୁନିଷ୍ଠ ବା ତନ୍ମୟ ପ୍ରବନ୍ଧ । ଏହି ପ୍ରବନ୍ଧ ଗୁଡିକରେ ପ୍ରାବନ୍ଧିକ ଏକ ଏକ ନିର୍ଦ୍ଦିଷ୍ଟ ତ, ବିଚାର, ଅବଧାରଣା ଏବଂ ବିଷୟକୁ ତନ୍ମୟ ଭାବେ ଆଲୋଚନା କରିଛନ୍ତି । ପ୍ରାବନ୍ଧିକଙ୍କ ଶଦ୍ଦ ବିନ୍ୟାସ ଏତେ ସରଳ ଓ ଭାବଦ୍ୟୋତକ ଯେ ଏହି ପ୍ରବନ୍ଧ ଗୁଡିକ ବେଳେବେଳେ ଲଘୁ ପ୍ରବନ୍ଧ ଭଳି ମନେହୁଏ । ଶୈଳୀ ବା କୌଶଳ ଖୁବ ସରଳ କିନ୍ତୁ ବିଷୟ ଖୁବ ଶାଣିତ, ଗମ୍ଭୀର ଓ ଚିନ୍ତାଶୀଳ । କେତୋଟି ଉଦାହରଣ ନିଆଯାଇପାରେ ।

ପ୍ରବନ୍ଧ ସୁଖ କେଉଁଠି ଥାଏ । ସେଦିନ ଶ୍ରୀମତୀ ବିଛଣା ବିଛେଇବା ସମୟରେ ପଚାରିଲେ କେବେ ଆମେ ସ୍ମୁଥ ଲାଇଫ ବଂଚିବା । କଣ ହେଲା ଯେ । ସବୁବେଳେ ଏମିତି ମେଡିକାଲ ଯାଉଥିବ । ଯେତେବଡ ଧନୀମାନୀର ଜୀବନରେ ଦୁଃଖ ଅଛି । ଏମିତି ଏକ ନାଁ ଧର ଯିଏ ସୁଖରେ ଜୀବନ ଅତିବାହିତ କରୁଛି । ଉତ୍ତର ମିଳିଲାନି । ତମେ ଯେଉଁ ଦୁଃଖ ବୋଲି ଭାବୁଛ ଏହି ଦୁଃଖ ଭିତରେ ଦେଇ ସୁଖର ଅନୁସନ୍ଧାନ କରାଯାଏ । ମୋହନ ଚରଣ ବିଷିଙ୍କ ପ୍ରବନ୍ଧରେ ଲେଖନୀ ଶୈଳୀର ସ୍ୱତନ୍ତ୍ରତା ଦେଖିବାକୁ ମିଲିଥାଏ । ପ୍ରକୃତିର ଉପାସନା ନୂଆଖାଇ ପ୍ରବନ୍ଧର ଆରମ୍ଭ ଏହିପରି: ବାଛୁରୀ ଛୁଆ ଜନ୍ମର କିଛି ସମୟ ପରେ ଦୌଡିଥାଏ । ମା’ କ୍ଷୀର ଟାଣି ଖାଏ । ପକ୍ଷୀଛୁଆ କିଛିଦିନ ଭିତରେ ଉଡିବା ଶିଖେ । ନିଜ ଖାଦ୍ୟ ନିଜେ ସଂଗ୍ରହ କରେ । ମଣିଷ ବ୍ୟତୀତ ଅନ୍ୟ ସମସ୍ତ ଜୀବଜନ୍ତୁ ,କୀଟପତଙ୍ଗ, ଜଳଚର ଜନ୍ମଗ୍ରହଣ ପରେ ପରେ ନିଜ କାମ ନିଜେ କରିଥାନ୍ତି । ସଂକଳନର ପ୍ରାୟ ପ୍ରବନ୍ଧ ପ୍ରସଙ୍ଗ -ଭିତ୍ତିକ, ଘଟଣା- କୈନ୍ଦ୍ରିକ ଓ ସମସାମୟିକ ବାସ୍ତବତାର ଆଧାରରେ ତଥ୍ୟ ସମ୍ବଳିତ ସଚେତନତା ବାର୍ତ୍ତା ଦିଏ । ପ୍ରବନ୍ଧଗୁଡିକ ମାର୍ଜିତ ଏବଂ ପ୍ରବନ୍ଧ କଳାର ସମସ୍ତ ଦିଗରୁ ସଫଳ ମଧ୍ୟ ।ସୁତରାଂ, ପାଠକୀୟ ଆଦୃତି ରହିବା ସ୍ୱାଭାବିକ । ପୁସ୍ତକଟି ପଢିବା ଭଳି ଓ ସାଇତିକରି ରଖିବା ଭଳି ମଧ୍ୟ ହୋଇଛି । ପୁସ୍ତକର ସୁଦୃଶ୍ୟ କାଗଜ, ପରିପାଟୀ, ପ୍ରଚ୍ଛଦ ସବୁ ସୁନ୍ଦର । ସାମାଜିକ ଅଙ୍ଗୀକାର ସହିତ ନିଜ ଭିତରେ ଥିବା ସଚେତନ ମଣିଷର ଚିନ୍ତନଧର୍ମୀ ଭାବନା ହିଁ ପ୍ରବନ୍ଧ ସଂକଳନର ସଫଳତା ପଛରେ ଏକ ବଡ଼ କାରଣ ।

ସମୀକ୍ଷକ ଜଣେ ଗବେଷକ ଓ ନାଟ୍ୟକାର ଓ ଅଧ୍ୟାପକ ଏବଂ ଭବାନୀପାଟଣାରେ ରହନ୍ତି ।

Comments are closed.