ନଭେମ୍ବର ଗାଇଡଲାଇନ : ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ବଳବତ୍ତର

67

ଭୁବନେଶ୍ୱର : ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ କମିସନର ନଭେମ୍ବର ମାସ ଲାଗି ଗାଇଡଲାଇନ୍ ବା ମାର୍ଗଦର୍ଶିକା ଜାରି କରିଛନ୍ତି । ଗାଇଡ୍ଲାଇନ୍ ଅନୁସାରେ ସରକାର ପୂର୍ବପରି କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକରେ ଲକ୍ଡାଉନ୍ ବଳବତ୍ତର ରଖିଛନ୍ତି । କୋଭିଡ୍-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାରର ଗତିବିଧି ଉପରେ ନିଷେଧାଦେଶକୁ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର । ତେବେ ଆଗକୁ ଦୀପାବଳି ଥିବାବେଳେ ବାଣ ବିକ୍ରି ଏବଂ ବ୍ୟବହାରକୁ ନେଇ ପରେ ଗାଇଡ୍ଲାଇନ୍ ଜାରି କରାଯିବ ବୋଲି କୁହାଯାଇଛି । କଣ୍ଟେନମେଣ୍ଟ ଜୋନରେ ଏହି ନିଷେଧାଦେଶ ଆସନ୍ତା ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ କୋଭିଡ୍-୧୯ ସଂକ୍ରମଣ ଶୃଙ୍ଖଳାକୁ ଫଳପ୍ରଦ ଭାବରେ ଭାଙ୍ଗିବା ଉଦ୍ଦେଶ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସମସ୍ତ
ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କେବଳ ମାତ୍ର ଜରୁରି କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ । ପୂର୍ବ ଭଳି ସପ୍ତାହାନ୍ତ ସଟ୍ଡାଉନ୍ ନରହିବା ସହ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ । ତେବେ ନାଇଟ୍ କର୍ଫ୍ୟୁ ସମୟରେ ଜରୁରି ସେବା ଜାରି ରହିବ ।

କୋଭିଡ୍-୧୯ ସଂକ୍ରମଣର ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକୁ ଚିହ୍ନଟ କରିବେ । ଏହି କଣ୍ଟେନମେଣ୍ଟ ଜୋନଗୁଡିକର ସୂଚନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ୱେବ୍ସାଇଟ୍ ଏବଂ ରାଜ୍ୟ ସରକାରଙ୍କ ୱେବ୍ସାଇଟ୍ରେ ଉଲ୍ଲେଖ ରହିବ । କଣ୍ଟେନମେଣ୍ଟ ଜୋନ୍ ବାହାରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ କୌଣସି ପ୍ରକାରର ସ୍ଥାନୀୟ ଲକ୍ଡାଉନ୍ ଲାଗୁ କରିପାରିବେ ନାହିଁ । ଯଦି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କୋଭିଡ୍-୧୯ ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ଅଞ୍ଚଳରେ ସ୍ଥାନୀୟ ଲକ୍ଡାଉନ୍ ଲଗାଇବାକୁ ଚାହିଁବେ, ତେବେ ସେମାନଙ୍କୁ ସେ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପୂର୍ବରୁ ସୂଚିତ କରିବେ ଓ ଏଥିପାଇଁ ଅନୁମତି ଆଣିବେ ।

Comments are closed.