ସଂସଦ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ

63

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ରବିବାର ସବୁ ବିରୋଧୀ ଦଳର ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୃଷି ଆଇନ ପ୍ରତ୍ୟାହାର, ଏମଏସ୍ପି ଉପରେ ଆଇନଗତ ମାନ୍ୟତା ଦାବି ଓ ସିବିଆଇ-ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଭଳି ପ୍ରସଙ୍ଗ ଶୀତ ଅଧିବେଶନ ବେଳେ ସଂସଦକୁ ସରଗରମ କରିବେ । ସଂସଦ ପୂର୍ବରୁ ରବିବାର ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଏହି ସବୁ ପ୍ରସଙ୍ଗ ଉଠିବ ବୋଲି କୁହାଯାଉଛି । ରବିବାର ଦିନ ୧୧ଟାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ସେହିଦିନ ବିଜେପି ମଧ୍ୟ ସଂସଦୀୟ ଦଳ ବୈଠକ କରିବ । ଗୃହରେ ଥିବା ଏନ୍ଡିଏର ସବୁ ନେତା ଅପରାହ୍ନ ୩ଟାରେ ଏକାଠି ହୋଇ ବିରୋଧୀଙ୍କୁ ସଂସଦରେ କାଉଣ୍ଟର କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ।

ଏହି ବୈଠକରେ ମଧ୍ୟ ମୋଦୀ ଯୋଗଦେବେ । ଶୀତ ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ସଂକ୍ରାନ୍ତ ବିଲ୍ ଆଗତ କରାଯିବ । କୃଷି ଆଇନକୁ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ମୋହର ମାରିବାକୁ ବୁଧବାର କେନ୍ଦ୍ର କ୍ୟାବିନେଟ ବସିବାକୁ ଯାଉଛି । ଏହି ସମୟରେ କ୍ୟାବିନେଟ ସଦସ୍ୟମାନେ ଆଇନ ପ୍ରତ୍ୟାହାର ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରିବେ । କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ହେଁ ଏହା ଚାଷୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ସେମାନେ ଏମଏସ୍ପି ଉପରେ ଆଇନଗତ ମାନ୍ୟତା ଦାବି କରିଛନ୍ତି । ଯେଉଁ ପର୍ଯ୍ୟନ୍ତ ଏହି ଦାବି ପୂରଣ ନ ହେବ, ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି । ଏହାକୁ ପ୍ରସଙ୍ଗ କରି ସଂସଦରେ ସରକାରଙ୍କୁ ଘେରିବାକୁ ବିରୋଧୀ ଲକ୍ଷ୍ୟ ରଖିଛନ୍ତି । ଏହାବାଦ ତ୍ରିପୁରାରେ ଦେଖାଯାଇଥିବା ହିଂସା ପ୍ରସଙ୍ଗ ଟିଏମ୍ସି ପକ୍ଷରୁ ଗୃହରେ ଉପସ୍ଥାପନ କରାଯାଇପାରେ ।

Comments are closed.