ଆନ୍ଧ୍ରରେ ହେବନି ୩ ରାଜଧାନୀ

63

ହାଇଦ୍ରାବାଦ : ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆନ୍ଧ୍ରପ୍ରଦେଶ ସରକାର ବିବାଦୀୟ ୩ ରାଜଧାନୀ ବିଲ୍କୁ ଆଜି ପ୍ରତ୍ୟାହାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆଜି ବିଧାନସଭା କମ୍ପେ୍ଲକ୍ସରେ କ୍ୟାବିନେଟ ବୈଠକ ବସିଥିଲା । ଏହି ସମୟରେ ୩ ରାଜଧାନୀ ଗଠନ ପାଇଁ ଆଗତ ବିଲକୁ ପ୍ରତ୍ୟାହାର ପାଇଁ ଆସିଥିବା ପ୍ରସ୍ତାବ ଉପରେ ମୋହର ବାଜିଛି । ବିଧାନସଭାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଜଗନ ମୋହନ ଏ ସମ୍ପର୍କରେ ଅବଗତ କରାଇଛନ୍ତି । ଏଥିସହ ଏହି ନିଷ୍ପତ୍ତିକୁ ଆଡଭୋକେଟ ଜେନେରାଲଙ୍କ ଜରିଆରେ ହାଇକୋର୍ଟଙ୍କୁ ଅବଗତ ମଧ୍ୟ କରାଯାଇଛି । ହାଇକୋର୍ଟ ୩ ରାଜଧାନୀ ବିଲ୍ ବିରୋଧରେ ଆଗତ ଏକାଧିକ ଆବେଦନର ଶୁଣାଣି କରୁଛନ୍ତି । ହାଇକୋର୍ଟ କୌଣସି ରାୟ ଦେବା ପୂର୍ବରୁ ହିଁ ଆନ୍ଧ୍ର ସରକାର ବିଲକୁ ପ୍ରତ୍ୟାହାର କରି ନେଇଛନ୍ତି । ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବାକୁ ୨୦୨୦ ଜାନୁଆରୀ ମାସରେ ଜଗନ ମୋହନ ସରକାର ଏହି ବିଲକୁ ଆଗତ କରିଥିଲେ । ବିଲର ବ୍ୟବସ୍ଥା ଅନୁଯାୟୀ ଆନ୍ଧ୍ରରେ ୩ଟି ରାଜଧାନୀ ହୋଇଥାଆନ୍ତା । ରୟାଲସୀମା ରିଜନରେ ଥିବା କୁରନୁଲକୁ ନ୍ୟାୟପାଳିକାର ରାଜଧାନୀ, ବିଶାଖାପଟନମକୁ କାର୍ଯ୍ୟପାଳିକାର ରାଜଧାନୀ ଓ ଅମରାବତୀକୁ ଲେଜିସଲେଟିଭ ରାଜଧାନୀ ଭାବେ ମାନ୍ୟତା ମିଳିଥାଆନ୍ତା ।

ରାଜ୍ୟ ସରକାର ହାଇକୋର୍ଟ ସମେତ ସମସ୍ତ ଜୁଡିସିଆଲ ଓ ଲିଗାଲ ପ୍ରତିଷ୍ଠାନକୁ କୁରନୁଲ, ପ୍ରଶାସନିକ କାର୍ଯ୍ୟାଳୟ ଗୁଡ଼ିକୁ ବିଶାଖାପଟନମ ଓ ବିଧାନସଭା ଓ ବିଧାନ ପରିଷଦର ସଦସ୍ୟଙ୍କୁ ଅମରାବତୀ ସ୍ଥାନାନ୍ତର କରିବାକୁ ମଧ୍ୟ ଯୋଜନା କରିଥିଲେ । ତେବେ ଏହାକୁ ବିରୋଧୀ ଦଳଗୁଡ଼ିକ ଜୋରଦାର ବିରୋଧ କରିଥିଲେ । ଏଥିସହ ଅମରାବତୀରେ ନୂଆ ରାଜଧାନୀ ପାଇଁ ଜମି ଦେଉଥିବା ଚାଷୀମାନେ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ । ସେମାନେ ବିଲ୍ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଏହାକୁ ହାଇକୋର୍ଟ ପ୍ରତିଦିନ ଶୁଣାଣି କରୁଛନ୍ତି । ପ୍ରଥମେ ଏହି ବିଲ୍ ବିଧାନସଭାରେ ପାରିତ ହୋଇଥିଲା । କିନ୍ତୁ ଏହା ବିଧାନ ପରିଷଦରେ ଅଟକି ରହିଛି । ବିଧାନ ପରିଷଦରେ ଟିଡିପିର ସଂଖ୍ୟା ଗରିଷ୍ଠତା ରହିଛି । ତେଣୁ ବିଲ୍ ସିଲେକ୍ଟ କମିଟି ନିକଟକୁ ଯାଇଥାଆନ୍ତା । ଏସବୁ ଭିତରେ ରାଜ୍ୟ ସରକାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ୩ ରାଜଧାନୀ ବିଲକୁ ପ୍ରତ୍ୟାହାର କରି ନେଇଛନ୍ତି ।

Comments are closed.