ଟିକାକରଣରେ ନୂଆ ମାଇଲଖୁଣ୍ଟ : ଶହେ କୋଟି ଡୋଜ୍ କ୍ଲବ୍ ରେ ଭାରତ

66

-ଭାରତ ଇତିହାସ ସୃଷ୍ଟି କଲା: ମୋଦୀ

ନୂଆଦିଲ୍ଲୀ : ରେକର୍ଡ କରିଛି ଭାରତ । ୧୦୦ କୋଟି ଟିକାକରଣରେ ପୂରଣ କରିଛି ଦେଶ । ଅର୍ଥାତ ୧୦୦ କୋଟି ନାଗରିକଙ୍କୁ ଟିକାର ଡୋଜ୍ ଦିଆସରିଲାଣି । ଏହି ଐତିହାସିକ ଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଭାରତୀୟ ବିଜ୍ଞାନର ବିଜୟ ହୋଇଥିବା ମୋଦୀ କହିଛନ୍ତି । ଦେଶରେ ୧୦୦ କୋଟି ଟିକାକରଣ ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀସ୍ଥିତ ରାମ ମନୋହରଲାଲ ଲୋହିୟା ହସ୍ପିଟାଲରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ଇତିହାସ ରଚିଛି । ଏହା ଭାରତୀୟ ବିଜ୍ଞାନ ଓ ୧୩୦ କୋଟି ଦେଶବାସୀଙ୍କ ବିଜୟ ଅଟେ । ଦେଶର ଡାକ୍ତର, ନର୍ସ ଓ ଏହି ଉପଲବ୍ଧିକୁ ହାସଲ କରିବାରେ ସାହାଯ୍ୟ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଅକ୍ଟୋବର ୨୧ ଇତିହାସରେ ଲିପିବଦ୍ଧ ହୋଇରହିବ । ୧୦୦ ବର୍ଷରେ ଆସିଥିବା ବଡ ମହାମାରୀର ମୁକାବିଲା ପାଇଁ ଦେଶରେ ୧୦୦ କୋଟିର ମଜବୁତ ସୁରକ୍ଷା କବଚ ରହିଛି । ଏହି ଉପଲବ୍ଧି ଭାରତୀୟଙ୍କର ଅଟେ । ମିଳିତ ଭାବେ କରୋନାକୁ ହରାଇବାକୁ ହେବ । ସରକାର ପ୍ରତି ଜିଲ୍ଲାରେ ଅତିକମ୍ ରେ ଗୋଟିଏ ମେଡିକାଲ କଲେଜ ପାଇଁ ପ୍ରସ୍ତୁତି କରୁଛନ୍ତି । ଏଥିରେ ଘରୋଇ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସରକାର କ୍ୟାନସରର ୪୦୦ ଔଷଧର ଦାମ୍ କମାଇଥିବା ମୋଦୀ କହିଛନ୍ତି ।

ଟିକାକରଣ ପରିଚାଳନାରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ମଧ୍ୟପ୍ରଦେଶର ସବୁଠୁ ଭଲ ପ୍ରଦର୍ଶନ ରହିଛି । ନୀତି ଆୟୋଗର ଡ. ଭି.କେ ପାଲ କହିଛନ୍ତି ଯେ ଭାରତରେ ଟିକାକରଣ ଆରମ୍ଭ ହେବାର ୯ ମାସ ମଧ୍ୟରେ ୧୦୦ କୋଟି ଡୋଜ ମାର୍କରେ ପହଞ୍ଚିବା ଦେଶ ପାଇଁ ଉଲ୍ଲେଖନୀୟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱର ଫଳାଫଳ ବୋଲି ସେ କହିଛନ୍ତି । ସେପ୍ଟେମ୍ବରରେ ସର୍ବାଧିକ ଟିକାକରଣ ହୋଇଥିବା ଜଣାଯାଇଛି । ଦିନକରେ ପ୍ରାୟ ୮୦ଲକ୍ଷ ଡୋଜ୍ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ , ଜାନୁଆରୀ ୧୬ରେ ଦେଶରେ ପ୍ରଥମେ ଟିକାକରଣ ଆରମ୍ଭ ହୋଇଥିଲା । ସେତେବେଳେ ପ୍ରଥମେ ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କୁ ଦିଆଯାଇଥିଲା ଟିକା । ଏହାପରେ ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଭ୍ୟାକ୍ସିନେସନ୍ ଆରମ୍ଭ ହୋଇଥିଲା । ୬୦ବର୍ଷରୁ ଊଦ୍ଧ୍ୱର୍ ଓ ୪୫ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯାଇଥିଲା ଟିକା । ୧ ଏପ୍ରିଲରୁ ୪୫ବର୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ମଇ ପହିଲାରୁ ୧୮ବର୍ଷରୁ ଊଦ୍ଧ୍ୱର୍ ଟିକା ଦିଆଯାଉଛି । ୬୩,୪୬୭ କେନ୍ଦ୍ରରେ ଟିକାକରଣ ଚାଲିଛି।

ଶୁଭେଚ୍ଛା ଜଣାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ :

ଦେଶରେ ୧୦୦ କୋଟି ଟପିଛି ଟିକାକରଣ । ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନମ୍ ଘେବ୍ରିୟସସ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ଓ ସାଧାରଣ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୁରୁବାର ଦେଶରେ ମାତ୍ର ୨୭୯ ଦିନରେ ୧୦୦ କୋଟି ଲୋକ ଟିକା ନେଇଛନ୍ତି । ଏହି ଅବସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ଓ ସାଧାରଣ ନାଗରିକ କୋଭିଡ୍-୧୯ରୁ ସମ୍ବେଦନଶୀଳ ଜନସଂଖ୍ୟାକୁ ରକ୍ଷା କରିବା ଓ ସମାନତା ସହ ଟିକାକରଣ କାର୍ଯ୍ୟକ୍ରମକୁ ଆଗେଇ ନେଇ ଆଜି ଏହି ଲକ୍ଷ୍ୟରେ ପହଞ୍ଚିଛନ୍ତି । ଏଥିପାଇଁ ମୋର ଶୁଭେଚ୍ଛା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ବ୍ୟତୀତ ଦକ୍ଷିଣ ପୂର୍ବ ଏସିଆର କ୍ଷେତ୍ର ନିର୍ଦ୍ଦେଶକ ଡାକ୍ତର ପୁନମ କ୍ଷେତ୍ରପାଲ ସିଂ ମଧ୍ୟ ଟିକାକରଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏତେ କମ୍ ସମୟ ମଧ୍ୟରେ ଭାରତ ଟିକାକରଣରେ ଏକ ଅର୍ବ ଅତିକ୍ରମ କରିଥିବାରୁ ଶୁଭେଚ୍ଛା ।

Comments are closed.