୫ ଜିଲ୍ଲାରେ ୧୪୮ ହାଇସ୍କୁଲ ରୂପାନ୍ତରିତ : ସ୍କୁଲରୁ ପଡେ ସଫଳତାର ମୂଳଦୁଆ

68

ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ରୂପାନ୍ତର ପର୍ବ ଜାରି ରହିଛି । ୫-ଟି ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟକ୍ରମର ପଞ୍ଚମ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ଜଗତସିଂହପୁରର ୧୪ଟି ସ୍କୁଲ, ଦେବଗଡ଼ର ୩୨ଟି, ପୁରୀର ୪୮ଟି, ବଲାଙ୍ଗିରର ୨୪ଟି ଓ କେନ୍ଦ୍ରାପଡ଼ାର ୩୦ଟି ସ୍କୁଲ ସାମିଲ୍ ହୋଇଛି । ଆଜି ସୁଦ୍ଧା ୮୩୮ଟି ରୂପାନ୍ତରିତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ, ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଏବେ ରାଜ୍ୟର ୧୦୭୫ଟି ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ଜାରି ରହିଛି । ଏହି ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡ଼ା, ସଂଗୀତ ସବୁ କ୍ଷେତ୍ରରେ ଓଡ଼ିଶାର ଗୌରବ ବଢ଼ାନ୍ତୁ । ନୂଆ ନୂଆ ଜ୍ଞାନକୌଶଳ ବିଷୟରେ ଜାଣନ୍ତୁ । ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଓ ଜୀବନର ସବୁ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।’ ଜୀବନରେ ସଫଳତା ପାଇଁ ସ୍କୁଲରୁ ହିଁ ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ୱପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ, ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୂରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ୱ । ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ୱତନ୍ତ୍ର ହୋଇ ରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ୫-ଟି ନୀତି ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ସ୍କୁଲ ରୂପାନ୍ତର ହେଉଛି ଆମର ୫-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ । ୫-ଟି ହେଉଛି ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପରେନ୍ସି ଓ ଟ୍ରାନ୍ସଫରମେସନ୍ । ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲୋଜି ଆମକୁ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି।

ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍ ୱାର୍କ । ତୃତୀୟ ନୀତି ହେଉଛି ଟାଇମ୍ ବା ସମୟ । ନଭେମ୍ବର ୧୪ ସୁଦ୍ଧା ୧୦୭୫ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି । ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ୱାରା ଏହା ଆଜି ଠିକ୍ ସମୟରେ ଶେଷ ହୋଇପାରିଛି । ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ୱଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି,ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ୱଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ଼ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ । ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ଼ ପରିଚୟ । ମୋର ପୂରା ବିଶ୍ୱାସ, ତୁମେ ମାନେ ଭଲ ପାଠ ପଢ଼ି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ । ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସମ୍ପର୍କରେ ନିଜର ମନ କଥା କହିଥିଲେ । ଜଗତସିଂହପୁରର ସୁମିତ୍ରା ସାହୁ, ଦେବଗଡ଼ର ପୀୟୂଷ ପ୍ରଭା କର, ପୁରୀର ଅପର୍ଣ୍ଣା ପଣ୍ଡା, ବଲାଙ୍ଗିରର ଆର୍ୟାନ୍ ଶତପଥି ଓ କେନ୍ଦ୍ରାପଡ଼ାର ସୋନମ ପରବିନ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ, ସ୍କୁଲର ସ୍ୱଚ୍ଛ ପରିବେଶ ଓ ସ୍ୱଚ୍ଛ ଶୌଚାଳୟ ବ୍ୟବସ୍ଥା ପିଲାମାନଙ୍କ ପାଇଁ, ବିଶେଷକରି ଛାତ୍ରୀମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି । ସ୍ମାର୍ଟ ବ୍ୟବସ୍ଥାରେ ପାଠ ବୁଝିବା ସହଜ ହେଉଛି ବୋଲି ସେମାନେ କହିଥିଲେ । ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ସେମାନେ ଭବିଷ୍ୟତରେ କ’ଣ ହେବାକୁ ଚାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ·ରିବାରୁ ସେମାନେ ଉତ୍ସାହିତ ହୋଇ ଆଇଏଏସ୍, ଆଇପିଏସ୍ ଅଫିସର, ଡାକ୍ତର, ଇଞ୍ଜିନିୟର ହେବେ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଜଗତସିଂହପୁରରେ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଦେବଗଡ଼ରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ପୁରୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବଲାଙ୍ଗିରରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଏବଂ କେନ୍ଦ୍ରାପଡ଼ାରେ ପଞ୍ଚାୟତିରାଜ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ସ୍କୁଲ ରୂପାନ୍ତର ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅଦ୍ଭୂତପୂର୍ବ ଉତ୍ସାହ ସୃଷ୍ଟି କରିଛି ବୋଲି ସେମାନେ କହିଥିଲେ । ଶିକ୍ଷା ଏବେ ବାପା ମାଆଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ, ସ୍ଥାନୀୟ ନେତୃବୃନ୍ଦ ସମସ୍ତଙ୍କ ପାଇଁ ଏକ ଚର୍ଚ୍ଚାର ବିଷୟ ହୋଇଛି ବୋଲି ପ୍ରକାଶ କରି ସେମାନେ ଖୁସିବ୍ୟକ୍ତ କରିଥିଲେ । ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ନିଜର ସଫଳତାରେ ସ୍କୁଲର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଟିଟିଲାଗଡ଼ ହାଇସ୍କୁଲରୁ ପାଠ ପଢିଥିବା ଶ୍ରୀ ତ୍ରିପାଠୀ କହିଥିଲେ, ମୁଁ ଗୋଟିଏ ସରକାରୀ ସ୍କୁଲରୁ ପାଠ ପଢି ସ୍ୱପ୍ନ ପୂରଣ କରିପାରିଛି ଏବଂ ଜିଲ୍ଲା ଓ ରାଜ୍ୟର ବିକାଶରେ କିଛି କିଛି ଯୋଗଦାନ ରଖିପାରିଛି । ଆଜିର ସରକାରୀ ସ୍କୁଲ ଓ ଆମ ବେଳର ସରକାରୀ ସ୍କୁଲର ସୁବିଧା ମଧ୍ୟରେ ଆକାଶପାତାଳ ତଫାତ ରହିଛି । ତେଣୁ ତୁମେମାନେ ନିଶ୍ଟୟ ତୁମର ସ୍ୱପ୍ନ ପୂରଣ କରିପାରିବ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରି·ଳନା କରିଥିଲେ । ଅନେକ ପିଲା ଭବିଷ୍ୟତରେ ଆଇଏଏସ୍ ଓ ଆଇପିଏସ ଅଫିସର ହେବାର ଲକ୍ଷ୍ୟ ରଖିଥିବା ବିଷୟ ଶୁଣି ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ଅନେକ ପଦସ୍ଥ ଅଧିକାରୀ ସରକାରୀ ସ୍କୁଲରୁ ହିଁ ପାଠ ପଢ଼ି ଲକ୍ଷ୍ୟ ପୂରଣ କରିଛନ୍ତି । ମୁଁ ମଧ୍ୟ ସରକାରୀ ସ୍କୁଲରେ ପଢ଼ିଛି । ତେଣୁ ଆମ ସରକାରୀ ସ୍କୁଲର ପିଲାମାନେ ମଧ୍ୟ ନିଶ୍ଚୟ ସଫଳ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସମ୍ପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ରାସ୍ତାଘାଟ ମରାମତି ପାଇଁ ୫୦୦ କୋଟି :

ସହରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ତଥା ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷା ଯୋଗୁ ସାରା ରାଜ୍ୟରେ ବିଭିନ୍ନ ସହରାଞ୍ଚଳର କ୍ଷତିଗ୍ରସ୍ତ ହୋଇଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ନାଳନର୍ଦମା ସବୁ କିଛି କ୍ଷତିଗ୍ରସ୍ତ ହୋଇଛି । କେଉଁଠି ରାସ୍ତାରୁ ସିମେଣ୍ଟ ପିଚୁ ଉଠି ଯାଇଛି ତ ପୁଣି କେଉଁଠି ନଳା ଭାଙ୍ଗିଯାଇଛି । ଏହି ସବୁର ମରାମତି ପାଇଁ ରାଜ୍ୟ ସରକାର ୫ ଶହ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି । ତେବେ କ୍ଷତିଗ୍ରସ୍ତ ରାସ୍ତାଘାଟ, ନର୍ଦ୍ଦମା ଓ ଫୁଟପାଥ ଆଦିର ମରାମତି ତଥା ଉନ୍ନତି କରଣ ହେବ । ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଆଗାମୀ ମୌସୁମୀ ଋତୁ ପୂର୍ବରୁ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.