‘ଗୋଦରା କୋଢ଼େ ଯେତେ ମାଡ଼େ ସେତେ’

45

ଭୁବନେଶ୍ୱର : ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜବରଦଖଲକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷକରି ସରକାରୀ ଜାଗାକୁ ଏହି ମାଫିଆମାନେ ଅନାୟାଶରେ ମାଡ଼ି ବସିଛନ୍ତି । ଏମାନଙ୍କର ନା ପ୍ରଶାସନକୁ ଖାତିର ଥାଏ ନା ଆଇନକୁ ଡର ଥାଏ । ସରକାରଙ୍କ କୋହଳପଣ ଜବରଦଖଲକାରୀଙ୍କ ସାହସକୁ ଆହୁରି ବଢ଼ାଇଥାଏ । ଯଦି ରାଜଧାନୀ ଉପକଣ୍ଠ ଜଟଣୀ କଥା ଦେଖିବା ସେଠାରେ ଜବରଦଖଲ ଯେଉଁଭଳି ଭାବେ ମାଡ଼ି ଚାଲିଛି, ସତେ ଯେପରି ପ୍ରଶାସନ ନଥିଲା ଭଳି ମନେ ହେଉଛି । ସେ ରାଜ୍ୟ ସରକାରଙ୍କ ଜମି ହେଉ ବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ହେଉ, ଜବରଦଖଲକାରୀମାନେ ବିନା ଦ୍ୱିଧାରେ ଜବରଦଖଲ କରିବାରେ ଲାଗିଛନ୍ତି । ଜଟଣୀ ବ୍ଲକ୍ର ୮ଟି ଗ୍ରାମ ଛଣଘର, କୁଶୁମାଟି, ରଥିପୁର, କନ୍ତିଆ, ବୁଢ଼ାପଡ଼ା ଓ କୁଦିଆରୀ ମୌଜାରେ ଶ୍ରୀଜଗନ୍ନାଥଙ୍କ ଅନେକ ଜମି ରହିଛି । ଏହିସବୁ ଗ୍ରାମରେ ଜମି ରେଜିଷ୍ଟ୍ରି ବନ୍ଦ ଥିବାରୁ ସ୍ଥାନୀୟ ଅଧିବାସୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜରୁରିକାଳୀନ ସ୍ଥିତି ଯଥା- ଝିଅ ବାହାଘର କିମ୍ବା କେହି ରୋଗଗ୍ରସ୍ତ ହେଲେ ସେମାନଙ୍କର ସ୍ଥିତିବାନ୍ ଜମିକୁ ବିକ୍ରି କିମ୍ବା ଖରିଦ କରିପାରୁନାହାନ୍ତି । ଏଥିପାଇଁ ବାରମ୍ବାର ଆନ୍ଦୋଳନ ଓ ଶେଷରେ କୋର୍ଟରେ ମାମଲା ଗଡ଼ିଚାଲିଛି । ଏଭଳି ସ୍ଥିତିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସରକାରୀ ଜମିକୁ କେତେକ ମାଫିଆ ଜୋରଜବରଦସ୍ତ ମାଡ଼ି ବସି ସେଠାରେ ବହୁତଳ ପ୍ରାସାଦ ନିର୍ମାଣ କରିଛନ୍ତି ଏବଂ ଆଉ ମଧ୍ୟ କିଛି ନିର୍ମାଣ ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ସବୁ ଦେଖୁଥିଲେ ହେଁ ନିରବଦ୍ରଷ୍ଟା ସାଜିଛି । ସେହିଭଳି ଆମ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜବରଦଖଲକାରୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ତଥ୍ୟ ଅନୁଯାୟୀ ରାଜଧାନୀରେ ସାଧାରଣ ପ୍ରଶାସନ ବିଭାଗର ୨୨ହଜାର ୯୦୦ ଏକ ଜମିରୁ ପ୍ରାୟ ୫୦୦ ଏକର ଜମି ଜବରଦଖଲକାରୀଙ୍କ କବ୍ଜାରେ ଥିବା ଜଣାଯାଇଛି । କିନ୍ତୁ ବାସ୍ତବ ହିସାବଠାରୁ ତାହା ଢେର ଅଧିକା । ବାପୁଜିନଗରଠାରୁ ଆରମ୍ଭକରି ପଟିଆ, ଖଣ୍ଡଗିରି, ଶିଶୁପାଳଗଡ଼, ରସୁଲଗଡ଼ ଆଦି ପ୍ରାୟ ସବୁଆଡେ ସରକାରୀ ଜମି ଜବରଦଖଲରେ । ଏଥିନେଇ ପ୍ରାୟ ୧୦ହଜାର ମାମଲା ରୁଜୁ ହୋଇଥିଲେ ହେଁ ଫଳ କିନ୍ତୁ ଶୂନ୍ । ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଯେଉଁଭଳି ଢଙ୍ଗରେ ଚାଲିଛି ତାହା ଯେ ଧର୍ମକୁ ଆଖିଠାର ବୋଲି ଯେକେହି କହିବେ । ଗୋଦରାର ସାରୁ କିଆରି କୋଡିବା ଭଳି ସରକାର ଯେତିକି ଜବରଦଖଲ ଉଚ୍ଛେଦ କରୁଛନ୍ତି ତାହାର ଦୁଇଗୁଣ ପୁଣି ଲୋକେ ମାଡ଼ି ବସିଛନ୍ତି । ପ୍ରାୟ ସବୁଦିନ ସାଧାରଣ ପ୍ରଶାସନ, ବିଡିଏ ଓ ବିଏମ୍ସି ମିଳିତ ଭାବେ ପୋଲିସ ବାହିନୀ ଧରି ଯେଉଁଭଳି ଢଙ୍ଗରେ ଯାଉଛନ୍ତି ତାକୁ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବ । କିନ୍ତୁ ଜବରଦଖଲକାରୀଙ୍କ ସଂଖ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । କେବଳ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଚୁପ୍ ହୋଇ ବସିପଡ଼ୁଛି ଏହି ପ୍ରଶାସନ । ମାମଲା ତୁଟୁନାହିଁ କି ସରକାର ଜମିକୁ ଉଦ୍ଧାର କରିପାରୁନାହାନ୍ତି । ସାଧାରଣ ଲୋକଟିଏ ଜମି ଖଣ୍ଡିଏ ପାଇଁ ଡହଳବିକଳ ହେଉଥିବା ବେଳେ ଅନେକ ପ୍ରଭାବଶାଳୀ ଲୋକ ମୂଲ୍ୟବାନ ସରକାରୀ ଜମିକୁ ନିର୍ବିଘ୍ନରେ କବ୍ଜା କରିନେଉଛନ୍ତି । ଏମାନଙ୍କୁ ହଟାଇବା ପାଇଁ ବିଏମ୍ସି, ବିଡିଏ ଓ ଜିଏ ବିଭାଗର ଯୁ ନାହିଁ । ଆଇନର ଗଳାବାଟ ଦେଇ ଏମାନେ କୋଟି କୋଟି ଟଙ୍କାର ମୂଲ୍ୟବାନ ଜମିକୁ ହାତେଇବାରେ ସକ୍ଷମ ହୋଇଛନ୍ତି ।

Comments are closed.