ପୌର ଭୋଟ ପାଇଁ ବାଜିଲା ବିଗୁଲ୍

0 73

-ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଜିଲ୍ଲାପାଳଙ୍କୁ ଚିଠି
-ତିନି ମହାନଗର ନିଗମ ସଂରକ୍ଷଣ ନେଇ ୧୫ରେ ବିଜ୍ଞପ୍ତି
-ଆଜି ଆସିବ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ଭୁବନେଶ୍ୱର : ପଞ୍ଚାୟତ ପରେ ପୌର ନିର୍ବାଚନ ପାଇଁ ବିଗୁଲ ବାଜିଛି । ରାଜ୍ୟର ୧୦୫ ମ୍ୟୁନିସିପାଲିଟି ଓ ଏନ୍ଏସିରେ ନିର୍ବାଚନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ପୌର ପରିଷଦ ଓ ଏନ୍ଏସିରେ ପୁନଃ ସୀମା ନିର୍ଦ୍ଧାରଣ ସହ ଆଇନ ଅନୁସାରେ ସଂରକ୍ଷଣ ବ୍ୟବସ୍ଥା ରହିବ । ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ସୀମା ଟପିବ ନାହିଁ । ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ନଭେମ୍ବର ୯ ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ । ଏହା ଡିସେମ୍ବର ୧୩ ସୁଦ୍ଧା ସାରିବା ପାଇଁ କୁହାଯାଇଛି । ଏଥିପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଶ୍ରୀ ଜେନା ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା ନଭେମ୍ବର ୨୦ତାରିଖ ଦିନ ପୌରାଞ୍ଚଳ ମାନଙ୍କରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବ । ଜିଲ୍ଲାପାଳମାନେ ମ୍ୟୁନିସିପାଲ ଅଧିନିୟମ ୧୯୫୦ ଅନ୍ତର୍ଗତ ନିୟମ ୨ଏ(୫) ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରିବେ । ଜିଲ୍ଲାପାଳ ମାନଙ୍କୁ ଏ ନେଇ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ଜିଲ୍ଲାପାଳ ମାନଙ୍କୁ ପଠାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲାପାଳମାନେ ଆସନ୍ତା ନଭେମ୍ବର ୯ତାରିଖ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଏ ନେଇ ଆପତି ଅଭିଯୋଗ ନଭେମ୍ବର ୧୮ ପର୍ଯ୍ୟନ୍ତ ଗ୍ରହଣ କରାଯିବ ଏବଂ ନଭେମ୍ବର ୨୯ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବ । ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଉପରେ ଗୃହ ଓ ନଗର ଉନ୍ନୟନ ବିଭାଗ ପାଖରେ ନଭେମ୍ବର ୨୯ରୁ ଡିସେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଆପତି(ଅପିଲ୍) ଦାଖଲ କରାଯାଇ ପାରିବ । ଉପରୋକ୍ତ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ସେହିପରି ୫ଟି ମହାନଗର ନିଗମ ମଧ୍ୟରୁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ସଂପର୍କିତ ତଥ୍ୟ ଆସନ୍ତା ନଭେମ୍ବର ୧୫ ସୁଦ୍ଧା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଦାଖଲ କରିବାକୁ କୁହାଯାଇଛି । ବିଭାଗ ତରଫରୁ ଡିସେମ୍ବର ୧୦ତାରିଖ ଦିନ ଏ ନେଇ ଚିଠା ତାଲିକା ପ୍ରକାଶ ପାଇବ । ପ୍ରକାଶିତ ଚିଠା ତାଲିକା ଉପରେ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଆପତି ଅଭିଯୋଗ ଗ୍ରହଣ କରାଯିବା ସହିତ ୨୦୨୨ ଜାନୁୟାରୀ ୨୦ତାରିଖ ପୂର୍ବରୁ ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଏ ନେଇ ଉପରୋକ୍ତ ୩ ଗୋଟି ମହାନଗର ନିଗମର କମିଶନର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଆମର ୧୧୪ ଗୋଟି ୟୁ.ଏଲ୍.ବି ମଧ୍ୟରେ ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲିଟି ଓ ୬୧ଟି ଏନ୍.ଏ.ସି ରହିଛି । ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଏଥିପାଇଁ ପାଗ ଭିଡିଲେଣି ସବୁ ରାଜନୈତିକ ଦଳ । ଚାଲିଲାଣି ମିଶ୍ରଣ ପର୍ବ ।

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଆସନ୍ତାକାଲି ପୁରୀରେ ଦଳର ଯୁବ ଓ ଛାତ୍ରଙ୍କୁ ପ୍ରଶିକ୍ଷଣ ଦେବ । କିଭଳି ସରକାରଙ୍କ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବ ତା ଉପରେ ଗୁରୁତ୍ୱ ଦିଆଯିବ । ବିରୋଧୀ ମଧ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରୁଛି । ଆସନ୍ତାବର୍ଷ ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହୋଇପାରେ । ଏହାର ୩ରୁ ୪ ମାସ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି । ଆସନ୍ତା ୨୦୨୪ ଫାଇନାଲ ଲଢ଼େଇରେ
କିଏ ବାଜିମାତ୍ କରିବ ତାହା ପଞ୍ଚାୟତ ଓ ପୌର ଏହି ଦୁଇଟି ନିର୍ବାଚନ ସ୍ପଷ୍ଟ କରିବ ବୋଲି କୁହାଯାଉଛି । ରାଜ୍ୟରେ ୫ଟି ମହାନଗର ନିଗମ ମଧ୍ୟରୁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ୱାର୍ଡସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସେମ୍ବର ୧୦ ତାରିଖ ସୁଦ୍ଧା ଏଥିନେଇ ଚିଠା ତାଲିକା ପ୍ରକାଶ ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ୧୯ ଡିସେମ୍ବର ସୁଦ୍ଧା ଏ ସମ୍ପର୍କରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ଆସନ୍ତାବର୍ଷ ଜାନୁଆରୀ ୨୦ ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ପ୍ରକାଶ ପାଇବ ଚୂଡ଼ାନ୍ତ ବିଜ୍ଞପ୍ତି । ଏଥିପାଇଁ କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଅଦାଲତରେ ମାମଲା ଥିବାଯୋଗୁ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.