ରାଷ୍ଟ୍ରୀୟ ଏକତା ଦିବସରେ ଏକତା ପ୍ରଦର୍ଶନ କଲେ ଦୁର୍ଗାପାଲି ଅଞ୍ଚଳବାସୀ

62

ସମ୍ବଲପୁର : ଲୌହପୁରୁଷ ଭାରତରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ୧୪୬ ତମ ଜନ୍ମଜୟନ୍ତୀ । ସାରା ଦେଶରେ ଆଜିର ଦିନଟିକୁ ରାଷ୍ଟ୍ରୀୟ ଏକତା ଦିବସ ରୂପରେ ପାଳନ କରାଯାଉଛି । ଏହି ଅବସରରେ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିବିଧ କାର୍ଯ୍ୟକ୍ରମମାନ ସାରା ଦେଶରେ ଆୟୋଜିତ ହୋଇଯାଇଛି । ଏହି ମର୍ମରେ ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ୧୫ ନମ୍ବର ୱାର୍ଡ ର ବସ୍ତିବାସିନ୍ଦା ଏକ ବିଶେଷ କାର୍ଯ୍ୟକ୍ରମ ଜରିଆରେ ରାଷ୍ଟ୍ରୀୟ ଏକତା ଦିବସରେ ଅଞ୍ଚଳର ଏକତା ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ଦୁର୍ଗାପାଲି ଅଞ୍ଚଳର କାନିଯୁରି ଠାରେ ଏକ ରାସ୍ତାକୁ ଅଞ୍ଚଳର ସମସ୍ତ ମହିଳା ମିଳିମିଶି ମରାମତି କରିଥିଲେ । ସହରର ଅନ୍ୟାନ୍ୟ ଅଞ୍ଚଳ ଦୁର୍ଗାପାଲି ଅଞ୍ଚଳରେ ମଧ୍ୟ ସ୍ୱରେଜ କାମ କରାଯାଇଛି । ସ୍ୱରେଜ ବିଭାଗ ଚିରାଚରିତ ଢଙ୍ଗରେ ସ୍ୱରେଜ କାର୍ଯ୍ୟ ସମ୍ପୂର୍ଣ୍ଣ କରି ରାସ୍ତାକୁ ପୂର୍ବାବସ୍ଥାକୁ ନଫେରେଇ ଛାଡି ଚାଲି ଯାଇଛି । ଅଞ୍ଚଳବାସୀ ବାରମ୍ବାର ସ୍ୱରେଜ ବିଭାଗ, ପୋୖର ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କଲା ପରେ ମଧ୍ୟ କେହି ବି ସେ ରାସ୍ତାକୁ ମରାମତି କଲେ ନାହିଁ । ଶେଷରେ ଆଜି ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଅଞ୍ଚଳର ମହିଳା ମାନେ ଏକତ୍ରିତ ହୋଇ ସେହି ରାସ୍ତାକୁ ମରାମତି କରିଛନ୍ତି । ଅଞ୍ଚଳର ବହୁ ମହିଳା ଏକତା ପ୍ରଦର୍ଶନ କରି ଏକତ୍ରିତ ହୋଇ ସ୍ୱଇଚ୍ଛାରେ ଏହି ଶ୍ରମଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏକ ନୂତନ ଗୃହ ନିର୍ମାଣ ପାଇଁ ଖୋଳା ହୋଇଥିବା ମାଟି, ପଥର ଏହି ଖାଲଖମା ରାସ୍ତାରେ ପକାଇ ଏହାକୁ ସମତୁଲ କରିଥିଲେ । ଯାହାଫଳରେ ଏବେ ଏହି ରାସ୍ତା ଯାତାୟାତ ଯୋଗ୍ୟ ହୋଇପାରିଛି ।

ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ଓ କାନିଯୁରିରେ ରହୁଥିବା ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଅନୁସୟା ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଆର୍ତ୍ତବନ୍ଧୁ ଚାନ୍ଦ, ବାବଲୁ ସାହୁ, ଗୁଲାପି ମେକାପ, ସୁନିତା କଉଡ଼ି, ସନ୍ତୋଷିନି ପାତ୍ର, ମିଲି ମେହେର, ସାବିତ୍ରୀ ମେହେର, ପଦ୍ମାଳୟା ବାଗ, ସରସ୍ୱତୀ ପତ୍ର, ସାବିତ୍ରୀ କ୍ଷେତ୍ରୀ, ବସନ୍ତି ତରିଆ, ଶାନ୍ତି ସାହୁ, ଭୂମିସୁତା ସାହୁ, ବାସୁକି ସେଠଙ୍କ ସମେତ ବହୁ ମହିଳା, ଯୁବକ ଯୁବତୀ ଶ୍ରମଦାନ କରିଥିଲେ । ବିଜେପିର ସମୀର ରଞ୍ଜନ ବାବୁ, ମାନସ ରଞ୍ଜନ ବକ୍ସି, ପ୍ରଭୁଦତ୍ତ ପଣ୍ଡା, ମହମ୍ମଦ ହାସିମ, ଅରବିନ୍ଦ ମେହେର ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।

Comments are closed.