ରାୟଗଡ଼ାର ରହିଛି ସ୍ୱତନ୍ତ୍ର ପରିଚୟ

70

-ବିଏସ୍କେୱାଇ କାର୍ଡ ବଣ୍ଟନର ଶୁଭାରମ୍ଭ
-୮୭୦ କୋଟି ଟଙ୍କା ପ୍ରକଳ୍ପର ଉଦ୍ଘାଟନ

ରାୟଗଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡାଠାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ୨,୫୨,୧୯୧ ପରିବାରର ୮,୩୪,୫୭୦ ବ୍ୟକ୍ତି ଏହି ସ୍ୱାସ୍ଥ୍ୟ ବୀମା କାର୍ଡ ପାଇ ଉପକୃତ ହେବେ । ପ୍ରତ୍ୟେକ ପରିବାର ୫ଲକ୍ଷ ଏବଂ ଆମର ମା, ଭଉଣୀ ଦଶ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଚିକିତ୍ସା ସୁବିଧା ପାଇପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଲେ ଯେ ପ୍ରତ୍ୟେକ ଜୀବନ ମୋ ପାଇଁ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀ ମାନଙ୍କୁ ଉଚ୍ଚପ୍ରଶଂସା କରି କହିଲେ ସେମାନେ ସରକାରଙ୍କର ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି ।

ସେହିପରି ଜିଲ୍ଲାରେ ମା’ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ରାୟଗଡ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ରାୟଗଡ ଜିଲ୍ଲାରେ ଜଳସେଚନର ସୁବିଧା ପାଇଁ ଦୁଇ ଗୋଟି ମେଗା ଲିପ୍ଟ ପ୍ରକଳ୍ପ ଶେଷ ହୋଇଛି ଏବଂ ଏହା ଦ୍ୱାରା ଗୁଣୁପୁର ବ୍ଲକର ୧୦ ହଜାର ହେକ୍ଟର ଜମିକୁ ପାଣି ମିଳିପାରିବ ବୋଲି ସେ କହିଛନ୍ତି । ରାୟଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮ଲକ୍ଷ ୩୦ହଜାର ଲକ୍ଷ ସ୍ମାର୍ଟ କାର୍ଡ ପାଇବେ ବୋଲି ପ୍ରକାଶ କରି ଏହା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ । ସ୍ମାର୍ଟ ହେଲଥ୍ କାର୍ଡ ଦ୍ୱାରା ରାଜ୍ୟର ୯୬ଲକ୍ଷ ପରିବାରରେ ସାଢେ ୩କୋଟି ଲୋକ ଉପକୃତ ହେବେ । ଏହାଦ୍ୱାରା ଆମର ଗରିବ ଲୋକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତା ଦୂର ହୋଇଛି । ସେମାନେ ସ୍ୱାସ୍ଥ୍ୟସେବା ପାଇଁ ଅନେକ ସମସ୍ୟାରୁ ବିଶେଷ କରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମି ବାଡି ବିକିବାକୁ, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ଡାକ୍ତରଖାନାରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ । ଚିକିତ୍ସା ସୁବିଧା ଏବେ ସମସ୍ତଙ୍କର ହାତ ପାହାନ୍ତାରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ଏହାକୁ ସ୍ମାର୍ଟ ହେଲଥ କାର୍ଡ ସମ୍ଭବ କରିପାରିଛି ।

ସେ କହିଥିଲେ ଯେ ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ, ରିକ୍ସାବାଲା ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ । ସେ କହିଲେ ଓଡିଶା ହେଉଛି ଏକ ମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ରୋଗୀଙ୍କ ପାଇଁ ଟେଷ୍ଟିଙ୍ଗ୍ ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ରାଜ୍ୟ ସରକାର ବହନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଅନୁସୂଚିତ ଜାତି ଓ ଜନଜାତି,ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ରୂପାନ୍ତର ଆଣିବାରେ ସକ୍ଷମ ହୋଇଛି ବୋଲି କହିଥିଲେ । ବିକାଶ ତଥା କଲ୍ୟାଣ କ୍ଷେତ୍ରରେ ଓଡିଶାକୁ ଦେଶର ଏକ ମଡେଲ୍ ରାଜ୍ୟ ଭାବରେ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରଥିଲେ । ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀରୀ କୁମାର ଦାଶ, ବିଧ୍ୟାୟକ ଅତୁନ ସବ୍ୟସାଚୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୂଆଲା, ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅନ୍ୟାନ୍ୟ ଅଧିକାରୀ ଏବଂ ଗଣପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ ।

Comments are closed.