ସ୍ତନ କର୍କଟ: କାରଣ ଓ ଏହାର ଭୟାବହତା

73

ସ୍ତନ କର୍କଟ ସାଧାରଣତଃ ସେତେବେଳେ ଦେଖାଯାଇଥାଏ, ଯେତେବେଳେ ସ୍ତନ ଭିତରେ ଥିବା କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧିପାଇଥାଏ ବା ଏହା ଏକ ଟ୍ୟୁମର ସୃଷ୍ଟି କରିଥାଏ । ଏହି ଟ୍ୟୁମର କର୍କଟ ରୋଗାକ୍ରାନ୍ତ (ଉକ୍ରଟ) କିମ୍ବା କର୍କଟ ରୋଗାକ୍ରାନ୍ତ ନୁହେଁ (ସରଳ)ହୋଇପାରେ । କର୍କଟ ରୋଗାକ୍ରାନ୍ତ(ଉକ୍ରଟ) ଟ୍ୟୁମର କ୍ଷେତ୍ରରେ ସ୍ତନ କର୍କଟ ହେବା ସ୍ୱଭାବିକ କଥା, ଯାହାକି ସ୍ତନର କୋଷଗୁଡ଼ିକରେ ଥିବା ଶିରା ବା ଆଭ୍ୟନ୍ତରୀଣ କୋମଳ ଅଙ୍ଗରେ ସୃଷ୍ଟି ହୋଇଥାଏ । ସାଧାରଣତଃ ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅଧିକ ଦେଖାଯାଇଥାଏ ଏବଂ ଭାରତରେ ଅଧିକାଂଶ ମହିଳାଙ୍କ ମୃତ୍ୟୁ କ୍ୟାନସର ଜନିତ ଅଟେ । ଗ୍ଲୋବୋକନ ୨୦୧୮ ଅନୁଯାୟୀ, ସ୍ତନ କର୍କଟ ଜନତି ସମସ୍ୟାର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୨୦ଲକ୍ଷ ଥିବାବେଳେ ଭାରତରେ ଏହି ସଂଖ୍ୟା ୧.୫ ଲକ୍ଷରୁ ଅଧିକ । ସ୍ତନ କର୍କଟର ପ୍ରକୃତ କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଅଧ୍ୟୟନରୁ ଜଣାଯାଇଛି ଯେ ସ୍ତନ କର୍କଟ ଜନୀତି ବିପଦ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ଏହା ମୁଖ୍ୟତଃ ହରମୋନ ଜନିତ, ଜୀବନଶୈଳୀ ଏବଂ ପରିବେଶ ଜନିତ କାରଣ ଯୋଗୁ ହୋଇଥାଏ । ଏହାର ଅନ୍ୟ କେତେକ କାରଣ ହେଉଛି ବୟସ ବୃଦ୍ଧି, ସ୍ତନ କର୍କଟ ଜନିତ ବ୍ୟକ୍ତିଗତ ଅତୀତ (ଇତିବୃତି), ଆଗୁଆ ଋତୁସ୍ରାବ, ବିଳମ୍ବିତ ରଜ ନିବୃତି, ଓରାଲ ଗର୍ଭନିରୋଧକ ବ୍ୟବହାର, ସ୍ତନ କର୍କଟ ଜନିତ ପାରିବାରିକ ଅତୀତ, ବର୍ତ୍ତମାନ ଦେଖାଯାଉଥିବା ବଂଶଗତ ପରିବର୍ତ୍ତନ, ଛାତିର ରେଡିଏସନ ଥେରାପି ଜନିତ ଘଟଣା, ଏକତ୍ରିତ ଭାବେ ଦୀର୍ଘକାଳୀନ ହର୍ମୋନ ଥେରାପିର ବ୍ୟବହାର, ମଦ୍ୟପାନ, ଋତୁ ନିବୃତି ପରବର୍ତ୍ତୀ ମେଦ ବୃଦ୍ଧି ଇତ୍ୟାଦି । ଆଶ୍ଚର୍ଯ୍ୟଜନକ ଭାବେ ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ ଯେ ସ୍ତନ କର୍କଟ କାହିଁକି କେତେକ ଲୋକଙ୍କ ପାଇଁ ବିପଜ୍ଜନକ ସାବ୍ୟସ୍ତ ହେଉଛି କି ଅନ୍ୟ କେତେକ ଲୋକଙ୍କ ପାଇଁ ଏହା ବିଶେଷ ହାନୀକାରକ ହେଉନାହିଁ ।

ବିଭିନ୍ନ ଲୋକଙ୍କ କ୍ଷେତ୍ରରେ ସ୍ତନ କର୍କଟର ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଇଥିବା ବେଳେ କେତେକଙ୍କ କ୍ଷେତ୍ରରେ ଏହାର କୌଣସି ଲକ୍ଷଣ ଦେଖାଦେଇ ନଥାଏ । ତେବେ ସ୍ତନ କର୍କଟର କେତେକ ବିପଜ୍ଜନକ ସଙ୍କେତଗୁଡିକ ହେଲା:- ସ୍ତନ କିମ୍ବା କାଖତଳେ ନୂଆ ଫୁଲା ସୃଷ୍ଟି ହେବା,ସ୍ତନର କୌଣସି ଅଂଶ ଫୁଲିବା ବା ମୋଟା ହେବା, ସ୍ତନ ଉପରଭାଗ ଚର୍ମରେ ଗର୍ତ୍ତ ସୃଷ୍ଟି ହେବା, ସ୍ତନ ଏବଂ ସ୍ତନାଗ୍ର ପାଖରେ ନାଲି ପଡ଼ିଯିବା ବା ଚର୍ମ ଅବାଗିଆ ହୋଇଯିବା, ସ୍ତନାଗ୍ର ଭିତର ଟାଣି ହେବା ଏବଂ ଯନ୍ତ୍ରଣା ହେବା, କ୍ଷୀର ବ୍ୟତୀତ ସ୍ତନାଗ୍ରରୁ ରକ୍ତ କିମ୍ବା ଅନ୍ୟ କିଛି କ୍ଷରଣ ହେବା, ସ୍ତନ ଆକୃତି ଓ ଆକାରରେ କୌଣସି ପରିବର୍ତନ ହେବା, ସ୍ତନର କୌଣସି ଅଂଶରେ ଯନ୍ତ୍ରଣା ହେବା । ତେବେ ଏସବୁ ଲକ୍ଷଣ କର୍କଟ ରୋଗ ବ୍ୟତୀତ ଅନ୍ୟ କେତେକ କ୍ଷେତ୍ରରେ ମଧ୍ୟ ଦେଖାଯାଇପାରେ । ସ୍ତନ କର୍କଟ ରୋଗର ଚିହ୍ନଟ ଓ ଆଗୁଆ ନିଦାନ ନିମନ୍ତେ ନିଜ ତରଫରୁ ସ୍ତନ ପରୀକ୍ଷା କରାଇବା ଏବଂ ଏକ୍ସରେ (ମାମୋଗ୍ରାଫି) କରାଇନେବା ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ସ୍ତନ କର୍କଟ ରୋଗର ସ୍କ୍ରିନିଂ: ସ୍କ୍ରିନିଂ ଟେଷ୍ଟ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ତନ କର୍କଟକୁ ଏହାର ଲକ୍ଷଣ ଦେଖାଯିବା ପୂର୍ବରୁ ଚିହ୍ନଟ କରିବା । ଯେଉଁ ଲୋକମାନଙ୍କଠାରେ ଏହି ରୋଗର କୌଣସି ଲକ୍ଷଣ ଦେଖାଯାଇ ନଥାଏ,ସ୍କ୍ରିନିଂ ଟେଷ୍ଟ ମାଧ୍ୟମରେ ତାକୁ ଚିହ୍ନଟ କରାଯାଇପାରେ । ଆପଣ କୌଣସି ରୋଗର ଲକ୍ଷଣ ବା ସଙ୍କେତକୁ ଅପେକ୍ଷା ନକରି ଆଗୁଆ ଚିହ୍ନଟ ଓ ନିଦାନ ବ୍ୟବସ୍ଥା କରିବା । ଆମେରିକୀୟ କର୍କଟ ରୋଗ ସମିତି (ଏସିଏସ) ପକ୍ଷରୁ ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟର ଆଗୁଆ ଚିହ୍ନଟ ବା କମ୍ ବିପଦ ସମୟରେ ରୋଗକୁ ନବଢ଼ିବା ନିମନ୍ତେ ସ୍କ୍ରିନିଂ ପଦ୍ଧତି ସମ୍ପର୍କରେ କୁହାଯାଇଛି ଯଥା: ୪୦ ବର୍ଷ ବୟସର ମହିଳାମାନଙ୍କ ନିମନ୍ତେ ଇଚ୍ଛାଧୀନ ଏକ୍ସରେ ପଦ୍ଧତି (ଅପ୍ସନାଲ ମମୋଗ୍ରାମ୍ସ), ୪୫ରୁ ୫୪ ବର୍ଷର ମହିଳାଙ୍କ ନିମନ୍ତେ ବାର୍ଷିକ ଏକ୍ସରେ ପଦ୍ଧତି, ୫୫ କିମ୍ବା ତା’ଠାରୁ ଊଦ୍ଧ୍ୱର୍ ବୟସର ମହିଳାଙ୍କ ନିମନ୍ତେ ପ୍ରତି ଦୁଇ ବର୍ଷରେ ଥରେ ଏକ୍ସରେ କରିବା ଏକାନ୍ତ ଆବଶ୍ୟକ । ଏହାଛଡ଼ା ମହିଳାମାନେ ବାର୍ଷିକ ସ୍କ୍ରିନିଂ ଟେଷ୍ଟକୁ ମଧ୍ୟ ଚୟନ କରିପାରିବେ । ଅଧିକ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ସ୍ତନ କର୍କଟ ରୋଗ କ୍ଷେତ୍ରରେ ମହିଳାମାନଙ୍କ ଏମଆରଆଇ ଓ ଏକ୍ସରେ କରାଯାଇପାରିବ । ସାଧାରଣତଃ ଅଧିକ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ସ୍ତନ କର୍କଟ ରୋଗୀଙ୍କୁ କେତେକ ଭାଗରେ ବିଭକ୍ତ କରାଯାଇଛି । ଯଥା: ୨୦% ରୁ ୨୫% କିମ୍ବା ତା’ଠାରୁ ଅଧିକ ଲୋକଙ୍କ କ୍ଷେତ୍ରରେ ସ୍ତନ କର୍କଟ ଜନିତ ଜୀବନସାରା ବିପଦ ରହିଥାଏ । ବିଶେଷ କରି ପାରିବାରିକ ଇତିବୃତି ବା ବଂଶଗତ ରୋଗୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଦେଇଥାଏ, ବିଆରସିଏ-୧ କିମ୍ବା ବିଆରସିଏ-୨ ବଂଶଗତ ମିଶ୍ରଣ (ବଂଶଗତ ପରୀକ୍ଷା ଉପରେ ଆଧାରିତ), ପ୍ରଥମ ପିଢି ସମ୍ପର୍କ (ପିତାମାତା, ଭାଇ, ଭଉଣୀ ଓ ପିଲା) ବିଆରସିଏ-୧ ଏବଂ ବିଆରସିଏ-୨ ପର୍ଯ୍ୟାୟ ଅନ୍ତର୍ଭୁକ୍ତ, ୧୦ରୁ ୩୦ ବର୍ଷ ବୟସ ମଧ୍ୟରେ ଛାତିର ରେଡିଏସନ ଥେରାପି କରାଯାଇଥିଲେ ।

ଅଧିକ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ମହିଳା ରୋଗୀମାନେ ପ୍ରତି ବର୍ଷ ସ୍ତନ ଏକ୍ସରେ ଓ ଏମଆରଆଇ କରାଇନେବା ଉଚିତ । ବିଶେଷ କରି ୩୦ ବର୍ଷ ବୟସରୁ ସେମାନେ ଏହି ଚିକିତ୍ସା ପଦ୍ଧତି ଆରମ୍ଭ କରିବା ଆବଶ୍ୟକ ଏବଂ ସୁସ୍ଥ ହେବା ପର୍ଯ୍ୟନ୍ତ ଜାରି ରଖିବା ଉଚିତ । ବିଶେଷଜ୍ଞଙ୍କ ମତାନୁସାରେ, ସ୍ତନ କର୍କଟ ଚିକିତ୍ସାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ରହିଛି । ପ୍ରଥମତଃ ଯଥା ସମ୍ଭବ କର୍କଟ ରୋଗକୁ ନଷ୍ଟ କରିବା ଏବଂ ଦ୍ୱିତୀୟରେ ଏହା ପୁନର୍ବାର ନ ହେବା ପାଇଁ ପ୍ରତିରୋଧ ବ୍ୟବସ୍ଥା କରିବା । କେତେକ ଚିକିତ୍ସା ପଦ୍ଧତି ରହିଛି ଯାହାକି ସ୍ତନ ମଧ୍ୟରେ ଏବଂ ସ୍ତନ କୋଷିକା ମଧ୍ୟରେ ରୋଗର ନିରାକରଣ କରିଥାଏ । ସେହି ଚିକିତ୍ସା ପଦ୍ଧତି ହେଲାସର୍ଜରୀ (ଅସ୍ତ୍ରୋପଚାର),ରେଡିଓଥେରାପି । ସମ୍ପୂର୍ଣ୍ଣ ଶରୀରର କର୍କଟ ରୋଗାକ୍ରାନ୍ତ ଜୀବକୋଷକୁ ନଷ୍ଟ କରିବା ବା କର୍କଟ ରୋଗ ଭଲ କରିବା ନିମନ୍ତେ କେତେକ ଚିକିତ୍ସା ପଦ୍ଧତି ରହିଛି । ସେଗୁଡ଼ିକ ହେଲା-କେମୋଥେରାପି, ହରମୋନ ଥେରାପି, ଟାର୍ଗେଟେଡ୍ ଥେରାପି । ଏହିଭଳି ଚିକିତ୍ସାର ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ରହିଛି । ସ୍ତନ କର୍କଟ ଚିକିତ୍ସା କେତେକ ପାଶ୍ୱର୍ ପ୍ରତିକ୍ରିୟାର କାରଣ ହୋଇପାରେ, ତେବେ ଏସବୁ ସମସ୍ୟା ଚିକିତ୍ସା ପଦ୍ଧତି ପୂର୍ଣ୍ଣ ହେବା ପରେ ଆପେ ଦୂର ହୋଇଯାଇଥାଏ । ଖୁବ୍ ବେଶି ହେଲେଏହି ପାଶ୍ୱର୍ ପ୍ରତିକ୍ରିୟା ୧ମାସ କିମ୍ବା ୧ବର୍ଷ ପର୍ଯ୍ୟନ୍ତ ଦେଖାଦେଇଥାଏ ।

ସର୍ଜରୀ ବା ଅସ୍ତ୍ରୋପଚାର ଦ୍ୱାରା ଚିକିତ୍ସାରେ ଦେଖାଯାଉଥିବା ପାଶ୍ୱର୍ ପ୍ରତିକ୍ରିୟା ଗୁଡିକ ହେଲା, ଚିକିତ୍ସା ହେଉଥିବା ଅଙ୍ଗରେ କିଛି ସମୟ ପାଇଁ ସାମାନ୍ୟ ଯନ୍ତ୍ରଣା ଓ ଅସ୍ୱଭାବିକତା ଅନୁଭବ ହେବା, ବାହୁର ମାଂସପେଷୀ ଦୁର୍ବଳ ଲାଗିପାରେ ଏବଂ ସ୍ତନ ପାଶ୍ୱର୍ରେ ଚର୍ମ ଟାଇଟ୍ ଅନୁଭବ ହୋଇପାରେ । ଶରୀରର ଆଭ୍ୟନ୍ତରୀଣ ତନ୍ତୁ ବା ଗ୍ରନ୍ଥି ସହ ଜଡ଼ିତ ଅସ୍ତ୍ରୋପଚାର ଫଳରେ ମାଂସପେଷୀ ଫୁଲିପାରେ, ଏହାକୁ ଲିମ୍ଫେଡିମା କୁହାଯାଇଥାଏ । ସେହିପରି ରେଡ଼ିଓଥେରାପି ଚିକିତ୍ସା ଆରମ୍ଭ କରିବାର କିଛି ସପ୍ତାହ ମଧ୍ୟରେ ଚର୍ମରେ ଉତ୍ତେଜନା ଏବଂ ସ୍ତନ ଯନ୍ତ୍ରଣା ଆଦି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇପାରେ । ମାତ୍ର ଚିକିତ୍ସା ପଦ୍ଧତି ଶେଷ ହେବାର କିଛି ସପ୍ତାହ ପରେ ଏହା ଦୂର ହୋଇଯାଇଥାଏ । ଅନ୍ୟପକ୍ଷରେ କେମୋଥେରାପି ଚିକିତ୍ସା ଦ୍ୱାରା ବାନ୍ତି ହେବା, କ୍ଲାନ୍ତ ଲାଗିବା, ସ୍ନାୟୁ ନଷ୍ଟ ହେବା,ପାଟିରେ ଯନ୍ତ୍ରଣା ହେବା, ତରଳ ଝାଡ଼ା ହେବା, କୋଷ୍ଠ କାଠିନ୍ୟ ଓ ରକ୍ତହୀନତା ଆଦି ସମସ୍ୟା ଦେଖାଯାଇପାରେ । ତେବେ ପୁଷ୍ଟିସାଧନ ଥେରାପି, ଯନ୍ତ୍ରଣା ଉପଶମ ଏବଂ ଅଙ୍କୋଲୋଜି ରିହାବିଲିଟେସନ ଆଦି କେତେକ ଚିକିତ୍ସା ପଦ୍ଧତି ରହିଛି, ଯାହାକି ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସାରେ ସୃଷ୍ଟି ହେଉଥିବା ପାଶ୍ୱର୍ ପ୍ରତିକ୍ରିୟା ଦୂର କରିବାରେ ସହାୟକ ହୋଇଥାଏ । ଜଣେ ସମ୍ମୁଖୀନ ହେଉଥିବା ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କରେ ଅଙ୍କୋଲୋଜିଷ୍ଟଙ୍କ ସହ ଆଲୋଚନା କରି ଏସବୁ ଦୂର କରିବା ପାଇଁ ଉପଯୁକ୍ତ ପରାମର୍ଶ ନେଇପାରିବେ ଏବଂ ସୁରକ୍ଷିତ ଚିକିତ୍ସା କରିପାରିବେ । କର୍କଟ ସଂକ୍ରମିତ ସ୍ତନର ଅସ୍ତ୍ରୋପଚାର: ପୂର୍ବରୁ ଆମେ ସମସ୍ତ ଚିକିତ୍ସା ପଦ୍ଧତିରେ ସମ୍ପୂର୍ଣ୍ଣ ସ୍ତନର ଚିକିତ୍ସା ବିଷୟରେ ଜାଣିଲେ । ଏବେ ଆମେ ସ୍ତନର ଯେଉଁ ଅଂଶ ସଂକ୍ରମିତ ହୋଇଛି ତାହା ଉପରେ ଗୁରୁତ୍ୱ ଦେବା ଓ ଅସ୍ତ୍ରୋପଚାର ମାଧ୍ୟମରେ କେବଳ ସେହି ଅଂଶକୁ ଅଲଗା କରିଦେବା । ଏହାକୁ ସ୍ତନ ସଂରକ୍ଷଣ ଅସ୍ତ୍ରୋପଚାର କୁହାଯାଏ । ତେବେ ଏହି ଚିକିତ୍ସା ପଦ୍ଧତି ଆପଣାଇବାର ନିଷ୍ପତ୍ତି ସ୍ତନ କୋଷରେ ସୃଷ୍ଟି ହୋଇଥିବା ଟ୍ୟୁମରର ଆକାର ଓ ସ୍ଥାନ ଉପରେ ନିର୍ଭର କରେ । ସ୍ତନ ସଂରକ୍ଷଣ ଅସ୍ତ୍ରୋପଚାର (ବ୍ରେଷ୍ଟ କଞ୍ଜର୍ଭିଙ୍ଗ୍ ସର୍ଜରୀ)ର ଆଦୃତି ଦିନକୁ ଦିନ ବଢିବାରେ ଲାଗିଛି । ସମସ୍ତ ପ୍ରକାର ସ୍ତନ ସଂରକ୍ଷଣ ଅସ୍ତ୍ରୋପଚାର ପରେ ରେଡ଼ିଓଥେରାପିର ଆବଶ୍ୟକତା ହୋଇଥାଏ ।

ରେଡ଼ିଓଥେରାପି ଏବଂ ସ୍ତନ କର୍କଟ ଚିକିତ୍ସାରେ ଏହାର ଭୂମିକା: ରେଡ଼ିଏସନ ଥେରାପିରେ କ୍ୟାନ୍ସର ଆକ୍ରାନ୍ତ କୋଷକୁ ନଷ୍ଟ କରିବା ପାଇଁ ଏକ୍ସ-ରେ ଭଳି ଏକ ପ୍ରକାର ଚିକିତ୍ସା ପଦ୍ଧତି ବ୍ୟବହାର କରାଯାଇଥାଏ । ଯେତେବେଳେ ଏହା ସ୍ତନ କର୍କଟ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଏ, ସେତେବେଳେ ସଂକ୍ରମିତ ସ୍ତନର ରେଡିଏସନ କରାଯାଇଥାଏ, କେତେକ କ୍ଷେତ୍ରରେ ବାହୁତଳ ଆଭ୍ୟନ୍ତରୀଣ ଗ୍ରନ୍ଥି ଏବଂ କୋଲାର ବୋନ୍ ନିକଟରେ ରେଡିଏସନ କରାଯାଇଥାଏ । ରେଡିଏସନ ଥେରାପି ମୁଖ୍ୟତଃ ଦୁଇଟି ପ୍ରମୁଖ ପଦ୍ଧତିରେ ହୋଇଥାଏ । ଗୋଟିଏ ହେଲା ବାହ୍ୟ ଆଲୋକ ରଶ୍ମୀ ରେଡିଏସନ୍ ଏବଂ ଅନ୍ୟଟି ହେଲା ଥ୍ରୀ ଡିମେନ୍ସନାଲ କନଫର୍ମାଲ ରେଡିଓଥେରାପି । ବାହ୍ୟ ଆଲୋକ ରଶ୍ମି ରେଡିଏସନ ଥେରାପିରେ ଏକ ମେସିନରୁ ସିଧାସଳଖ ଭାବେ ଉଚ୍ଚ କ୍ଷମତା ସମ୍ପନ୍ନ ଆଲୋକ ରଶ୍ମି ଶରୀରର ବାହ୍ୟ ଅଙ୍ଗ ବା ଯେଉଁ ଅଙ୍ଗ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବ ତାହା ଉପରେ ପଡ଼ିଥାଏ । ଇଫେନ୍ସିଟି ମୋଡୁଲେଟେଡ୍ ଥେରାପି (ଆଇଏମଆରଟି), ଆଇଜିଆରଟି,ଟୋମୋ ଥେରାପି ଏବଂ ଷ୍ଟେରିଓଟାକ୍ଟିକ ରେଡିଓ ସର୍ଜରୀ ଆଦି ଏହି ପ୍ରକାର ରେଡିଏସନ ଥେରାପି ଅନ୍ତର୍ଭୁକ୍ତ । ରେଡିଏସନ ଥେରାପି ସ୍ତନ କର୍କଟ ଚିକିତ୍ସା କ୍ଷେତ୍ରରେ ମୁଖ୍ୟତଃ ଅସ୍ତ୍ରୋପଚାର ଦ୍ୱାରା ସ୍ତନର ସ୍ପିତାଂଶ କାଟିଦିଆଯିବା କିମ୍ବା କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ଦ୍ୱାରା ଏକ ସ୍ତନର ଅପସାରଣ କରିନିଆଯିବା ପରେ କରାଯାଇଥାଏ । ସ୍ତନ କର୍କଟ ରୋଗ ଜନିତ ବିପଦକୁ କମାଇବା ପାଇଁ ଏହି ଥେରାପି କରାଯାଇଥାଏ । ମୁଖ୍ୟତଃ ଅସ୍ତ୍ରୋପଚାର ପରେ ଯେ ପର୍ଯ୍ୟନ୍ତ ଉକ୍ତ ଅଙ୍ଗ ଆରୋଗ୍ୟ ନ ହୋଇଛି, ସେ ପର୍ଯ୍ୟନ୍ତ ଦୀର୍ଘ ସପ୍ତାହ ଧରି ଏହି ଥେରାପି କରାଯାଇଥାଏ । ଯେଉଁ କାର୍ଯ୍ୟ ପାଇଁ ରେଡିଓଥେରାପିର ବ୍ୟବହାର ହୋଇଥାଏ ସେଗୁଡିକ ହେଲା ପ୍ରାଥମିକ ଚିକିତ୍ସା ଭାବେ କର୍କଟ ରୋଗରେ ଆକ୍ରାନ୍ତ କୋଷଗୁଡ଼ିକୁ ନଷ୍ଟ କରିବା ପାଇଁ ଏହା ବ୍ୟବହାର କରାଯାଏ, ଟ୍ୟୁମରକୁ ସଙ୍କୁଚିତ କରିବା ପାଇଁ ଅନ୍ୟ କୌଣସି ଚିକିତ୍ସା କରିବା ପୂର୍ବରୁ ଏହାର ବ୍ୟବହାର କରାଯାଏ, ଅନ୍ୟ କୌଣସି ଚିକିତ୍ସା ପରେ କର୍କଟ ଆକ୍ରାନ୍ତ କୋଷଗୁଡ଼ିକର ବୃଦ୍ଧିକୁ ରୋକିବା ନିମନ୍ତେ ରେଡ଼ିଓଥେରାପିର ଉପଯୋଗ କରାଯାଏ, କର୍କଟ ଆକ୍ରାନ୍ତ କୋଷଗୁଡ଼ିକର ବୃଦ୍ଧି ରୋକିବା ନିମନ୍ତେ ଅନ୍ୟ ଚିକିତ୍ସା ପଦ୍ଧତି ସହ ଏହାର ଉପଯୋଗ ମଧ୍ୟ କରାଯାଇଥାଏ, କର୍କଟ ରୋଗର ଲକ୍ଷ୍ୟଣରୁ ଉପଶମ ଦେବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଏ । ବିଶେଷ ଭାବେ ସପ୍ତାହରେ ୫ ଥର ରେଡିଏସନ ଚିକିତ୍ସା କରାଯାଇଥାଏ ଏବଂ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ । ତେବେ ଏହା ରୋଗୀର ସ୍ୱାସ୍ଥ୍ୟାବସ୍ଥା, ମେଡିକାଲ ହିଷ୍ଟ୍ରି ଓ ରୋଗର ସ୍ଥିତି ଉପରେ ନିର୍ଭର କରେ ଯେ କେତେ ଥର ରେଡ଼ିଏସନ ଥେରାପି କରାଯିବ ।

ଡାକ୍ତର ସୁଶାନ୍ତ ପାଇକରାୟ
କର୍କଟ ରୋଗ ବିଶେଷଜ୍ଞ,
ମୋବାଇଲ୍ ନଂ: ୯୮୬୮୯୯୬୬୪୯

Comments are closed.