ୟୁରୋପରେ କରୋନାର ସୁନାମି ! : ମାର୍ଚ୍ଚ ସୁଦ୍ଧା ଗଡ଼ିପାରେ ଆଉ ୭ଲକ୍ଷ ମୁଣ୍ଡ

62

-ଆମେରିକାରେ ମଧ୍ୟ କାୟା ମେଲାଉଛି
-ଭାରତରେ ଭୟାବହ ହେବନି ତୃତୀୟ ଲହର

ଜେନେଭା : ୟୁରୋପର ଅଧିକାଂଶ ରାଷ୍ଟ୍ରରେ କାୟା ମେଲାଉଛି କରୋନା । ଏଭଳି ସମୟରେ ପୁଣି ଚିନ୍ତାଜନକ ଖବର ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆସନ୍ତା ମାର୍ଚ୍ଚ ସୁଦ୍ଧା ୟୁରୋପ ଓ ଏସିଆର ଆଂଶିକ ଅଞ୍ଚଳରେ ଆଉ ୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇପାରେ ଭୂତାଣୁ । ବର୍ତ୍ତମାନ ସୁଦ୍ଧା ୟୁରୋପର ୫୩ଟି ରାଷ୍ଟ୍ରରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ପାର୍ ହୋଇଥିବା ବେଳେ ଏବେବି ସଂକ୍ରମଣ ଜାରି ରଖିଛି । ଏପରିକି ୟୁରୋପରେ ମୋଟ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ହେବା ଆଶଙ୍କା ସୃଷ୍ଟି ହୋଇଛି । ୟୁରୋପର ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣ ଗ୍ରାଫ ବଢିବା ସହ ମୃତ୍ୟୁ ସଂଖ୍ୟା ବଢୁଛି । ଅନେକ ରାଷ୍ଟ୍ରରେ ଲକ୍ଡାଉନ ପ୍ରକ୍ରିୟା ବି ଜାରି ରହିଛି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଶଙ୍କା ୟୁରୋପ ଓ ଏସିଆରେ ଚିନ୍ତା ସୃଷ୍ଟି କରିଛି । ୟୁରୋପର ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ୍ରେ କରୋନା ଏବେ ଗଭୀର ସଙ୍କଟର କାରଣ ହୋଇଛି । କିଛି ରାଷ୍ଟ୍ର ଟିକାକରଣକୁ ଅଧିକ ଗୁରୁତ୍ୱ ଦେଉଥିବା ସତ୍ତେ୍ୱ ଟିକା ଅଭାବ ଯୋଗୁ ସମସ୍ୟାର ସମାଧାନ ହୋଇପାରୁନାହିଁ ।

ବର୍ତ୍ତମାନ ସଂକ୍ରମଣବୃଦ୍ଧି କାରଣରୁ ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ, ବେଲଜିୟମ୍ରେ ଲକ୍ଡାଉନ୍ ଜାରି ରହିଛି । ବର୍ତ୍ତମାନ ୟୁରୋପ ଓ ଏସିଆରେ ଦୈନିକ ମୃତ୍ୟୁସଂଖ୍ୟା ୪,୨୦୦ରୁ ଅଧିକ ରହିଛି । କେବଳ ଋଷରେ ଦୈନିକ ୧୨ଶହ ଲୋକ ପ୍ରାଣ ହରାଉଛନ୍ତି । ଅନ୍ୟପକ୍ଷରେ ଆମେରିକାରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି । ୩ ସପ୍ତାହ ଧରି ଦୈନିକ ସଂକ୍ରମଣ ୭୦ରୁ ୭୫ହଜାର ଭିତରେ ଥିବାବେଳେ ଗତ ସପ୍ତାହରେ ହଠାତ୍ ବଢ଼ିଯାଇଛି । ପୂର୍ବ ସପ୍ତାହ ତୁଳନାରେ ୧୬ ପ୍ରତିଶତ ଅଧିକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଆଗକୁ ଖ୍ରୀଷ୍ଟମାସ ଛୁଟି ଥିବାରୁ ସ୍ଥିତି ସଂଘାତିକ ହେବା ଆଶଙ୍କା ରହିଛି । କିନ୍ତୁ ୟୁରୋପ ଭଳି ଲକ୍ଡାଉନ୍ ସପକ୍ଷରେ ନାହାନ୍ତି ବାଇଡେନ୍ ସରକାର । ସଂକ୍ରମଣ ରୋକିବା ପାଇଁ ଅର୍ଥନୀତିକୁ ବନ୍ଦ କରାଯିବ ନାହିଁ ବୋଲି କହିଛନ୍ତି ହ୍ୱାଇଟ୍ ହାଉସ୍ର କରୋନା ଭାଇରସ୍ ରେସପନ୍ସ କୋଅର୍ଡିନେଟର ଜେମ୍ସ ଜିଏଣ୍ଟସ୍ । ସେ କହିଛନ୍ତି ୮୨ ପ୍ରତିଶତ ଆମେରିକୀୟ ଅତି କମ୍ ଗୋଟିଏ ଡୋଜ୍ ଟିକା ନେଇଛନ୍ତି । କିଭଳି ଅଧିକ ଟିକା ନେବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ଦରକାର ହେଲେ ବୁଷ୍ଟର ଡୋଜ୍ ନେବା ପାଇଁ କୁହାଯାଇଛି । ଏଯାଏ ଆମେରିକାରେ ୬କୋଟି ଲୋକ ଟିକା ନେଇନାହାନ୍ତି । ଅନ୍ୟପକ୍ଷରେ ଭାରତରେ ଭୟାବହ ହେବନି କରୋନାର ତୃତୀୟ ଲହର ବୋଲି ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି । ଏପରିକି ସେ ଆଶାବ୍ୟକ୍ତ କରିଛନ୍ତି ଯେ, ଦେଶରେ ତୃତୀୟ ଲହର ଆସିବା ଆଶଙ୍କା କମ୍ ରହିଛି । ଇତି ମଧ୍ୟରେ ସୁସ୍ଥତା ହାର ୯୮.୩୩ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଗତବର୍ଷ ମାର୍ଚ୍ଚରୁ ସର୍ବାଧିକ ସ୍ତର ବୋଲି ଆଇସିଏମ୍ଆର ପକ୍ଷରୁ କୁହାଯାଇଛି । ଟିକାକରଣ ବୃଦ୍ଧି ପାଇଥିବାରୁ ତୃତୀୟ ଲହର ଆଶଙ୍କା କମ୍ ବୋଲି ସେ ଆଶଙ୍କା କରିଛନ୍ତି ।

Comments are closed.