ବିଶ୍ୱ ପାଇଁ ମହାବିପତ୍ତି ଅଙ୍ଗାରକାମ୍ଳ ଗ୍ୟାସ୍

73

ନୂଆଦିଲ୍ଲୀ : ବିଶ୍ୱ ପାଇଁ ମହାବିପତ୍ତି ବ୍ୟାପକ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନ । କିଭଳି ଧ୍ୱଂସାଭିମୁଖୀ ବିଶ୍ୱକୁ ସୁରକ୍ଷିତ ରଖାଯିବ ଚାଲିଛି ମାନସ ମନ୍ଥନ । ଆଜିଠାରୁ ଗ୍ଲାସଗୋଠାରେ ଆରମ୍ଭ ହୋଇଛି କନ୍ଫରେନ୍ସ ଅଫ୍ ପାର୍ଟିଜ୍(ସିଓପି-୨୬ ସମ୍ମିଳନୀ) । ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ୨୦୦ ଦେଶର ୨୫ହଜାର ପ୍ରତିନିଧି । ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ନେଇ ପ୍ୟାରିସ୍ ସମ୍ମିଳନୀ ଚୁକ୍ତି ଅନୁସାରେ କି କି ପଦକ୍ଷେପ ନିଆଯାଇଛି ସେ ନେଇ ବିଚାରବିମର୍ଶ ସହିତ ନୂଆ ପ୍ଲାନ୍ ଦେବେ ବିଭିନ୍ନ ଦେଶ । ତାପମାତ୍ରା ବୃଦ୍ଧି ୧.୫ ଡିଗ୍ରୀ ସେଲସିୟସ୍ ଭିତରେ ନରହିଲେ ଏକବିଂଶ ଶତାବ୍ଦୀ ବେଳକୁ ବିଶ୍ୱ ଧ୍ୱଂସଲୀଳାର ସାମ୍ନା କରିବ । ମରୁଡ଼ି ସହିତ ବନ୍ୟା ଓ ବାତ୍ୟା ଭଳି ମହାବିପର୍ଯ୍ୟୟ ମାଡ଼ି ଆସିବ । ଏବେଠାରୁ ବିଶ୍ୱର ବିଭିନ୍ନ ସ୍ଥାନରେ କେଉଁଠି ବନ୍ୟା ତ କେଉଁଠି ଜଙ୍ଗଲ ନିଅଁ। ଆଉ କେଉଁଠି ବାତ୍ୟା ତ ଆଉ କେଉଁଠି ଦୁର୍ଭିକ୍ଷ ଦେଖିବାକୁ ମିଳିଲାଣି । ଗତ ଦଶନ୍ଧିରେ ସବୁଠାରୁ ଉତ୍ତପ୍ତ ଥିଲା ବିଶ୍ୱ । ଗତବର୍ଷ ଭାରତ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କ୍ଷତି ସହିଥିଲା ୬ଲକ୍ଷ ୫୨ହଜାର ୫୦୦ କୋଟି ଟଙ୍କା ।

ଏଭଳି ତାପମାତ୍ରା ବୃଦ୍ଧି ଜାରି ରହିଲେ ଆଗକୁ ବିପର୍ଯ୍ୟୟ ଆହୁରି ଭୟଙ୍କର ହେବ । ଏଥିପାଇଁ ୨୦୧୫ରେ ପ୍ୟାରିସ୍ ଚୁକ୍ତି ହୋଇଥିଲା । ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଶତାବ୍ଦୀ ଶେଷ ସୁଦ୍ଧା ଶିଳ୍ପ
ବିପ୍ଳବ ସମୟର ତାପମାତ୍ରାଠାରୁ ଦୁଇ ଡିଗ୍ରୀ ସେଲୟସିସ୍ ଭିତରେ ତାପମାତ୍ରା ବୃଦ୍ଧି ସୀମିତ ରଖିବାକୁ ନିଆଯାଇଥିଲା । ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲୟସିସ୍ ଭିତରେ ସୀମିତ ରଖିବାକୁ ରାଜି ହୋଇଥିଲେ ପ୍ରାୟ ୨୦୦ ଦେଶ । ସବୁ ଦେଶ ଅଙ୍ଗାରକାମ୍ଳ ନିର୍ଗମନ ଶୂନ କରିବା ଅର୍ଥାତ୍ ନେଟ୍ ଜିରୋ ଲକ୍ଷ୍ୟ ହାସଲ ପାଇଁ ସମୟଧାର୍ଯ୍ୟ କରିବାକୁ କୁହାଯାଇଥିଲା । ଚୀନ୍ ପୂର୍ବରୁ କହିସାରିଛି ଯେ, ୨୦୬୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ଶୂନ କରିବ । ସେହିପରି ଆମେରିକା କହିଛି ୨୦୫୦ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବ । ଭାରତ ନେଟ୍ ଜିରୋକୁ ସମର୍ଥନ କରୁଥିଲେ ହେଁ ଏଯାଏଁ ତାର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । କାରଣ ଭାରତ କୋଇଲା ଉପରେ ଅଧିକ ନିର୍ଭରଶୀଳ । ୨୦୫୦ ସୁଦ୍ଧା ନେଟ୍ ଜିରୋ ଡେଡ୍ଲାଇନ୍ ପୂରଣ ଲାଗି ଯଦି ଭାରତ ରାଜି ହୁଏ, ତେବେ କୋଇଲା ଭିତ୍ତିକ ବିଦ୍ୟୁତ୍ ପ୍ଲାଣ୍ଟ ଓ ଜୀବାଂଶ ଇନ୍ଧନ ବନ୍ଦ କରିବାକୁ ପଡ଼ିବ । କିନ୍ତୁ ଭାରତ ଏ ଲକ୍ଷ୍ୟ ହାସଲ କରିବା ଅସମ୍ଭବ ଭଳି ମନେ ହେଉଛି । ଭାରତର ଯୁକ୍ତି ଜଳବାୟୁ ପରିବର୍ତ୍ତନ ବିପର୍ଯ୍ୟୟ ଲାଗି ସର୍ବାଧିକ ଉତ୍ତରଦାୟୀ ଥିବା ଦେଶଗୁଡ଼ିକ ପାଣ୍ଠି ଯୋଗାଡ଼ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସେମାନେ ପୂରଣ କରୁନାହାନ୍ତି । ତେଣୁ ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ବିକାଶଶୀଳ ଦେଶ ପାଇଁ କଷ୍ଟକର ହୋଇପଡ଼ୁଛି । ଜାତିସଂଘର ଏମିସନ୍ ଗ୍ୟାପ୍ ରିପୋର୍ଟ ଅନୁଯାୟୀ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନକୁ ୧.୫ଡିଗ୍ରୀ ସେଲସିୟସ୍ ମଧ୍ୟରେ ସୀମିତ ରଖିବା ଆବଶ୍ୟକ । ମାତ୍ର ଭାରତ ପକ୍ଷେ ଏହା ଅସମ୍ଭବ ମନେ ହେଉଛି । ଯଦି ଶତାବ୍ଦୀ ଶେଷ ସୁଦ୍ଧା ତାପମାତ୍ରା ବୃଦ୍ଧି ୧.୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ସୀମିତ ନରୁହେ, ତେବେ ଏହା ବିଶ୍ୱ ପାଇଁ ବଡ଼ ବିପତ୍ତି ଆଣିପାରେ ।

Comments are closed.