ନଭେମ୍ବର ୧ ତାରିଖରୁ ଭୋଟର ତାଲିକା ସଂଶୋଧନ

71

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧ ତାରିଖରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ । ଜାନୁଆରୀ ୬ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଚଳିତ ଥର ଅନ ଲାଇନ ମାଧ୍ୟମରେ ସଂଶୋଧନ କରିହେବ । ଏଥିପାଇଁ ସ୍ୱତନ୍ତ୍ର ଆପର ବ୍ୟବସ୍ଥା କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଶନିବାର ଦିନ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତିମାନେ ଏଥିରେ ସାମିଲ ହୋଇ ପାରିବେ । ଯେଉଁମାନେ ଯୋଗ୍ୟ ଭୋଟର ହୋଇଥିବେ, ସେମାନଙ୍କର ଭୋଟର ଲିଷ୍ଟରେ ନାଁ ନଥିବ କିମ୍ବା ଯେଉଁମାନେ ଭୋଟର ଲିଷ୍ଟରୁ ନାଁ କାଟିବାକୁ ଚାହୁଁଥିବେ କିମ୍ୱା ତ୍ରୁଟି ସଂଶୋଧନ କରି ପାରିବେ । ଏହି ବ୍ୟବସ୍ଥା ଚଳିତ ଥର ଅନଲାଇନ ବ୍ୟବସ୍ଥା ମାଧ୍ୟମରେ କରାଯିବ । ପୂର୍ବରୁ ଏହା ଅଫ ଲାଇନରେ କରାଯାଉଥିଲା ।

ଏକ ସ୍ୱତନ୍ତ୍ର ଆପ ମାଧ୍ୟମରେ ଏହି ସଂଶୋଧନ ପ୍ରକ୍ରିୟା ଲୋକମାନେ କରି ପାରିବେ । ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ପ୍ରମାଣପତ୍ର ଲୋକମାନଙ୍କୁ ଦେବାକୁ ହେବ । ଏହାପରେ ସରକାରୀ ଅଧିକାରୀମାନେ ଘରକୁ ଯାଇ ଆପଣଙ୍କୁ କାର୍ଡ ଯୋଗାଇ ଦେବେ କିମ୍ୱା ସ୍ପିଡ ପୋଷ୍ଟ ମାଧ୍ୟମରେ ଘରକୁ ପଠାଯିବ । ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ ଏହି ମାସର ପ୍ରଥମ ଓ ତୃତୀୟ ରବିବାର ଦିନ ସରକାରୀ ଅଧିକାରୀମାନେ ବୁଥରେ ରହିବେ । ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ କରିପାରିବେ ।

ଉପାନ୍ତ ଅଂଚଳରେ ଭୋଟର ତାଲିକା ସଂଶୋଧନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏକ ମାସ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆବେଦନ କରି ପାରିବେ । ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ । ଜାନୁଆରୀ ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଦୁଇଟି ଭୋଟର ଆଇଡି ଥିବା ଏକ ଲକ୍ଷ ଲୋକଙ୍କୁ ଆମେ ଅଟୋ ମେକାନିଜମ ଦ୍ୱାରା ବାଦ ଦେଇ ସାରିଛୁ । ଆହୁରି ୪ ଲକ୍ଷ ଆବେଦନ ମଧ୍ୟ ରହିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

Comments are closed.