ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି : ରାଜ୍ୟରେ ହେବ ୩୪ ଶିଶୁ ଅନୁକୂଳ ଥାନା

73

ଭୁବନେଶ୍ୱର : ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି । ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ପିଲା ତଥା ସହାୟତା ଆବଶ୍ୟକତା କରୁଥିବା ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ୱତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହିସବୁ ପୋଲିସ ଷ୍ଟେସନରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯିବ । ଏହିସବୁ ଥାନାରେ ସ୍ୱତନ୍ତ୍ର ଲୋଗୋ ଓ ଫଳକ ରହିବା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ । ଏଥିରେ ବିଭିନ୍ନ ରୁଚି ସମ୍ପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ । ପିଲାମାନଙ୍କ ସୁବିଧା ପାଇଁ ବିଛଣା, ଚଉକି ଓ ଟେବୁଲ ମଧ୍ୟ ରଖାଯିବ ।

ଏହା ସହିତ ଶିଶୁମାନଙ୍କ ଅଧିକାର ସମ୍ପର୍କିତ ଫଳକ ଏବଂ ପୋଲିସ “କ’ଣ କରିବେ ବା ନ କରିବେ’ ସେ ସମ୍ପର୍କରେ ମଧ୍ୟ ସୂଚନା ଫଳକ ରହିବ । ଶିଶୁକଲ୍ୟାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ତାଙ୍କ ନାମ ଓ ଅନ୍ୟାନ୍ୟ ସୂଚନା ସମ୍ପର୍କରେ ଏକ ସ୍ୱତନ୍ତ୍ର ଫଳକ ରହିବ । ଏହାସହିତ ପିଲାଙ୍କ ପାଇଁ ଖେଳନା, ଫାଷ୍ଟଏଡ୍ କିଟ୍ ମଧ୍ୟ ରଖାଯିବ । ଥାନା ପରିସର ମଧ୍ୟରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥଗୁଡ଼ିକରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ । ସାଧାରଣ ଥାନା ଗୁଡ଼ିକଠାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଢ଼ାଯିବା ଦ୍ୱାରା ଥାନାକୁ ଯାଉଥିବା ଶିଶୁମାନଙ୍କ ମାନସିକ ଚାପ ହ୍ରାସ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ ।

ଦୁର୍ନୀତି ରାଜ୍ୟ ବିକାଶର ବଡ଼ ପ୍ରତିବନ୍ଧକ :

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ଅକ୍ଟୋବର ୨୬ରୁ ନଭେମ୍ବର ୧ ଯାଏ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି । ଦୁର୍ନୀତି ନିବାରଣ ଅଭିଯାନରେ ସଂକଳ୍ପବଦ୍ଧ ଓ ଉତ୍ସର୍ଗୀକୃତ ଭାବେ ସାମିଲ ହୋଇ ଉତ୍ତମ ସମାଜ ଗଠନରେ ସହାୟକ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ବିକାଶ ଓ ପ୍ରଗତି ପଥରେ ଦୁର୍ନୀତି ପ୍ରମୁଖ ଅନ୍ତରାୟ । ବିକାଶ ଓ ଜନକଲ୍ୟାଣମୂଳକ କାର୍ଯ୍ୟର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ । ଦୁର୍ନୀତି ମଧ୍ୟ ସୁଶାସନ, ସାମାଜିକ ସଂହତି ତଥା ବ୍ୟକ୍ତି ମର୍ଯ୍ୟାଦା ଓ ଅଧିକାରର ପରିପନ୍ଥୀ । ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ସ୍ୱଚ୍ଛତା ଏବଂ ଶୂନ୍ୟ ସହିଷ୍ଣୁତା ଉପରେ ପ୍ରାଧାନ୍ୟ ଦେଇଆସୁଛନ୍ତି । ଦୁର୍ନୀତି ବିରୋଧରେ ସଂଗ୍ରାମର ସଫଳତା ପାଇଁ ଜନଶିକ୍ଷା ଓ ସଚେତନତା ତଥା ଗୋଷ୍ଠୀଗତ ସହଯୋଗ ଅତ୍ୟନ୍ତ ଆବଶ୍ୟକ । ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ନୀତିମୁକ୍ତ ସମାଜ ଗଠନ ସହ ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମାଜର ସବୁବର୍ଗର ଆକୁଙଋ ସମର୍ଥନ, ସହଯୋଗ ଓ ସହଭାଗିତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍କୁଲ ପରେ କଲେଜର ହେବ ୫-ଟି ରୂପାନ୍ତର :

ସ୍କୁଲ ପରେ କଲେଜର ରୂପାନ୍ତର ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୋ କଲେଜ ଅଭିଯାନରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୪୦ଟି କଲେଜକୁ ରୂପାନ୍ତର କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୨ କଲେଜ ଓ ଦୁଇ ବିଶ୍ୱବିଦ୍ୟାଳୟକୁ ଅନୁଦାନ ଦିଆଯିବ । ଏଥିପାଇଁ ୧.୫କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାମ୍ପସ୍ ଓ କ୍ଲାସ୍ରୁମ୍ ସହ ଶିକ୍ଷାର ମାନ ମଧ୍ୟ ବଢ଼ିବ । ଏହାଦ୍ୱାରା ୩୦ହଜାର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ସଫଳତା ହିଁ ପ୍ରେରଣା ଦେଇଛି । ସ୍କୁଲସ୍ତରରେ ସଫଳତା ପରେ ଉଚ୍ଚଶିକ୍ଷା ଅନୁଷ୍ଠାନର ରୂପାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ମୋଟ ୧୦୭୦ ସ୍କୁଲରେ ଏହି ରୂପାନ୍ତର କାର୍ଯ୍ୟକ୍ରମ ଚାଲିଛି । ଏହି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ୧୪ ନଭେମ୍ବର ସୁଦ୍ଧା ଶେଷ ହେବ । ହିଞ୍ଜିଳି ବ୍ଲକ୍ ରେ ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇ ଲୋକାର୍ପିତ ହୋଇସାରିଛି । ଆମ ଜୀବନରେ କଲେଜକୁ ସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି । ଏହି ଅଭିଯାନରେ ସାମିଲ ହେବାକୁ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି ।

Comments are closed.