ଡିସେମ୍ବର ଶେଷରେ ପିଲାଙ୍କୁ ଟିକା

63

ନୂଆଦିଲ୍ଲୀ : ଦେଶରେ ଛୋଟ ପିଲାମାନଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ବର ମାସର ଶେଷ ସପ୍ତାହରେ ପିଲାମାନଙ୍କୁ କୋଭିଡ୍ ୧୯ ଟିକା ଦିଆଯିବା ନେଇ ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରାଥିମିକ ପର୍ଯ୍ୟାୟରେ ୪ରୁ ୬କୋଟି ପିଲାଙ୍କୁ ଅଗ୍ରାଧିକାର ଦିଆଯିବ । ଯେଉଁ ପିଲାମାନେ କିଛି ଗମ୍ଭୀର ରୋଗରେ ପୀଡିତ ସେମାନଙ୍କୁ ଆଗେ ଡୋଜ୍ ଦିଆଯିବ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) କୋଭିଡ -୧୯ ଟାସ୍କ ଫୋର୍ସର ଚେୟାରମ୍ୟାନ୍ ଡକ୍ଟର ନରେନ୍ଦ୍ର କୁମାର ଆରୋରା କହିଛନ୍ତି ଯେ, ଦେଶରେ ଟିକାକରଣ ଆରମ୍ଭ ହେବା ପରେ ପ୍ରଥମେ ବୃଦ୍ଧ, ଅସୁସ୍ଥ ଏବଂ ପରେ ବୟସ୍କଙ୍କ ଉପରେ ଧ୍ୟାନ ଦିଆଯାଇଥିଲା । ସେବେଠାରୁ ପିଲାମାନଙ୍କ ପାଇଁ ଟିକା ଲଗାତାର ପରୀକ୍ଷା କରାଯାଉଥିଲା । ଯାହାଦ୍ୱାରା ଛୋଟ ପିଲା ଏବଂ କିଶୋରମାନେ ମଧ୍ୟ ଟିକାକରଣର ସୁରକ୍ଷା ପାଇପାରିବେ । ଭାରତରେ ଭାରତ ବାୟୋଟେକ ଟିକା ବ୍ୟତୀତ ଅନ୍ୟ କେତେକ କମ୍ପାନୀର ଟିକାକୁ ପିଲାମାନଙ୍କ ପାଇଁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ।

ଏଭଳି ପରିସ୍ଥିତିରେ ଡିସେମ୍ବର ମାସର ଶେଷ ସପ୍ତାହରେ ଭାରତରେ ପିଲାମାନେ କରୋନା ଟିକା ପାଇବା ନେଇ ଆଶା କରାଯାଉଛି । ଡକ୍ଟର ଆରୋରା କହିଛନ୍ତି ଯେ, ଦେଶରେ ମୋଟ ୪୪କୋଟି ଛୋଟ ପିଲା ଅଛନ୍ତି, ଯେଉଁଥିରେ ୧୨ ବର୍ଷରୁ କମ୍ ପିଲାଙ୍କ ସଂଖ୍ୟା ହେଉଛି ୩୨କୋଟି । ୧୨ରୁ ୧୭ବର୍ଷ ବୟସ ବର୍ଗରେ ସମୁଦାୟ ୧୨ କୋଟି ପିଲା ଅଛନ୍ତି । ଏହି ବୟସରେ ପିଲାମାନଙ୍କୁ ଟିକାକରଣ ପାଇଁ ଜାଇଡସ୍ କ୍ୟାଡିଲାଙ୍କ ଜାଇକୋଭ ଡିକୁ ଅନୁମୋଦନ ଦିଆଯାଇଛି । ଏଥି ସହିତ ଭାରତ ବାୟୋଟେକର ଟିକା ୨ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।

Comments are closed.