ଜଳବାୟୁ ପରିବର୍ତ୍ତନର ପ୍ରଭାବ : ଦକ୍ଷିଣ ପୂର୍ବ ଏସିଆରେ ୪୮.୮ ନିୟୁତ ଲୋକ କୁପୋଷଣର ଶିକାର

0 59

-ଭାରତର ୮୭୦୦କୋଟି ଡଲାର କ୍ଷତି

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଗତ ୨୦୨୦ ବର୍ଷରେ ଦେଖାଦେଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ୮୭୦୦ କୋଟି ଡଲାର କ୍ଷତି ହୋଇଛି । ଏଥିନେଇ ବିଶ୍ୱ ପାଣିପାଗ ସଂଗଠନ(ଡିଏମ୍ଓ) ପକ୍ଷରୁ ଏସିଆରେ ଜଳବାୟୁ ସମ୍ପର୍କରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଭାରତରେ ଗତବର୍ଷ ଦେଖାଦେଇଥିବା ବନ୍ୟା, ବାତ୍ୟା ଓ ମରୁଡ଼ି ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଜାତିସଂଘ ଦ୍ୱାରା ଅକ୍ଟୋବର ୩୧ରେ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଆୟୋଜିତ ହେବାକୁ ଥିବା ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଚୀନ୍ ରେ ସର୍ବାଧିକ ୨୩ହଜାର ୮୦୦ କୋଟି ଡଲାର କ୍ଷତି ହୋଇଥିବା ବେଳେ
ଏହା ପଛରେ ଭାରତ ରହିଛି । ଭାରତରେ ୮୭୦୦ କୋଟି ଡଲାର କ୍ଷତି ହୋଇଥିବା ବେଳେ ଜାପାନରେ ୮୩୦୦ କୋଟି ଡଲାର କ୍ଷତି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଗତବର୍ଷ ଅତ୍ୟଧିକ ଉତ୍ତାପ ଅନୁଭୂତ ହୋଇଥିବା ବେଳେ ଏସିଆର ତାପମାତ୍ରାରେ ୧.୩୯ ଡିଗ୍ରି ସେଲସିୟସ୍ ବୃଦ୍ଧି ହୋଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଅଧା ଭାରତରେ ଜଳପ୍ରଳୟ ଦେଖାଦେଇଛି । ଉତ୍ତରାଖଣ୍ଡ, କେରଳ, ବିହାରରେ ପ୍ରକୃତି ତାଣ୍ଡବ ରଚିଛି । ଅନେକ ଲୋକ ମୃତାହତ ହେବା ସହିତ ଅନେକ ଧନଜୀବନ ନଷ୍ଟ ହୋଇଛି । ଓଡ଼ିଶା ଉପକୂଳରେ ମଧ୍ୟ ବାରମ୍ବାର ଲଘୁଚାପ ଦେଖାଦେଇଛି । ସେହିପରି ଏସିଆରେ ଖାଦ୍ୟ ସୁରକ୍ଷା ସ୍ଥିତି ଉକ୍ରଟ ରହିଥିବା ଏଥିରେ ଦର୍ଶାଯାଇଛି । ୨୦୨୦ ବର୍ଷରେ ଦକ୍ଷିଣ ପୂର୍ବ ଏସିଆରେ ୪୮.୮ ନିୟୁତ ଲୋକ କୁପୋଷଣର ଶିକାର ହୋଇଥିବା ବେଳେ ଦକ୍ଷିଣ ଏସିଆରେ ଏହାର ପରିମାଣ ୩୦.୫୭ ରହିଛି । ସେହିପରି ପଶ୍ଚିମ ଏସିଆରେ ୪୨.୩ ନିୟୁତ ଲୋକ କୁପୋଷଣ ଦ୍ୱାରା ପ୍ରଭାବିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.