ଖାଦ୍ୟ ସଂକଟରେ ଛଟପଟ ଆଫଗାନ

77

-୫୦ ହଜାର ମେଟ୍ରିକ୍ ଟନ୍ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ : ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଆଫଗାନ୍ ରେ ଏବେ ଘୋର ଖାଦ୍ୟାଭାବ ଦେଖାଦେଇଛି । ଲୋକଙ୍କମାନେ ଦୁଇବେଳା ପେଟ ପୂରାଇ ଖାଇବାକୁ ଆଉଟୁ ପାଉଟୁ ହେଉଛନ୍ତି । ମେଡିକାଲ ସୁବିଧା ମଧ୍ୟ ସେମାନଙ୍କୁ ମିଳିପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ପଡ଼ୋଶୀ ଆଫଗାନକୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଆଫଗାନ ସମସ୍ୟା କିଛି ପରିମାଣରେ
ଲାଘବ କରିବା ପାଇଁ ଭାରତ ସରକାର ୫୦ ହଜାର ମେଟ୍ରିକ ଟନ୍ର ଗହମ ଓ ମେଡିକାଲ ସାମଗ୍ରୀ କାବୁଲ ପଠାଇବ ବୋଲି ଯୋଜନା କରିଥିବା ଜଣାପଡ଼ିଛି ।

ତାଲିବାନ ଆଫଗାନକୁ ଦଖଲ କରିବା ଦିନଠାରୁ ଭାରତ ଅନ୍ତର୍ଜାତୀୟ ଫୋରମରେ କାବୁଲକୁ ମାନବୀୟ ସହାୟତା କରିବା ପାଇଁ ଦାବି କରିଆସୁଛି । ନିକଟରେ ଭାରତ ସରକାର ଜାତିସଂଘରେ ଆଫଗାନବାସୀଙ୍କ ଦୁଃଖଦୁର୍ଦ୍ଦଶା କଥା ସାରା ବିଶ୍ୱକୁ ଜଣାଇଥିଲେ । ଏଥିସହ ଯଥା ସମ୍ଭବ ଆଫଗାନକୁ ମେଡିକାଲ ଓ ଅନ୍ୟାନ୍ୟ ସହାୟତା ପଠାଇବାକୁ ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ଆଫଗାନକୁ ସହାୟତା କରିବାକୁ ଚିନ୍ତା କରୁଥିବା ବେଳେ ଭାରତ ନିଜ ଆଡ଼ୁ ଗହମ ଓ ମେଡିକାଲ ସାମଗ୍ରୀ ପଠାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ତେବେ ଏଗୁଡ଼ିକ କେମିତି କାବୁଲରେ ପହଞ୍ଚିବ, ତା’ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଭାରତ ଓ କାବୁଲ ମଧ୍ୟରେ ଏବେ ସିଧାସଳଖ ବିମାନ ସେବା ବନ୍ଦ ରହିଛି । ଏପରି ସ୍ଥିତିରେ ତାଲିବାନ ସହ କଥା ହେବା ପରେ ହିଁ ଭାରତ ପକ୍ଷରୁ ସହାୟତା ପଠା ଯାଇପାରିବ । ଗତ ମାସରେ ମଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ କୁହାଯାଇଥିଲା ଯେ ଆଫଗାନକୁ ଗହମ ପଠାଇବାକୁ
ଭାରତ ସହ ଯୋଗାଯୋଗ ଚାଲିଛି ।

ଏବେ ଭାରତ ୫୦ ହଜାର ମେଟ୍ରିନ ଟନ୍ ଗହମ ଆଫଗାନକୁ ପଠାଇବାକୁ ଯୋଜନା କରିଛି । ଏହା ଜାତିସଂଘ ଜରିଆରେ ପଠାଯିବ ନା ସିଧାସଳଖ କାବୁଲ ଯିବ, ତା’ହା ଜଣାପଡ଼ିନି । ଗତବର୍ଷ ଭାରତ ସରକାର ଆଫଗାନକୁ ୭୫ ହଜାର ମେଟ୍ରିନ ଟନ୍ ଗହମ ଦେଇଥିଲେ । ତେବେ ଏହା ଚାହାବାହାର ପୋର୍ଟ ଟ୍ରଷ୍ଟ ଦେଇ ଆଫଗାନ ଯାଇଥିଲା । ଭାରତ ଏବେ ଅଟ୍ଟାରୀ-ୱାଘା ସୀମାନ୍ତ ଦେଇ ପାକିସ୍ତାନ ରାସ୍ତାରେ ଗହମ ପଠାଇବାକୁ ବିଚାର କରିପାରେ । ହେଲେ ପାକିସ୍ତାନ ଏଥିପାଇଁ ଅନୁମତି ନ ଦେବାର ଆଶଙ୍କା ରହିଛି । କାରଣ ପୂର୍ବରୁ ହିଁ ଭାରତ-ଆଫଗାନ ମଧ୍ୟରେ ୨ ପାକ୍ଷିକ ଶିଳ୍ପ ସମ୍ପର୍କକୁ ପାକିସ୍ତାନ ବିରୋଧ କରିଆସିଛି । ପାକିସ୍ତାନ କେବଳ ଆଫଗାନକୁ ବିଭିନ୍ନ ସାମଗ୍ରୀ ତା’ ସୀମାନ୍ତ ଦେଇ ଭାରତକୁ ରପ୍ତାନୀ କରିବାକୁ ଅନୁମତି ଦେଇଛି । ଭାରତ କିନ୍ତୁ ଉକ୍ତ ରାସ୍ତାରେ ଆଫଗାନକୁ କୌଣସି ସାମଗ୍ରୀ ପଠାଇ ପାରିବ ନାହିଁ । ଏବେ ଭାରତ ଯଦି ପାକିସ୍ତାନ ସୀମା ବ୍ୟବହାର କରିବ, ତା’ହେଲେ ଜାତିସଂଘକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିବ । ତେଣୁ ଆଫଗାନକୁ ଭାରତରୁ କେମିତି ଗହମ ଯାଉଛି ତା’ ଉପରେ ସମସ୍ତଙ୍କ ନଜର ।

Comments are closed.