ଅଫ୍ଲାଇନ୍ ରେ ହିଁ ହେବ ସିବିଏସ୍ଇ ଟର୍ମ-୧ ପରୀକ୍ଷା

67

ନୂଆଦିଲ୍ଲୀ : ଅଫ୍ଲାଇନ୍ରେ ହିଁ ହେବ ସିବିଏସ୍ଇ ଟର୍ମ-୧ ପରୀକ୍ଷା । ଅନ୍ଲାଇନ୍ ରେ ପରୀକ୍ଷା କରିବା ପାଇଁ ଦାବି କରି ସୁପ୍ରିମ୍କୋର୍ଟ ଯାଇଥିବା ୬ଜଣ ଆବେଦନକାରୀଙ୍କ ଆବେଦନକୁ ଖାରଜ କରିବା ସହ ଏହି ରାୟ ଶୁଣାଇଛନ୍ତି ସୁପ୍ରିମ୍କୋର୍ଟ । ବି·ରପତି ଏମ୍.ଖାନୱାଲିକର ଓ ସିଟି ରବୀକୁମାର କହିଛନ୍ତି, ସିବିଏସଇର ଟର୍ମ-ୱାନ ପରୀକ୍ଷା ୧୬ ତାରିଖରୁ ଆରମ୍ଭ ହୋଇଯାଇଛି । ସେହିପରି ଆଇସିଏସ୍ଇ ନଭେମ୍ବର ୨୨ରୁ ଆରମ୍ଭ ହେବ । ତେଣୁ ଅନ୍ଲାଇନ୍ ରେ ପରୀକ୍ଷା କରିବା ଆଉ ସମ୍ଭବ ନୁହେଁ । ତେଣୁ ଏଥିରେ ହସ୍ତକ୍ଷେପ କରିବା ଆଉ ଠିକ୍ ହେବ ନାହିଁ । ତେବେ କର୍ତ୍ତୃପକ୍ଷ କରୋନା ମାର୍ଗଦର୍ଶିକାକୁ ପାଳନ କରି ପରୀକ୍ଷାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଖଣ୍ଡପୀଠ । ସିବିଏସ୍ଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ସୂଚନା ଦେଇ କହିଥିଲେ, କୋଭିଡକୁ ଦୃଷ୍ଟିରେ ରଖି ୬ ହଜାର ୫ଶହରୁ ପରୀକ୍ଷା କେନ୍ଦ୍ରସଂଖ୍ୟା ୧୫ ହଜାରକୁ ବୃଦ୍ଧି କରାଯାଇଛି ।

୨୩ରୁ ଯୁକ୍ତ ୩ ନାମଲେଖା ଆବେଦନ :

ଶିକ୍ଷା ବର୍ଷ ୨୦୨୧-୨୨ରେ ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ନୋଟିସ୍ ଜାରି କରାଯାଇଛି । ଆବେଦନକାରୀମାନେ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟା ଠାରୁ ୨୮ ତାରିଖ ରାତି ୧୧ଟା ୪୫ ଯାଏଁ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ଡିସେମ୍ବର ୩ ଅପରାହ୍ନ ୨ଟାରେ ପ୍ରଥମ ଓ ୧୦ ତାରିଖ ଅପରାହ୍ନ ୨ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ପ୍ରଥମ ମେଧା ତାଲିକା ପାଇଁ ଡିସେମ୍ବର ୪ରୁ ୭ ତାରିଖ ଯାଏଁ ରବିବାର ବ୍ୟତୀତ ନାମଲେଖା ହେବ । ସେହିପରି ଡିସେମ୍ବର ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ନାମଲେଖା ହେବ । କେଉଁ କଲେଜଗୁଡ଼ିକରେ କେତେ ସିଟ୍ ଖାଲି ରହିଲା ସେନେଇ ଜଣାପଡ଼ିବ ।

Comments are closed.