୧୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର !

67

ନୂଆଦିଲ୍ଲୀ/ଭୁବନେଶ୍ୱର : ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ୨୦୨୦ ଓ ୨୦୨୧ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ସୂଚନା ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ପାଇଁ ମନୋନିତ ବ୍ୟକ୍ତିମାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ । ପୁରସ୍କାର ବିତରଣର ଦିନକ ପୁର୍ବରୁ ପଦ୍ମ ପୁରସ୍କାର ପାଇଁ ମନୋନିତ ବ୍ୟକ୍ତିମାନେ ଦିଲ୍ଲୀର ଅଶୋକ ହୋଟେଲରେ ଅବସ୍ଥାନ କରିବେ । ସୂଚନା ମୁତାବକ, କରୋନା ମହାମାରୀ କାରଣରୁ ୨୦୨୦ ଓ ୨୦୨୧ର ପଦ୍ମ ପୁରସ୍କାର ବିତରଣ କରାଯାଇନଥିଲା । ୨୦୨୦ ପଦ୍ମ ପୁରସ୍କାର ବିତରଣ ପାଇଁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୬ ଓ ଏପ୍ରିଲ ୩ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ କରୋନା କାରଣରୁ ମାର୍ଚ୍ଚ ୧୪,୨୦୨୦ରେ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଥିଲା ।

ଏହାପରେ ଚଳିତବର୍ଷ ଜାନୁଆରି ୨୫ରେ ୨୦୨୧ର ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । ଏବେ ସଂକ୍ରମଣ କମ ହେବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ୨୦୨୦ ଓ ୨୦୨୧ର ପଦ୍ମ ପରୁସ୍କାର ବିତରଣ ପାଇଁ ନଭେମ୍ବର ୮ ଓ ୯ ତାରିଖକୁ ଧାର୍ଯ୍ୟ କରାଯାଇଛି । ଉଲ୍ଲେଖଯୋଗ୍ୟ, ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ ବ୍ୟକ୍ତିମାନଙ୍କ ନାମ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଇଥାଏ । ରାଷ୍ଟ୍ରପତି ଦୁଇଟି ପର୍ଯ୍ୟାୟରେ ମନୋନୀତ ବ୍ୟକ୍ତି ବିଶେଷମାନଙ୍କୁ ସମ୍ମାନିତ କରିଥାନ୍ତି । ୨୦୨୦ରେ ୧୦ ଜଣ ଓଡ଼ିଆ ତଥା ୨୦୨୧ରେ ୬ ଜଣ ଓଡ଼ିଆଙ୍କୁ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

Comments are closed.