ଜାତିସଂଘ ଦିବସରେ ବାର୍ତ୍ତା : ଭାରତ ସର୍ବଦା ବିଶ୍ୱ ଶାନ୍ତି ପାଇଁ କାର୍ଯ୍ୟ କରିଛି

45

ନୂଆଦିଲ୍ଲୀ : ଜାତିସଂଘ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଶ୍ୱ ଶାନ୍ତି ପାଇଁ ଭାରତ ସର୍ବଦା କାର୍ଯ୍ୟ କରିଆସୁଛି, ଯାହା ଜାତିସଂଘର ଶାନ୍ତି ରକ୍ଷା ବାହିନୀରେ ଭାରତର ଅବଦାନରେ ସ୍ପଷ୍ଟ ପ୍ରତୀୟମାନ ହେଉଛି । ସେ କହିଛନ୍ତି, ଭାରତ ଦାରିଦ୍ର୍ୟ ଦୂରୀକରଣ ଓ ଜଳବାୟୁ ସହ ଜଡିତ ସମସ୍ୟାର ସମାଧାନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଆଜି ମନ୍ କି ବାତ୍ ରେ ଶ୍ରୀ ମୋଦୀ ଅଧିକ ସମୟ ଜାତିସଂଘ ପ୍ରତିଷ୍ଠା ଦିବସ ସମ୍ପର୍କରେ କହିଛନ୍ତି । ପ୍ରଧାନମନ୍ତ୍ରୀ
କହିଛନ୍ତି ଯେ ଯୋଗ ଏବଂ ଆୟୁଷକୁ ଲୋକପ୍ରିୟ କରିବା ପାଇଁ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି । ୨୦୧୧ ମାର୍ଚ୍ଚରେ ହୁ ଘୋଷଣା କରିଥିଲା ଯେ ଭାରତରେ ପାରମ୍ପାରିକ ଚିକିତ୍ସା ପାଇଁ ଏକ ଗ୍ଲୋବାଲ୍ ସେଣ୍ଟର ପ୍ରତିଷ୍ଠା କରାଯିବ । ଏହି ଅବସରରେ ସେ ୧୯୭୭ ମସିହାରେ ହିନ୍ଦୀରେ ଜାତିସଂଘକୁ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ବୋଧନ ବିଷୟ କହିଛନ୍ତି । ମୋଦୀ କହିଛନ୍ତି, ଆଜି ମିଳିତ ଜାତିସଂଘ ବିଷୟରେ କଥାବାର୍ତ୍ତା ବେଳେ ମୁଁ ଅଟଳ ଜୀଙ୍କ କଥା ମଧ୍ୟ ମନେ ରଖିଛି । ୧୯୭୭ ମସିହାରେ ସେ ହିନ୍ଦୀରେ ଜାତିସଂଘକୁ ସମ୍ବୋଧିତ କରି ଇତିହାସ ସୃଷ୍ଟି କରିଥିଲେ ବୋଲି ସେ କହିଛନ୍ତି । ବାଜପେୟୀ ପ୍ରଥମେ ୧୯୭୭ ମସିହାରେ ହିନ୍ଦୀରେ ମିଳିତ ଜାତିସଂଘ ସାଧାରଣ ସଭାର ୩୨ତମ ଅଧିବେଶନକୁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଜନତା ପାର୍ଟି ସରକାରଙ୍କ ଅଧୀନରେ ବୈଦେଶିକ ମନ୍ତ୍ରୀ ଭାବରେ ସମ୍ବୋଧିତ କରିଥିଲେ । ମୋଦୀ କହିଛନ୍ତି ବାଜପେୟୀଙ୍କ ଶବ୍ଦ ଆଜି ବି ଆମକୁ ବାଟ ଦେଖାଉଛି ।

ଏହି ପୃଥିବୀକୁ ଏକ ଉନ୍ନତ ତଥା ନିରାପଦ ଗ୍ରହରେ ପରିଣତ କରିବାରେ ଭାରତର ଅବଦାନ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ପ୍ରେରଣା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମିଳିତ ଜାତିସଂଘ ଗଠନ ହେବା ପରଠାରୁ ଭାରତ ସଦସ୍ୟ ରହିଆସିଛି ଏବଂ ସ୍ୱାଧୀନତା ପୂର୍ବରୁ ୧୯୪୫ ମସିହାରେ ଭାରତ ଜାତିସଂଘର ଚାର୍ଟରରେ ଦସ୍ତଖତ କରିଛି । ସେ କହିଛନ୍ତି ଯେ ମିଳିତ ଜାତିସଂଘ ସହ ଜଡିତ ଏକ ନିଆରା ବୈଶିଷ୍ଟ୍ୟ ହେଉଛି ଯେ ମିଳିତ ଜାତିସଂଘର ପ୍ରଭାବ ତଥା ଶକ୍ତି ବୃଦ୍ଧିରେ ଭାରତର ମହିଳା ଶକ୍ତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସେ କହିଛନ୍ତି ଯେ ୧୯୪୭-୪୮ ମସିହାରେ ଯେତେବେଳେ ଜାତିସଂଘ ମାନବ ଅଧିକାରର ବିଶ୍ୱ ଘୋଷଣାନାମା ପ୍ରସ୍ତୁତ କରାଯାଉଥିଲା, ସେତେବେଳେ ସେହି ଘୋଷଣାନାମାରେ ଲେଖାଥିଲା ଯେ “ସମସ୍ତ ପୁରୁଷ ସମାନ ଭାବରେ ସୃଷ୍ଟି ହୋଇଛନ୍ତି’। କିନ୍ତୁ ଭାରତରୁ ଆସିଥିବା ଜଣେ ପ୍ରତିନିଧି ଏହାକୁ ବିରୋଧ କରିଥିଲେ ଏବଂ ପରେ ଏହି ଘୋଷଣାନାମାରେ ଲେଖାଯାଇଥିଲା “ସମସ୍ତ ମଣିଷ ସମାନ ଭାବରେ ସୃଷ୍ଟି ହୋଇଛନ୍ତି ।’ ସେହି ପ୍ରତିନିଧି ଥିଲେ ହଂସା ମେହେଟ୍ଟା । କେବଳ ଏତିକି ନୁହେଁ, ୧୯୫୩ ମସିହାରେ ଜାତିସଂଘ ସାଧାରଣ ସଭାର ପ୍ରଥମ ମହିଳା ସଭାପତି ବିଜୟ ଲକ୍ଷ୍ମୀ ପଣ୍ଡିତ ହୋଇଥିଲେ ।

ଅନ୍ତର୍ଜାତୀୟ ସହଯୋଗ ମଜବୁତ କରିବାକୁ ଆହ୍ୱାନ :

ମିଳିତ ଜାତିସଂଘ ଦିବସ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଏକଜୁଟ ହୋଇ ଆନ୍ତର୍ଜାତିକ ସହଯୋଗ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ନବୀନ କହିଛନ୍ତି, ୟୁଏନ୍ ଡେ’ ଅବସରରେ ଆସନ୍ତୁ ଏକଜୁଟ ହୋଇ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରିବା ଏବଂ ସମସ୍ତଙ୍କ ପାଇଁ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା । ଅକ୍ଟୋବର ୨୪ରେ ୧୯୪୫ଠାରୁ ମିଳିତ ଜାତିସଂଘ ଦିବସ ଜାତିସଂଘ ଚାର୍ଟର ଅନୁଯାୟୀ ପାଳିତ ହୋଇଥାଏ । ପ୍ରତିବର୍ଷ ପାଳନ କରାଯାଉଥିବା ଜାତିସଂଘ ଦିବସ ଆମର ସାଧାରଣ କାର୍ଯ୍ୟସୂଚୀ ବୃଦ୍ଧି କରିବା ଏବଂ ଜାତିସଂଘ ଚାର୍ଟରର ଉଦ୍ଦେଶ୍ୟ ଏବଂ ନୀତିକୁ ପୁନଃ ନିଶ୍ଚିତ କରିବାର ସୁଯୋଗ ପ୍ରଦାନ କରେ । ମିଳିତ ଜାତିସଂଘ ମଧ୍ୟ କହିଛି, ଯେହେତୁ ବିଶ୍ୱ ଧୀରେ ଧୀରେ କୋଭିଡ-୧୯ ମହାମାରୀରୁ ପୁନରୁଦ୍ଧାର ଆରମ୍ଭ କରୁଛି, ଜନସାଧାରଣଙ୍କ ସ୍ୱାର୍ଥରେ ଆନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏକ ଆହ୍ୱାନକୁ ଜାତିସଂଘ ପ୍ରତିନିଧିତ୍ୱ କରୁଛି । ସମସ୍ତଙ୍କ ପାଇଁ ଅଧିକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ।

Comments are closed.