ଘନଉଛି ବାତ୍ୟା ଆଶଙ୍କା : ବ୍ରହ୍ମପୁର-ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ !

71

ଭୁବନେଶ୍ୱର : ଘନଉଛି ବାତ୍ୟା ଆଶଙ୍କା । ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା କ୍ରମଶଃ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୪୮ ଘଣ୍ଟାରେ ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଯାଏ ବାତ୍ୟା ନେଇ କୌଣସି ସୂଚନା ଦେଇନି ଆଇଏମ୍ଡି । ମାତ୍ର ବିଭିନ୍ନ ପାଣିପାଗ ସଂସ୍ଥାର ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ୱିଣ୍ଡର ଜିଏଫଏସ୍ ମଡେଲ କହିଛି ଯେ, ଆସନ୍ତାକାଲି ରାତିରୁ ସାମୁଦ୍ରିକ ଝଡ଼ ଗଲଫ୍ ଅଫ୍ ଥାଇଲ୍ୟାଣ୍ଡ ଆଡୁ ଗତି କରିବ । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳ ନିକଟରେ ଅର୍ଥାତ୍ ବ୍ରହ୍ମପୁରରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ । ୱିଣ୍ଡର ୟୁରୋପିଆନ ମଡେଲ କହିଛି, ଡିସେମ୍ବର ପହିଲାରେ ଲଘୁଚାପ ଓ ୨ରେ ଏହା ଅବପାତରେ ପରିଣତ ହେବ । ଏହା ଆନ୍ଧ୍ର ଉପକୂଳ ମୁହାଁ ହୋଇ ବିଶାଖାପାଟଣାରେ ପହଞ୍ଚିବ । କିନ୍ତୁ ଆଇଏମ୍ଡି ରିପୋର୍ଟକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ବିଶେଷକରି ଚାଷୀକୂଳ ବାତ୍ୟା ନେଇ ଛାନିଆ ହୋଇଛନ୍ତି ।

ଅମଳ ଧାନ ସୁରକ୍ଷତି ରଖ: ଏସ୍ଆରସି

ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ଚାଷୀ ତୁରନ୍ତ ଧାନ କାଟି ଆଣିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା । ଏହା ସହିତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ଏସ୍ଆରସି । ଧାନକଟା ସମୟ ·ଲିଥିବାରୁ ବର୍ତ୍ତମାନ ଜମିରେ ଧାନ ସବୁ ପଡିରହିଛି ଏବଂ କଟା ମଧ୍ୟ ଜାରି ରହିଛି । ତେଣୁ ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କାଲି ଲଘୁଚାପ ସୃଷ୍ଟି ହେଲେ ଆସନ୍ତା ୩ ଏବଂ ୪ ତାରିଖରେ ବର୍ଷା ହେବ । ତେଣୁ ଏହା ପୂର୍ବରୁ ଚାଷୀମାନେ ସେମାନଙ୍କ ଜମିରୁ ଧାନ କାଟିଆଣିବାକୁ ସ୍ୱତନ୍ତ୍ର ରିଲିଫ୍ କମିସନର ରାଜ୍ୟର ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ନେଇ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଉପକୂଳ ଏବଂ ଉତ୍ତର ଉପକୂଳରେ ବର୍ଷା ଆଶଙ୍କା କରାଯାଉଛି । ରାଜ୍ୟର ୮ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୩ ତାରିଖରୁ ୪ ତାରିଖ ଯାଏଁ ରାଜ୍ୟର ୮ ଜିଲ୍ଲାରେ ବର୍ଷା ହେବାନେଇ ଆଶଙ୍କା କରାଯାଇଛି । ୮ ଜିଲ୍ଲା ହେଉଛି କନ୍ଧମାଳ, ମାଲକାନାଗିରି, ଗଞ୍ଜାମ, ଗଜପତି, ପୁରୀ, କୋରାପୁଟ, ରାୟଗଡା ଏବଂ ଢେଙ୍କାନାଳ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି ।

Comments are closed.