ଅଣକୋଭିଡ୍ ମୃତ୍ୟୁକୁ ମଧ୍ୟ ଅଟକାଉଛି କରୋନା ଟିକା

70

ନୂଆଦିଲ୍ଲୀ : କୋଭିଡ୍ ଟିକା ହେଉଛି ମୃତ୍ୟୁ ସଞ୍ଜିବନୀ । କେବଳ କରୋନା ନୁହେଁ, ଅନ୍ୟ ରୋଗକୁ ମଧ୍ୟ ଦେଉଛି ସୁରକ୍ଷା । ଆମେରିକାରେ ଏକ ବୈଜ୍ଞାନିକ ଅନୁଧ୍ୟାନରୁ ଏହା ଜଣାପଡ଼ିଛି । କୋଭିଡ୍ ଟିକା ନେଇନଥିବା ଲୋକଙ୍କଠାରୁ ଟିକା ନେଇଥିବା ଲୋକଙ୍କ ଅନ୍ୟ ରୋଗରେ ମୃତ୍ୟୁହାର କମ୍ ରହୁଛି । ଟିକା ନେଇନଥିବା ବ୍ୟକ୍ତିଙ୍କ ମୃତ୍ୟୁ ଆଶଙ୍କା ଟିକା ନେଇଥିବା ବ୍ୟକ୍ତିଙ୍କଠାରୁ ୧୧ ଗୁଣ ଅଧିକ । ଅର୍ଥାତ୍ ଅଣକୋଭିଡ୍ ମୃତ୍ୟୁକୁ ମଧ୍ୟ ଅଟକାଉଛି କରୋନା ଟିକା । ଫାଇଜର,
ମଡର୍ଣ୍ଣା ଓ ଜନସନ୍ ଟିକା ନେଇଥିବା ଲୋକଙ୍କ ଉପରେ ଏହି ଅନୁଧ୍ୟାନ ହୋଇଥିଲା । ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍(ସିଭିସିପି)ର ସାପ୍ତାହିକ ରିପୋର୍ଟରେ ଗବେଷକମାନେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

କରୋନା ଟିକା ନେଇଥିବା ୬୪ଲକ୍ଷ ଲୋକ ଓ କେବଳ ଫ୍ଲୁ ଟିକା ନେଇଥିବା ୪୬ଲକ୍ଷ ଲୋକଙ୍କ ଉପରେ ଏକ ତୁଳାନାତ୍ମକ ଅନୁଧ୍ୟାନ ହୋଇଥିଲା । ଅନୁଧ୍ୟାନରେ କରୋନା ମୃତ୍ୟୁକୁ ବାଦ୍ ଦିଆଯାଇଥିଲା । ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ, କରୋନା ଟିକା ଅନ୍ୟ ରୋଗଠାରୁ ମଧ୍ୟ ସୁରକ୍ଷା ଦେଉଛି । ଅର୍ଥାତ୍ କରୋନା ଟିକା ନେଇଥିବା ବ୍ୟକ୍ତି ଅନ୍ୟ ରୋଗରେ ମୃତ୍ୟୁମୁଖରେ ପଡ଼ିବା ହାର କମ୍ । ଡିସେମ୍ବର ୨୦୨୦ରୁ ଜୁଲାଇ ୨୦୨୧ ମଧ୍ୟରେ ଏହି ଅନୁଧ୍ୟାନ ହୋଇଥିଲା । ରିପୋର୍ଟ ଅନୁଯାୟୀ ମଡର୍ଣ୍ଣା ଟକା ଅଣକୋଭିଡ୍ ରୋଗ ପାଇଁ ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଦୁଇ ଡୋଜ୍ ମଡର୍ଣ୍ଣା ଟିକା ନେଇଥିଲେ ଅଣକୋଭିଡ୍ ରୋଗରେ ୩୧ପ୍ରତିଶତ ମୃତ୍ୟୁ ଆଶଙ୍କା ରହିଛି । ଯାହା ଫାଇଜର କ୍ଷେତ୍ରରେ ୩୪ ପ୍ରତିଶତ ଓ ଜନସନ୍ ଟିକା କ୍ଷେତ୍ରରେ ୫୪ ପ୍ରତିଶତ । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନା ଟିକା ନେଇଥିବା ଲୋକେ ଟିକା ନେଇନଥିବା ଲୋକଙ୍କ ତୁଳନାରେ ଅଧିକ ସୁସ୍ଥ । ତେଣୁ ୧୨ରୁ ଊଦ୍ଧ୍ୱର୍ ସମସ୍ତଙ୍କୁ କୋଭିଡ୍ ଟିକା ନେବାକୁ ଗବେଷଣା ଟିମ୍ ପରାମର୍ଶ ଦେଇଛନ୍ତି ।

Comments are closed.