ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡିହେଲା କେନ୍ଦୁଝର

74

-ଜିଲ୍ଲାର ସବୁ ପରିବାରକୁ ପାଇପ ପାଣି ସୁବିଧା
-ଭେଟିଦେଲେ ୧୪୩୩ କୋଟିର ପ୍ରକଳ୍ପ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ପ୍ରାୟ ୪.୨୦ ଲକ୍ଷ ପରିବାର ଏହି ସୁବିଧା ପାଇବେ । କେନ୍ଦୁଝର ସହିତ ରାଜ୍ୟର ୧୩ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ପାଇଁ ୧୪୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । କେନ୍ଦୁଝରକୁ ଏକ ସମୃଦ୍ଧ ଜିଲ୍ଲା ଭାବରେ ଗଢିବା ସରକାରଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଭଲ ପିଇବା ପାଣି ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । କେନ୍ଦୁଝରର ସବୁ ଗାଁ, ସବୁ ସହର ଓ ସବୁ ପରିବାରକୁ ଡିସେମ୍ବର ୨୦୨୨ ସୁଦ୍ଧା ପାଇପ ପାଣି ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଜନଜାତି ଭାଇ ଭଉଣୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ୩୬ କୋଟି ଟଙ୍କାରେ ବୃହତ୍ କୁକୁଡା ପାଳନ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ୱାରା ୩୦ ହଜାର ଜନଜାତି ଭାଇଭଉଣୀ ଉପକାର ପାଇବେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲଥ୍ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ୱାରା ଆମର ଗରିବ ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶିଶୁ ଦିବସ ଦିନ ୧୦୦ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ପାଇଁ ଖୁସି ବ୍ୟକ୍ତ କରି ଏଥିପାଇଁ କାମ କରିଥିବା ଲୋକମାନଙ୍କୁ ଧନ୍ୟବାଦ ଦେଇଥିଲେ । ଗୋଟିଏ ଦିନରେ ୧୦୦ଟି ସ୍କୁଲର ଲୋକାର୍ପଣ ସାରା ରାଜ୍ୟରେ ଏକ ରେକର୍ଡ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପ୍ରେମାନନ୍ଦ ନାୟକ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ କେନ୍ଦୁଝର ପାଟଣା ବିଧାୟକ ଜଗନ୍ନାଥ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.