ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ଢେଙ୍କାନାଳ-ଅନୁଗୁଳ

80

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଉଭୟ ଜିଲ୍ଲାର ୧୦ ଲକ୍ଷ ଲେଖାଏଁ ଲୋକ ଏହି ସୁବିଧା ପାଇବେ । ଏହାସହିତ ରାଜ୍ୟର ୧୫ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ସମସ୍ତଙ୍କର ସମ୍ମାନର ସହିତ ବଞ୍ଚିବାର ଅଧିକାର ଅଛି ଏବଂ ଏହି ହେଲଥ୍ କାର୍ଡ ଏହି ଅଧିକାରକୁ ସୁନିଶ୍ଚିତ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ପାଇଁ ୮୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିବା ବେଳେ ଅନୁଗୁଳ ପାଇଁ ୧୧୭୬ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଜିଲ୍ଲା ଯାଇ ସେଠାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସଂକଳ୍ପ ଓ ତ୍ୟାଗକୁ ସ୍ମରଣ କରିଥିଲେ । ସେମାନଙ୍କ ପ୍ରତିଷ୍ଠିତ ବାଜିରାଉତ ଛାତ୍ରାବାସ ପାଇଁ ଅନୁଗୁଳ ଜିଲ୍ଲା ପ୍ରସିଦ୍ଧ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହି ଅବସରରେ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଅନୁଗୁଳ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ରାଜ୍ୟ ସରକାର ବର୍ତ୍ତମାନ ଭଲ ପିଇବା ପାଣି ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ଜିଲ୍ଲାରେ ମିଲେଟ ମିସନ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଥିବା ଯୋଗୁ ସେ ଖୁସି ପ୍ରକାଶ କରି କହିଲେ, ଜିଲ୍ଲାରେ ୩୦୦୦ ଚାଷୀ ଏଥିରେ ସାମିଲ ହୋଇଛନ୍ତି । ଏହା ଆମର ପୁଷ୍ଟି ନିରାପତ୍ତାକୁ ମଜଭୁତ କରିବ ବୋଲି ସେ କହିଥିଲେ । ସେହିପରି ଢେଙ୍କାନାଳରେ ସହିଦ ବାଜିରାଉତ ଓ ସାରଙ୍ଗଧର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ଯେ ଏ ମାଟି ସବୁବେଳେ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିଆସିଛି । ଢେଙ୍କାନାଳର ପ୍ରଜାମଣ୍ଡଳ ଆନ୍ଦୋଳନ ଓଡ଼ିଶା ଇତିହାସର ଏକ ଗୌରବମୟ ଅଧ୍ୟାୟ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହାର ସଂଗ୍ରାମୀମାନଙ୍କୁ ପ୍ରଣାମ ଜଣାଇଥିଲେ । ଢେଙ୍କାନାଳରେ ବିଭିନ୍ନ ପ୍ରକଳ୍ପ ଆରମ୍ଭକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ ସହିତ ଉଦ୍ୟାନ କୃଷିରେ ମଧ୍ୟ ଢେଙ୍କାନାଳ ସୁନାମ କରୁଛି । ଢେଙ୍କାନାଳରେ ପର୍ଯ୍ୟଟନର ବିକାଶ ପାଇଁ ୫୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ସ୍ମାର୍ଟ ହେଲଥ୍ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ୱାରା ଆମର ଗରିବ ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ସେ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ ।

ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସାବାଲା-ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ସେ କହିଥିଲେ ଯେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂଠାରୁ ଆରମ୍ଭ କରି ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଢେଙ୍କାନାଳରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ଢେଙ୍କାନାଳ ସାଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ ପ୍ରମୁଖ ଯୋଗଦେଇଥିବା ବେଳେ ଅନୁଗୁଳରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ସମେତ ଜିଲ୍ଲାର ବିଧାୟକଗଣ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ ସହ ସ୍ୱାସ୍ଥ୍ୟ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

Comments are closed.