ମହାପଞ୍ଚାୟତରେ ଚାଷୀଙ୍କ ଶକ୍ତି ପ୍ରଦର୍ଶନ : ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲୁ ରଖିବାକୁ ନିଷ୍ପତ୍ତି

80

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସତ୍ତେ୍ୱ ଉତ୍ତର ପ୍ରଦେଶରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ମହାପଞ୍ଚାୟତ ଆୟୋଜନ କରାଯାଇଛି । ଏହି ମହାପଞ୍ଚାୟତରେ ହଜାର ହଜାର ଚାଷୀ ଯୋଗଦେଇ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି । ସମସ୍ତ ଦାବି ପୂରଣ ନହେବା ଯାଏ ଚାଷୀମାନେ ଆନ୍ଦୋଳନ ସ୍ଥଳରୁ କେଉଁଆଡ଼େ ଯିବେ ନାହିଁ ବୋଲି ଚାଷୀନେତା ରାକେଶ ଟିକାୟତ କହିଛନ୍ତି । ଏଥିସହ ସରକାର ·ଷୀଙ୍କ ସହ କଥା ହୁଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ହିଁ ଚାଷୀମାନେ ୨୨ ତାରିଖରେ ମହାପଞ୍ଚାୟତ କରିବେ ବୋଲି ଘୋଷଣା କରିଥିଲେ । ତେଣୁ ସେମାନେ ଆଜି ଯୋଜନା ମୁତାବକ ମହାପଞ୍ଚାୟତ କରିଛନ୍ତି । ମହାପଞ୍ଚାୟତରେ ହଜାର ହଜାର ଚାଷୀ ଏକାଠି ହୋଇ ଏମଏସ୍ପି ଉପରେ ଆଇନଗତ ମାନ୍ୟତା ଦେବାକୁ ଦାବି କରିଛନ୍ତି । କେବଳ ଧାନ କିମ୍ବା ଗହମ ନୁହେଁ ସବୁ ଉତ୍ପାଦ ଉପରେ ଉପଯୁକ୍ତ ଏମଏସପିର ଗ୍ୟାରେଣ୍ଟି ପାଇଁ ସେମାନେ କହିଛନ୍ତି । ମହାପଞ୍ଚାୟତରେ ସମ୍ବୋଧନ କରି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ କହିଛନ୍ତି, ଏବେ ବି ଅନେକ ପ୍ରସଙ୍ଗ ରହିଛି, ଯାହାର ସମାଧାନ ହୋଇନି । କିନ୍ତୁ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ସବୁ ପ୍ରସଙ୍ଗର ସମାଧାନ ନ ହେବା ଯାଏ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ । ଆମକୁ ଲାଗୁଛି ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବା ପରେ ଚାଷୀଙ୍କ ସହ ଆଲୋଚନା କରିବାକୁ ଚାହୁଁ ନାହାନ୍ତି । ସରକାର ଆମ ସହ କଥାହୋଇ ଅନ୍ୟ ପ୍ରସଙ୍ଗ ବିଷୟରେ ଆଲୋଚନା କରନ୍ତୁ । ଫଳରେ ଆମେ ଗାଁକୁ ଯିବା ଆରମ୍ଭ କରିବୁ । ଏମଏସ୍ପି ଗ୍ୟାରେଣ୍ଟ ଆଇନ, ମଞ୍ଜି ବିଲ୍ ଓ ଦୁଗ୍ଧ ନୀତି ଭଳି ପ୍ରସଙ୍ଗ ବିଷୟରେ ସରକାର ଆଲୋଚନା କରିବା କଥା । ଯଦି ସରକାର ଏହିସବୁ ପ୍ରସଙ୍ଗର ସମାଧାନ ନ କରିନ୍ତି, ତା’ହେଲେ ଆମେ ଘରକୁ ଫେରିବୁନି ।

ସେହିପରି ଆନ୍ଦୋଳନ ମଧ୍ୟ ଜାରି ରଖିବୁ । ପ୍ରଧାନମନ୍ତ୍ରୀ କ୍ଷମା ମାଗିଛନ୍ତି । କିନ୍ତୁ ଏହାର କୌଣସି ଆବଶ୍ୟକ ନାହିଁ । ସେ କେବଳ ଆମର ପ୍ରସଙ୍ଗଗୁଡ଼ିକୁ ଗୁରୁତ୍ୱର ସହ ବି·ର କରନ୍ତୁ ବୋଲି ସେ କହିଛନ୍ତି । ରବିବାର ମଧ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖା ଯିବା ସହ ୬ଟି ଦାବି ଉପସ୍ଥାନ କରାଯାଇଥିଲା । ଏଥିରେ ସେମାନେ ସରକାରଙ୍କୁ ଆଲୋଚନା ଆରମ୍ଭ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ସେମାନେ ଏମଏସ୍ପି ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବାକୁ ଦାବି କରିଛନ୍ତି । କାରଣ ତାଙ୍କ ପୁଅ ଆଶିଷ ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ଘଟଣାରେ ଗିରଫ ହୋଇଛନ୍ତି । ତେଣୁ ମୃତ ଚାଷୀଙ୍କୁ ନ୍ୟାୟ ଦେବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଅଜୟ ମିଶ୍ରାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ବିଦା କରିବାକୁ ଦାବି କରିଛି । ଆଜିର ମହାପଞ୍ଚାୟତରେ ରାଷ୍ଟ୍ରୀୟ କିଷାନ ମଞ୍ଚର ସଭାପତି ଶେଖର ଦିକ୍ଷୀତ କହିଛନ୍ତି, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ସବୁ ରାଜ୍ୟରେ ବିଜେପି ହାତରୁ ଏବେ କ୍ଷମତା ଚାଲି ଯିବାର ସ୍ଥିତି ସୃଷ୍ଟି ହୋଇଛି । ତେଣୁ ପ୍ରଧାନମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ୨୦୨୦ ନଭେମ୍ବର ୨୬ରୁ ଶତାଧିକ ଚାଷୀ ଦିଲ୍ଲୀର ସିଙ୍ଘୁ, ଟିକରି ଓ ଗାଜିପୁର ସୀମାରେ ଆନ୍ଦୋଳନ କରୁଛନ୍ତି । କୃଷି ଆଇନ ପ୍ରତ୍ୟାହାର ସହ ଏମ୍ଏସ୍ପିର ଆଇନଗତ ମାନ୍ୟତା ପାଇଁ ସେମାନେ ଦାବି ଜାରି ରଖିଛନ୍ତି । ଚାଷୀ ଆନ୍ଦୋଳନକୁ ଠିକ୍ ବର୍ଷେ ପୂରିବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଛନ୍ତି । ତେବେ ଏମ୍ଏସ୍ପିର ଆଇନଗତ ମାନ୍ୟତା ଉପରେ କୌଣସି ନିଷ୍ପତ୍ତି ହୋଇନଥିବାରୁ ଚାଷୀମାନେ ଆନ୍ଦୋଳନ ବନ୍ଦ କରିବେନି ବୋଲି କହିଛନ୍ତି ।

Comments are closed.