ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ୩ ଓଡ଼ିଆ ସିନେମା ପୁରସ୍କୃତ

76

ନୂଆଦିଲ୍ଲୀ/ଭୁବନେଶ୍ୱର : ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ “ଶଲା ବୁଢ଼ାର ବଦଲା’ ପୁରସ୍କୃତ ହୋଇଛି । ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର ପୁରସ୍କୃତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସବ୍ୟସାଚୀ ମହାପାତ୍ରଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ବଲିଉଡର ଭର୍ସଟାଇଲ ଅଭିନେତା ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା ରୂପେ ପୁରସ୍କୃତ ହୋଇଛନ୍ତି । ଫିଲ୍ମ “ଭୋସଲେ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ।

ସେହିପରି ସାଉଥ ସୁପରଷ୍ଟାର ଧନୁଷଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ରୂପେ ଫିଲ୍ମ “ଅସୁରନ୍’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିବା ବେଳେ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ତାଙ୍କୁ ଫିଲ୍ମ “ପଙ୍ଗା’ ଓ “ମଣିକର୍ଣ୍ଣିକା’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବଲିଉଡ ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି ।

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ :

୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ୩ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କୃତ ହୋଇଛି । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ “ଶଲା ବୁଢ଼ାର ବଦଲା’ ଓ ‘କାଲିର ଅତୀତ’କୁ ପୁରସ୍କାର ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ଶ୍ରେଷ୍ଠ କଳା ଓ ସାଂସ୍କୃତିକ ଚଳଚ୍ଚିତ୍ର ଭାବେ ବେଷ୍ଟ ଆର୍ଟ ଆଣ୍ଡ କଲଚର ଫିଲ୍ମ ଭାବେ “ଶ୍ରୀକ୍ଷେତ୍ରରୁ ସାହି ଯାତ’ ଜାତୀୟ ଫିଲ୍ମ ପୁରସ୍କୃତ ହୋଇଛି । ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିବା ବେଳେ ଏହାର ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ଲେଖିଛନ୍ତି ।

Comments are closed.