କେନ୍ଦୁଝରରେ ରାଜ୍ୟର ପ୍ରଥମ ମିଲେଟ୍ କାଫେ ଉଦଘାଟିତ

67

କେନ୍ଦୁଝର : ଓଡିଶା ମିଲେଟସ ମିଶନ ଓ ମିଶନ ଶକ୍ତିର ମିଳିତ ସହଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟର କଲେକ୍ଟୋରେଟ୍ ପରିସରରେ “ମିଲେଟ୍ ଶକ୍ତି କାଫେ” ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଦ୍ୱାରା ଗତକାଲି ଅପରାହ୍ନରେ ଉଦଘାଟିତ ହୋଇଛି । ଏହି କାଫେ ରାଜ୍ୟରେ ପ୍ରଥମ ବୋଲି କୁହାଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍.କାର୍ତିକେୟନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ମୁଖ୍ୟତଃ ରାଜ୍ୟରେ ପ୍ରତ୍ୟେକ ବୟସର ପୃଷ୍ଟିସାର ସ୍ଥିତିରେ ଉନ୍ନତି ଆଣିବା, ମାଣ୍ଡିଆକୁ ଖାଦ୍ୟ ଭାବେ ବ୍ୟବହାର କରିବାର ପୁରାତନ ପରମ୍ପରାର ପୁନରୁଦ୍ଧାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ରୋଜଗାର ଯୋଗାଇଦେବା କ୍ଷେତ୍ରରେ ଏହି ପଦକ୍ଷେପ ବେଶ୍ ଫଳପ୍ରଦ ହେବ । ଉଦବୋଧନ ଛଳରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ ମାଣ୍ଡିଆ ଆମର ପାରମ୍ପରିକ ଖାଦ୍ୟ । ମାଣ୍ଡିଆର ପୃଷ୍ଟିସାର ଓ ଗୁଣବତା ସମ୍ପର୍କରେ ସମସ୍ତେ ଜାଣନ୍ତି । ଆମ ରାଜ୍ୟର ମହିଳା ଓ ଶିଶୁମାନଙ୍କର ପୃଷ୍ଟିଗତ ସ୍ଥିତିରେ ଉନ୍ନତି ଆଣିବା କ୍ଷେତ୍ରରେ ମାଣ୍ଡିଆକୁ ଏକ ବିକଳ୍ପ ଉପଯୋଗୀ ଖାଦ୍ୟ ଭାବେ ଗ୍ରହଣ କରାଯାଇଛି ।

ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍.କାର୍ତିକେୟନ ଉଦବୋଧନ ଦେଇ “ଓଡିଶା ମିଲେଟ୍ ମିଶନ, ମିଶନ ଶକ୍ତି ଏବଂ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଏଠାରେ ରାଜ୍ୟର ପ୍ରଥମ “ମିଲେଟ୍ ଶକ୍ତି କାଫେ” ସ୍ଥାପନ ହେବା ଏକ ଐତିହାସିକ ଘଟଣା । ପାରମ୍ପରିକ ମାଣ୍ଡିଆ ଚାଷ ଲୁପ୍ତ ପ୍ରାୟ ହେଉଥିବାବେଳେ ଏହାର ପୁର୍ନଉଦ୍ଧାର ସହିତ ମାଣ୍ଡିଆଜାତ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ ଏବଂ କାଫେ ପରିଚାଳନରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ୍ କରିବା ଫଳରେ ଏହା ଆର୍ôଥକ ବିକାଶ ଦିଗରେ ନୂଆ ଦିଶା ଦେଖାଇବ । ମାଣ୍ଡିଆ ଜାତୀୟ ଖାଦ୍ୟ ଶସ୍ୟରେ ଅନ୍ୟ ଖାଦ୍ୟ ପଦାର୍ଥ ଠାରୁ ଢେର ଅଧିକ ମାତ୍ରାରେ ପୃଷ୍ଟି ଥିବାରୁ ଏବଂ ରୋଗ ପ୍ରତିଷେଧକ ଗୁଣବତା ଥିବାରୁ ଜନସାଧାରଣଙ୍କ ଖାଦ୍ୟାଭ୍ୟାସରେ ଏହା ସାମିଲ୍ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ମିଲେଟ୍ ମିଶନ ଓ ମିଶନ ଶକ୍ତି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଜିଲ୍ଲାରେ ପ୍ରତି ଗ୍ରାମ ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ସହ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ୍ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କୁ କହିଥିଲେ । ଜିଲ୍ଲାପାଳ ଆଶିଷ ଠାକରେ ନିଜ ଅଭିଭାଷଣରେ “ମିଲେଟ୍ ଶକ୍ତି କାଫେ” ସ୍ଥାପନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ୨୦୧୮ ମସିହା ମାର୍ଚ୍ଚ ମାସରେ କେନ୍ଦୁଝର ଜିଲ୍ଲାରେ ଓଡିଶା ମିଲେଟ୍ ମିଶନ କାର୍ଯ୍ୟକାରୀ ହେବା ପରେ ଏହାର କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି । ପ୍ରାୟ ୪୦୦୦ ଚାଷୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ କରାଯାଇ ପ୍ରାୟ୧୮୭୬ ଏକର ଜମିରେ ମାଣ୍ଡିଆ ଚାଷ କରାଯାଉଛି ଏବଂ ଡି.ଏମ୍.ଏଫ୍.ସହଯୋଗରେ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି । ୨୦୨୦ ମସିହା ଜୁଲାଇ ଦୁଇ ତାରିଖରୁ ଜିଲ୍ଲାର ସମସ୍ତ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଅତିରିକ୍ତ ଭାବେ ମାଣ୍ଡିଆ ଲଡୁ ପ୍ରଦାନ କରାଯିବା ସହ ମହାମାରୀ କରୋନା ସମୟରେ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ଘରକୁ ମାଣ୍ଡିଆ ମିକ୍ସ୍ ଯୋଗାଇ ଦିଆଯାଉଥିବା ଜିଲ୍ଲାପାଳ ଶ୍ରୀ ଠାକରେ କହିଥିଲେ ।

ଏହି ଅବସରରେ ମାଣ୍ଡିଆ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚାରିଜଣ ଚାଷୀ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜଣେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ, ମାଣ୍ଡିଆ ଜାତୀୟ ଖାଦ୍ୟଶସ୍ୟରୁ ବ୍ୟଞ୍ଜନ ପ୍ରସ୍ତୁତି କ୍ଷେତ୍ରରେ ଜଣେ ସେଫ୍ଙ୍କୁ ଏବଂ କରୋନା ମହାମାରୀ ସମୟରେ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ଘରକୁ ମାଣ୍ଡିଆ ମିକ୍ସ୍ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଦୁଇ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜିଲ୍ଲାପାଳ ଶ୍ରୀ ଠାକରେ ଏବଂ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ୍ ସମ୍ବର୍ଦ୍ଧିତ କରିଥିଲେ । ଉପନିର୍ଦ୍ଦେଶକ, ସୂଚନା ଓ ଲୋକ ସମ୍ପର୍କ ସଂଜୀବ ବାରିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହାପରେ ମିଲେଟ୍ ଶକ୍ତି କାଫେ ଏବଂ ମାଣ୍ଡିଆ ଜାତୀୟ ଖାଦ୍ୟ ଅଭ୍ୟାସର ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସଚେତନତା ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି କାଫେରେ ଗତ କିଛିଦିନ ହେବ ବିକ୍ରିବଟା ଆରମ୍ଭ ହୋଇସାରିଛି ।

Comments are closed.