ମହଙ୍ଗା: ଖାଉଟି କଲବଲ

67

-ହୁ ହୁ ହୋଇ ବଢ଼ିଚାଲିଛି ପରିବା ଦର
-ଟମାଟୋ କେଜି ୮୦, ଭେଣ୍ଡି, ଆଳୁ,ପିଆଜ ଦାମ ଆକାଶ ଛୁଆଁ

ନୂଆଦିଲ୍ଲୀ : ପରିବା ବଜାରରେ ମହଙ୍ଗା ମାଡ । ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପଡୁଛି । ରାଜଧାନୀ ଦିଲ୍ଲୀରୁ ଉତ୍ତରପ୍ରଦେଶ, ଓଡିଶାରୁ ବିହାର ସବୁଠି ପରିବା ଦର ଆକାଶ ଛୁଆଁ ହୋଇଯାଇଛି । ବିଭିନ୍ନ ପନିପରିବା ଦର ଅହେତୁକ ବୃଦ୍ଧି ପାଇଛି । ଯାହା ଫଳରେ ଖାଉଟି ହିଁ ହନ୍ତସନ୍ତ ହେଉଛନ୍ତି । ହୋଲସେଲ ବଜାରରୁ ରିଟେଲ ବଜାର ପର୍ଯ୍ୟନ୍ତ ପରିବା ଦର ବୃଦ୍ଧି ପାଇବାରେ ଲାଗିଛି । ପରିବା ମଧ୍ୟରେ ଟମାଟର ଉପରେ ସବୁଠାରୁ ଅଧିକ ମହଙ୍ଗା ମାଡ ଦେଖିବାକୁ ମିଳୁଛି । ପେଟ୍ରୋଲ ଏବଂ ଡିଜେଲ ଦର ଅହେତୁକ ବୃଦ୍ଧି ଫଳରେ ଦରଦାମ ଆକାଶ ଛୁଆଁ ହେବାରେ ଲାଗିଛି । ବିଭିନ୍ନ ରାଜ୍ୟର ହୋଲସେଲ ବଜାରରେ ପରିବା ଦର କିଲୋ ପିଛା ୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଟମାଟୋର ଯୋଗାଣ ଉପରେ ପ୍ରଭାବ ପଡୁଥିବାରୁ ଦରବୃଦ୍ଧି ଘଟୁଛି । ଯେଉଁ ପରିବା ଦର ହୋଲସେଲ ମାର୍କେଟରେ ୩୦/୩୫ ଟଙ୍କା ରହୁଛି ତାହା ରିଟେଲ ବଜାରରେ ୩୫/୪୦ ଟଙ୍କାରେ ବିକ୍ରି ହେଉଛି । କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ପ୍ରବଳବର୍ଷା କାରଣରୁ ପିଆଜ ଏବଂ ଟମାଟର ଚାଷ ଉପରେ ପ୍ରଭାବ ପଡିଛି । ଏହି ରାଜ୍ୟରୁ ଅନ୍ୟ ରାଜ୍ୟଗୁଡିକୁ ଯୋଗାଣ ପ୍ରଭାବିତ ହେବା କାରଣରୁ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଟମାଟର କେଜି ପିଛା ୮୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଉତ୍ତର ପ୍ରଦେଶ, ବିହାର, ଛତିଶଗଡ ଏବଂ ଓଡିଶା ସମେତ ଅନେକ ରାଜ୍ୟରେ ଦର ବୃଦ୍ଧିପାଇବାରେ ଲାଗିଛି । କେବଳ ଟମାଟର ନୁହେଁ ଭେଣ୍ଡି, ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ପରିବା ଦର ଅହେତୁକ ବୃଦ୍ଧି ପାଇଛି । ଧନିଆପତ୍ର ଦର ବି ଆକାଶ ଛୁଆଁ । ଯେଉଁଠି ପରିବା ଦୋକାନୀ ମାଗଣାରେ ଧଣିଆ ପତ୍ର ଦେଇଦେଉଥିଲେ ଏବେ ଏହାର ମୂଲ୍ୟ କିଲୋ ପିଛା ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ।

ଉତ୍ତରପ୍ରଦେଶରେ ଟମାଟର କେଜି ପିଛା ୫୦ରୁ ୬୦ ଟଙ୍କା ଥିବା ବେଳେ ଆଳୁ ୨୦ ଟଙ୍କା, ଧନିଆ ପତ୍ର କେଜି ୩୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଦେଶରେ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଫଳରେ ପରିବା ଯୋଗାଣ ପାଇଁ ଉଦ୍ଦିଷ୍ଟ ଗାଡି ଭଡା ମଧ୍ୟ ବୃଦ୍ଧି ପାଉଛି । ଯାହା ଫଳରେ ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡୁଛି । ଓଡିଶାରେ ମଧ୍ୟ ପରିବା ଦର ଆକାଶ ଛୁଆଁ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଦରବୃଦ୍ଧି ଘଟିବାରୁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମଧ୍ୟବିତ୍ତଙ୍କ ଉପରେ ପରିବାର ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ଭଳି ହୋଇପଡିଛି ।

Comments are closed.