ଭୋକ ଉପାସରେ ସଢ଼ୁଛନ୍ତି ଆଫଗାନବାସୀ

69

ଆଫଗାନିସ୍ତାନ : ମୁଁ ଓ ମୋ ସ୍ୱାମୀ ଉପାସ ରହିପାରିବୁ, କିନ୍ତୁ ଭୋଜନ ବିନା କାନ୍ଦୁଥିବା ପିଲାମାନଙ୍କ ପାଇଁ ଆମେ ଚିନ୍ତିତ । ତାହା ସହ୍ୟ କରିବା କଷ୍ଟକର ବୋଲି ତାଲିବାନ ଶାସନର ୧୦୦ ଦିନ ପରେ ଦୁଇଟି ପିଲାଙ୍କ ମାଆ ଆଫଗାନିସ୍ତାନର ୩୫ ବର୍ଷୀୟ ଜର୍ଗୁନା ତାଙ୍କର ଦୁର୍ଦ୍ଦଶା ବଖାଣି କହିଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି,ସନ୍ଧ୍ୟା ବେଳେ ଆମେ ଗୁଣ୍ଡାଏ ଖାଇଲୁ । କେବେ କେବେ ସେତକ ବି ମିଳେନାହିଁ । ଆମେ ଉପାସରେ ଶୋଇପଡୁ । ଆଜି ସକାଳେ ଚା ଟୋପାଏ ପିଇଥିଲୁ । ଦୁଇ ଦଶନ୍ଧି ଯୁଦ୍ଧ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ପରେ ଆଫଗାନବାସୀ ଗୁରୁତର ମାନବୀୟ ସଙ୍କଟ ଦେଇ ଗତି କରୁଛନ୍ତି । ସେ ସଙ୍କଟର ପ୍ରଭାବ ଜର୍ଗୁନାଙ୍କର ୮ ବର୍ଷିୟ ପୁଅ ମଧ୍ୟ ବୁଝିପାରିଲାଣି ।

ସେ କହିଛନ୍ତି ଆମେ ପାଉରୁଟି ଖାଉ, ଆଉ କେବେ କେମିତି ଭାତ ମୁଠାଏ । କିନ୍ତୁ କେବେ ମାଂସ କି ଫଳ ଖାଇବାକୁ ପାଉନାହୁଁ । ଆଗଠାରୁ ଆମକୁ ଏତେ କମ୍ ଭୋଜନ ମିଳୁଛି ଯେ, ପେଟ ପୂରୁନାହିଁ । କେବେ କେବେ ଖାଇବାକୁ ନଥିଲେ, ଖାଡ଼ା ଉପାସରେ ଶୋଇପଡ଼େ । ଏବେ ତାଙ୍କ ପରିବାର ଲୋକେ କଞ୍ଚା ଅଟା ଖାଉଛନ୍ତି । ଜର୍ଗୁନା କହନ୍ତି, ଆମ ଅବସ୍ଥା ଭଲ ନାହିଁ । ଅଳ୍ପ କିଛି ଦିନ ତଳେ ଆମେ ବସ୍ତାଏ ଅଟା ପାଇଥିଲୁ । ତାକୁ ହିଁ ଖାଇଲୁ । ସବୁ ଜିନିଷ ମହଙ୍ଗା ହୋଇଗଲାଣି । ମହଙ୍ଗା ଯୋଗୁଁ ଆମେ ଆଉ ଅଟା ଓ ତେଲ କିଣି ପାରୁନାହୁଁ । ଖାଦ୍ୟ ଦର ଏତେ ବଢ଼ି ଯାଇଛି ଯେ, ୧ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ପରିବାର ଲୋକେ ଓଳିଏ ମାତ୍ର ଖାଇବାକୁ ଦେବା କଷ୍ଟକର ହୋଇଯାଉଛି । ସରକାରୀ ଚାକିରିଆମାନଙ୍କୁ ତାଲିବାନ୍ ମଜୁରି ଦେଇ ପାରୁନଥିବାରୁ ଅନେକ ଆଫଗାନୀମାନେ ଘରର ସାମଗ୍ରୀ ବିକି ଦେଉଛନ୍ତି । ଏବେ ସହରାଞ୍ଚଳ ଓ ନଗରାଞ୍ଚଳ ଅଧିବାସୀମାନଙ୍କ ଖାଦ୍ୟ ସଙ୍କଟ ସମସ୍ୟା ସମାନ ସ୍ତରରେ ପହଞ୍ଚିଛି ।

Comments are closed.