ରାଜ୍ୟ ପାଇଁ ବିପଦ ଅମାନିଆ ପର୍ଯ୍ୟଟକ

68

ଭୁବନେଶ୍ୱର : ରାଜ୍ୟରେ ଶୀତ ଧୀରେ ଧୀରେ ବଢ଼ୁଥିବା ବେଳେ ତାଳ ଦେଇ କରୋନା ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି । ଆଜି ଦେଶରେ ଦିନକରେ ୧୨ ହଜାରରୁ ଊଦ୍ଧ୍ୱର୍ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୦୧ଜଣଙ୍କ ଜୀବନ ଯାଇଛି । ଦେଶରେ ଏବେ ସୁଦ୍ଧା ୩୪,୪୧, ୪୧୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪ଲକ୍ଷ ୬୨ହଜାର ୬୯୦ରେ ପହଞ୍ଚିଛି । ସେହିପରି ଓଡ଼ିଶାରେ ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ରହିଛି । ୨୪ ଘଣ୍ଟାରେ
୨୬୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ ମୋଟାମୋଟି ଭାବେ କରୋନା ନିୟନ୍ତ୍ରଣରେ ରହିଛି । ତେଣୁ ଆଗକୁ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ୟୁରୋପ୍ରେ ପୁଣି ସଂକ୍ରମଣ ବଢ଼ିଛି । ତେଣୁ ଏହି ସମୟ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯାହା ଦେଖାଯାଉଛି ରାଜ୍ୟ ପାଇଁ ବିପଦ ପାଲଟିଛନ୍ତି ବାହାର ରାଜ୍ୟର ପର୍ଯ୍ୟଟକ । ସେମାନେ ସର୍ବନିମ୍ନ କରୋନା କଟକଣା ଯଥା ମାସ୍କ ପିନ୍ଧିବା ଓ ସାମାଜିକ କଟକଣାକୁ ମାନୁନଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଅନ୍ୟ ରାଜ୍ୟ ବିଶେଷକରି ପଶ୍ଚିମବଙ୍ଗରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ସେମାନେ ଖଣ୍ଡଗିରି, ଉଦୟଗିରି, ଧଉଳି ଓ ନନ୍ଦନକାନନ ସମେତ ପୁରୀ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ଆସୁଛନ୍ତି । କିନ୍ତୁ ଅଧିକାଂଶ ପର୍ଯ୍ୟଟକ ବିନା ମାସ୍କରେ ଦଳ ଦଳ ହୋଇ ବୁଲୁଥିବା ଦେଖିବାକୁ ମିଳୁଛି । ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ ପାଇଁ କରୋନା ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ୍ ବାଧ୍ୟତାମୂଳକ ହୋଇଥିବାରୁ ଅନେକ ପର୍ଯ୍ୟଟକ ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ପୁରୀ ଯିବା ବଦଳରେ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀରେ ଭିଡ ଜମାଉଛନ୍ତି । ବିନା ମାସ୍କରେ ଦଳ ଦଳ ହୋଇ ବୁଲୁଥିବା ପର୍ଯ୍ୟଟକଙ୍କ ପ୍ରତି କାହାର ନଜର ନଥିବା ଭଳି ଜଣାପଡ଼ୁଛି । ସେମାନେ ଅବାଧରେ ବୁଲିବା ସହ ସ୍ଥାନୀୟ ହୋଟେଲ, ଉଠାଦୋକାନରେ ଖିଆପିଆ କରିବା ସହ ସାମଗ୍ରୀ ଖରିଦ କରୁଛନ୍ତି । ଦୁର୍ଗାପୂଜା ସମୟରେ ଓଡ଼ିଶା ସରକାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର କଟକଣା ଜାରି କରିଥିଲେ । ଯଦ୍ୱାରା ଏବେ ସଂକ୍ରମଣ ନିୟନ୍ତ୍ରଣରେ ଅଛି । ମାତ୍ର ପଶ୍ଚିମବଙ୍ଗ ସରକାର ସବୁ ଖୋଲାମେଲା କରିଦେଇଥିଲେ । ଯେଉଁଥିପାଇଁ ଦୀପାବଳି ପରେ ସେଠାରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି ପର୍ଯ୍ୟଟକମାନେ ଯେ ଆମ ରାଜ୍ୟରେ ସଂକ୍ରମଣ ବଢ଼ାଇବାରେ ବାହକ ସାଜିବା ଅନୁମାନ କରାଯାଉଛି । ତେଣୁ ଆଗାମୀ ଦିନରେ ପୁଣି ଆମ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା ଦେଖାଗଲାଣି ।

Comments are closed.