ଇ-ଶ୍ରମ ପଞ୍ଜିକରଣ: ଓଡ଼ିଶା ଆଗରେ

65

ନୂଆଦିଲ୍ଲୀ : ମାତ୍ର ଦୁଇମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜିକରଣ କରିଛନ୍ତି । ସର୍ବାଧିକ ସଂଖ୍ୟକ ଶ୍ରମିକ ପଞ୍ଜିକରଣ କରିବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସର୍ବାଗ୍ରେ ରହିଛି । ସଦ୍ୟତମ ତଥ୍ୟ ଅନୁଯାୟୀ, ଏହି ପୋର୍ଟାଲରେ ଓଡ଼ିଶାର ୮୮ ଲକ୍ଷ ୩୫ ହଜାର ୫୭୨ ଜଣ ଶ୍ରମିକ ପଞ୍ଜିକରଣ କରିଛନ୍ତି । ଟୁଇଟ୍ ଯୋଗେ ଏହି ସୂଚନା ଦେଇ ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ଯେ, ଏହି
ପୋର୍ଟାଲରେ ପଞ୍ଜିକରଣ କରିବା ପରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସହଜରେ ସରକାରୀ ଯୋଜନାଗୁଡ଼ିକର ଲାଭ ପାଇପାରିବେ । ନିର୍ମାଣ, ବସ୍ତ୍ର ଉତ୍ପାଦନ, ମତ୍ସ୍ୟଚାଷ, ଗିଗ୍ ଓ ପ୍ଲାଟଫର୍ମ କାମ, ଉଠାଦୋକାନୀ, ଘରୋଇ କର୍ମଜୀବୀ, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର, ପରିବହନ କ୍ଷେତ୍ର ଆଦି ବିଭିନ୍ନ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି ।

ଏଥିମଧ୍ୟରୁ କେତେକ କ୍ଷେତ୍ରରେ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ନିୟୋଜିତ ଅଛନ୍ତି । ପ୍ରବାସୀ ଶ୍ରମିକଙ୍କ ସମେତ ଅସଂଗଠିତ କ୍ଷେତ୍ରର ସମସ୍ତ ଶ୍ରମିକ ଇଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବା ଜରିଆରେ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଏବଂ ନିଯୁକ୍ତି ଆଧାରିତ ଯୋଜନାର ଲାଭ ପାଇବାକୁ ସକ୍ଷମ ହେବେ । ସଦ୍ୟତମ ତଥ୍ୟ ଅନୁଯାୟୀ, ୪.୦୯ କୋଟି ଶ୍ରମିକ ଏହି ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି । ଏଥିମଧ୍ୟରୁ ୫୦.୦୨ ପ୍ରତିଶତ ହିତାଧିକାରୀ ମହିଳା ଏବଂ ୪୯.୯୮ ପ୍ରତିଶତ ହିତାଧିକାରୀ ପୁରୁଷ । ପ୍ରାୟତଃ ସମାନ ସଂଖ୍ୟକ ପୁରୁଷ ଏବଂ ମହିଳାମାନେ ଏହି ଅଭିଯାନର ଅଂଶବିଶେଷ ହେବା ବିଶେଷ ଉତ୍ସାହଜନକ । ଲିଙ୍ଗ ଅନୁପାତରେ ସାପ୍ତାହିକ ପଞ୍ଜିକରଣ ବୃଦ୍ଧି ପରିଲକ୍ଷିତ ହୋଇଛି । ପୁରୁଷ ଓ ମହିଳା ଶ୍ରମିକମାନେ ତୁଳନାତ୍ମକ ଭାବେ ପଞ୍ଜିକରଣ କରୁଛନ୍ତି, ଯାହାକି ନିମ୍ନ ଗ୍ରାଫରେ ପ୍ରଦର୍ଶିତ କରାଯାଇଛି । ସଦ୍ୟତମ ତଥ୍ୟ ଅନୁଯାୟୀ, ଏହି ପୋର୍ଟାଲରେ ଶ୍ରମିକ ପଞ୍ଜିକରଣ କରିବାରେ ଓଡ଼ିଶା ସବୁଠୁ ଆଗରେ ରହିଥିବା ବେଳେ ଏହାପଛକୁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ରହିଛନ୍ତି । ନିମ୍ନ ଗ୍ରାଫରେ ଏହାର ତଥ୍ୟ ପ୍ରଦାନ କରାଯାଇଛି । ତେବେ ଛୋଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକରେ ମଧ୍ୟ ଶ୍ରମିକ ପଞ୍ଜିକରଣ ସଂଖ୍ୟା ଉତ୍ସାହଜନକ ରହିଛି । କୃଷି ଏବଂ ନିର୍ମାଣ ଶ୍ରମିକ କ୍ଷେତ୍ରର ସର୍ବାଧିକ ସଂଖ୍ୟକ ଶ୍ରମିକ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି । ଭାରତରେ ଏହି ଦୁଇଟି କ୍ଷେତ୍ରରେ ସର୍ବାଧିକ ସଂଖ୍ୟକ ଲୋକମାନଙ୍କୁ ନିଯୁକ୍ତି ମିଳିଥାଏ ।

ଏହାଛଡ଼ା ଘରୋଇ ଏବଂ ପାରିବାରିକ ଶ୍ରମିକ, ବସ୍ତ୍ର ଉତ୍ପାଦନ କ୍ଷେତ୍ରର ଶ୍ରମିକ, ଅଟୋମୋବାଇଲ ଏବଂ ସାମଗ୍ରୀ ପରିବହନ ଶ୍ରମିକ, ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେର ଶ୍ରମିକ, କ୍ୟାପିଟାଲ ସାମଗ୍ରୀ, ଶିକ୍ଷା, ସ୍ୱାସ୍ଥ୍ୟ, ଖୁଚୁରା ବ୍ୟବସାୟ, ପର୍ଯ୍ୟଟନ ଓ ଆତିଥେୟ, ଖାଦ୍ୟ ଉଦ୍ୟୋଗ ଏବଂ ଅହୁରି ବିଭିନ୍ନ ପେସା ଏବଂ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି । ପଞ୍ଜିକରଣ କରିଥିବା ୬୫.୬୮ ପ୍ରତିଶତ ଶ୍ରମିକଙ୍କ ବୟସ ୧୬ରୁ ୪୦ ବର୍ଷ ମଧ୍ୟରେ ଏବଂ ୩୪.୩୨ ପ୍ରତିଶତ ଶ୍ରମିକଙ୍କ ବୟସ ୪୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ରହିଛି । ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ସାଧାରଣ ବର୍ଗରୁ ଯଥାକ୍ରମେ ୪୩ ଏବଂ ୨୭ ପ୍ରତିଶତ ଶ୍ରମିକ ପଞ୍ଜିକରଣ କରିଛନ୍ତି । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗରୁ ଯଥାକ୍ରମେ ୨୩ ଏବଂ ୭ ପ୍ରତିଶତ ଶ୍ରମିକ ପଞ୍ଜିକରଣ କରିଛନ୍ତି । ଉପରୋକ୍ତ ଗ୍ରାଫରେ ଦିଆଯାଇଥିବା ତଥ୍ୟରେ ଦର୍ଶାଯାଇଛି ଯେ ଜନସେବା କେନ୍ଦ୍ର (ସିଏସ୍ସି) ମାଧ୍ୟମରେ ଅଧିକ ସଂଖ୍ୟକ ଶ୍ରମିକ ପଞ୍ଜିକରଣ କରିଛନ୍ତି । କେରଳ, ଗୋଆ ଏବଂ କେତେକ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସମେତ ଦାଦ୍ରା ଓ ନଗର ହାଭେଳୀ, ଆଣ୍ଡାମାନ ଓ ନିକୋବାର ଏବଂ ଲଦାଖ ଭଳି କେନ୍ଦ୍ରଶାସିତ ପ୍ରଦେଶରେ ବହୁସଂଖ୍ୟକ ଶ୍ରମିକ ବ୍ୟକ୍ତିଗତ ଭାବେ ପଞ୍ଜିକରଣ କରିଥିବା ଦେଖାଯାଇଛି । ପ୍ରତି ସପ୍ତାହରେ ସିଏସସି ମାଧ୍ୟମରେ ଶ୍ରମିକ ପଞ୍ଜିକରଣ ବୃଦ୍ଧି ପାଉଛି । ଉଲ୍ଲେଖନୀୟ କଥା ହେଉଛି ଜନସେବା କେନ୍ଦ୍ର ଜରିଆରେ ସର୍ବାଧିକ ୭୭ ପ୍ରତିଶତ ଶ୍ରମିକ ପଞ୍ଜିକରଣ କରିଛନ୍ତି । କମ୍ ସୁବିଧା ଥିବା ଅଞ୍ଚଳରେ ଜନସେବା କେନ୍ଦ୍ରଗୁଡ଼ିକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଏଥିରୁ ପ୍ରମାଣିତ ହେଉଛି । ସେଥିପାଇଁ ଜନସେବା କେନ୍ଦ୍ରଗୁଡ଼ିକ ଜରିଆରେ ଶ୍ରମିକମାନେ ଅଧିକରୁ ଅଧିକ ସଂଖ୍ୟାରେ ଆସି ପଞ୍ଜିକରଣ କରିବା ଲାଗି ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି । ଏହାଦ୍ୱାରା ଉପାନ୍ତ ଅଞ୍ଚଳରେ ଥିବା ଶ୍ରମିକମାନେ ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନାର ଲାଭ ପାଇବାକୁ ସକ୍ଷମ ହେବେ ।

ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦର ଯାଦବ, ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ମନ୍ତ୍ରଣାଳୟ ସଚିବ ସୁନୀଲ ବର୍ଥୱାଲଙ୍କ ସମେତ କେନ୍ଦ୍ରୀୟ ଶ୍ରମ ଆୟୋଗ, ଏବଂ ଅନ୍ୟ ଆଞ୍ଚଳିକ କାର୍ଯ୍ୟାଳୟର ଶ୍ରମ ଆୟୋଗର ଆୟୁକ୍ତ ଓ ଅଧିକାରୀମାନେ ଅସଂଗଠିତ କ୍ଷେତ୍ରର ଶ୍ରମିକ ଓ ବିଭିନ୍ନ ଶ୍ରମିକ ସଂଗଠନର ନେତାମାନଙ୍କ ସହିତ ଆଲୋଚନା କରୁଛନ୍ତି । ସେମାନଙ୍କୁ ଅଧିକ ସଂଖ୍ୟାରେ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିବା ଲାଗି ନିବେଦନ କରୁଛନ୍ତି । ଇ-ଶ୍ରମ ମୋବାଇଲ ଆପ୍ଲିକେସନ କିମ୍ବା ୱେବସାଇଟ ମାଧ୍ୟମରେ ଶ୍ରମିକମାନେ ନିଜେ ଅନ୍ଲାଇନ୍ରେ ପଞ୍ଜିକରଣ କରିପାରିବେ । ସେମାନେ ମଧ୍ୟ ଜନସେବା କେନ୍ଦ୍ର, ରାଜ୍ୟ ସେବାକେନ୍ଦ୍ର, ଶ୍ରମ ସୁବିଧା କେନ୍ଦ୍ର, ନିର୍ଦ୍ଦିଷ୍ଟ ଡାକ ଘରେ ଥିବା ଡାକ ବିଭାଗର ଡିଜିଟାଲ ସେବା କେନ୍ଦ୍ରକୁ ଯାଇ ଏହି ପୋର୍ଟାଲରେ ନିଜର ପଞ୍ଜିକରଣ କରାଇପାରିବେ । ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ ପରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ଏକ ଡିଜିଟାଲ ଇ-ଶ୍ରମ କାର୍ଡ ପାଇବେ ଏବଂ ସେମାନେ ପୋର୍ଟାଲ କିମ୍ବା ମୋବାଇଲ ଆପ୍ ମାଧ୍ୟମରେ ସେମାନଙ୍କର ପ୍ରୋଫାଇଲ ଅପଡେଟ୍ କରିପାରିବେ । ସେମାନଙ୍କୁ ଇ-ଶ୍ରମ କାର୍ଡ ଉପରେ ଗୋଟିଏ ଏକକ ପରିଚୟ ସଂଖ୍ୟା ମିଳିବ । ସାରା ଦେଶରେ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇବା ପାଇଁ ଏହା ଗ୍ରହଣୀୟ ହେବୟ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଶ୍ରମିକ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ତାଙ୍କର ନିକଟ ସମ୍ପର୍କୀମାନେ ୨ ଲକ୍ଷ ଟଙ୍କାର ବୀମା ରାଶି ପାଇବେ । ଆଂଶିକ ଅକ୍ଷମତା କ୍ଷେତ୍ରରେ ଶ୍ରମିକମାନଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ମିଳିବ ।

Comments are closed.