ପାର୍ବଣ ପାଇଁ ବିଏମ୍ସିର ଗାଇଡ୍ଲାଇନ

70

ଭୁବନେଶ୍ୱର : ଅକ୍ଟୋବର ଓ ନଭେମ୍ବର ମାସର ପୂଜା ପାର୍ବଣ ନେଇ ଗାଇଡଲାଇନ ଜାରି କଲା ବିଏମ୍ସି । ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମସି ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି । କୋଭିଡ୍-୧୯କୁ ଦୃଷ୍ଟିରେ ରଖି ପୂଜା ହେବ । ବିଏମ୍ସି ଗାଇଡଲାଇନ୍ରେ କୁହାଯାଇଛି, ଆବଦ୍ଧ ମଣ୍ଡପରେ ବିନା ଦର୍ଶକରେ ମୂର୍ତ୍ତି ପୂଜା କରାଯିବ । ପୂଜା ମଣ୍ଡପରେ ଏକ ସମୟରେ ସର୍ବାଧିକ ୭ଜଣ ଉପସ୍ଥିତି ରହିବେ । ସେହିପରି ପେଣ୍ଡାଲରେ ପୂଜା ପାଇଁ ଅନୁମତି ନେବାକୁ ପଡିବ । ପୂଜା ସମୟରେ କୌଣସି ପ୍ରକାରର ଗହଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ମୂର୍ତି ପୂର୍ବପରି ୪ ଫୁଟ ଉଚ୍ଚତା ବିଶିଷ୍ଟ ହେବ । ପୂଜା ପେଣ୍ଡାଲର ତିନିପଟ ଯାକ ଆବଦ୍ଧ ରହିବ । ପୂଜା ପରେ କୌଣସି ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ । କୃତ୍ରିମ ପୋଖରୀରେ ହେବ ବିସର୍ଜନ ।

ସେହିପରି ପୂଜା ବେଶୀ ଆଡ଼ମ୍ବରପୂର୍ଣ୍ଣ ହେବ ନାହିଁ । କେବଳ ରୀତିନୀତି ପାଇଁ ପୂଜାର୍ଚ୍ଚନା ହେବ । ପୂଜା ମଣ୍ଡପରେ ଗୋଟିଏ ପଟ କେବଳ ପୂଜକଙ୍କ ରୀତିନୀତି ନିମନ୍ତେ ଖୋଲା ରହିବ । ମୂର୍ତ୍ତି ବିସର୍ଜନ ପାଇଁ ଆୟୋଜକମାନେ ଭସାଣୀ କରିପାରିବେ ନାହିଁ । ବିସର୍ଜନ ପାଇଁ ବିଏମ୍ସି ପକ୍ଷରୁ କୃତ୍ରିମ ପୋଖରୀ ସୃଷ୍ଟି କରାଯିବ । ବିସର୍ଜନ ବେଳେ ସର୍ବାଧିକ ୧୦ଜଣ ଲୋକଙ୍କୁ ଏକଜୁଟ୍ ହେବାକୁ ଅନୁମତି ଦିଆଯାଉଥିବାରୁ ମୂର୍ତ୍ତିର ଉଚ୍ଚତା ଓ ଓଜନକୁ ସୀମିତ ରଖିବାକୁ ବିଏମ୍ସି କମିଶନର ପରାମର୍ଶ ଦେଇଛନ୍ତି । ଏହାସହିତ ଯେଉଁମାନେ ବିସର୍ଜନରେ ସାମିଲ ହେବେ, ସେମାନେ କୋଭିଡ୍ ଟିକା ଦୁଇଡୋଜ୍ ନେଇଥିବା ପୂଜା କମିଟି ସୁନିଶ୍ଚିତ କରାଇବେ । ପୂଜା କମିଟି ଓ ଆୟୋଜକମାନେ ପୂଜାମଣ୍ଡପ ବା ପେଣ୍ଡାଲରେ କୋଭିଡ୍-୧୯ ନିୟମକୁ କଡ଼ାକଡ଼ି ପାଳନ କରିବେ । ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍ ନିୟମକୁ ପାଳନ କରିବା ସହ ପୋଲିସ କମିଶନରଙ୍କଠୁ ପୂଜା ମଣ୍ଡପ ନିମନ୍ତେ ଅନୁମତି ନେବେ । ପୂଜା କମିଟି ନିଜର ସମସ୍ତ ସଦସ୍ୟଙ୍କୁ କୋଭିଡ୍ ଟିକାର ସାର୍ଟିଫିକେଟ ପାଖରେ ସବୁବେଳେ ରଖିବା ଓ ଯାଞ୍ଚବେଳେ ଦେଖାଇବା ନିମନ୍ତେ ଅବଗତ କରାଇବେ ବୋଲି ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.