ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ୱେବିନାର

69

-ଭିନ୍ନକ୍ଷମମାନଙ୍କ କଲ୍ୟାଣ ଓ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ପ୍ରତିବଦ୍ଧ: ମନ୍ତ୍ରୀ
-ସଶକ୍ତିକରଣ କ୍ଷେତ୍ରରେ ଅବଦାନ ପାଇଁ ରାଜ୍ୟ ପୁରସ୍କାର ଘୋଷିତ

ଭୁୁବନେଶ୍ୱର : ଭିନ୍ନକ୍ଷମମାନଙ୍କ କଲ୍ୟାଣ ଓ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏକ ୱେବିନାରରେ ଯୋଗଦେଇ ଭିନ୍ନକ୍ଷମ ଦିବସ ପାଳନର ଗୁରୁତ୍ୱ ସହିତ ରାଜ୍ୟ ସରକାରଙ୍କ ବିବିଧ ଯୋଜନା ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ଆଲୋକପାତ କରିଛନ୍ତି । ମିଳିତ ଜାତିସଂଘ ଦ୍ୱାରା ପ୍ରସ୍ତୁତ ଚଳିତ ବର୍ଷର ପ୍ରସଙ୍ଗ ‘କୋଭିଡ୍ ପରବର୍ତୀ ବିଶ୍ୱରେ ସମାବେଶୀ ଓ ନିରନ୍ତର ବିକାଶରେ ଭିନ୍ନକ୍ଷମମାନଙ୍କ ନେତୃତ୍ୱ ଓ ଅଂଶଗ୍ରହଣ’ ଉପରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ପଣ୍ଡା ସେମାନଙ୍କୁ ସାମାଜିକ ମହାସ୍ରୋତରେ ସାମିଲ କରିବା ସହିତ ସେମାନଙ୍କ ପ୍ରତିଭା ଓ ଦକ୍ଷତାର ବିକାଶ ଉପରେ ବ୍ୟାପକ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା ବିଭାଗ ପକ୍ଷରୁ ଚଳିତ ବର୍ଷ ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ରାଜ୍ୟ ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା କରିଥିଲେ । ଶ୍ରେଷ୍ଠ କର୍ମଚାରୀ ଭାବରେ ପ୍ରଶାନ୍ତ କୁମାର ବେହେରା, ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ଭାବରେ ଅମରେନ୍ଦ୍ର ବେହେରା ଏବଂ ସୁଶ୍ରୀ ପ୍ରଜ୍ଞାପାରମିତା କୁମାର ଏବଂ ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ‘ପୁନର୍ବାସ’ ସଂଗଠନକୁ ରାଜ୍ୟ ପୁରସ୍କାର ମିଳିଛି ।

ବିଭାଗୀୟ କମିଶନର ତଥା ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ୱେବିନାରରେ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇବା ସହିତ ଭିନ୍ନକ୍ଷମ ଦିବସର ଭିତିପ୍ରସଙ୍ଗ ଉପରେ ଆଲୋଚନା କରିଥିଲାବେଳେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀ, ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ତଥା ସହାୟକ ସଂଗଠନଗୁଡ଼ିକର ପ୍ରତିନିଧିମାନେ ନିଷ୍ଠାର ସହିତ ଭିନ୍ନକ୍ଷମମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଶାସନ ସଚିବ ମଧୁମିତା ନାୟକ ସାର୍ବଜନୀନ ଟିକାକରଣ ଉପରେ ମତ ରଖିଥିଲେ । ଭିନ୍ନକ୍ଷମମାନଙ୍କ ସହ ସଂପୃକ୍ତ ବିଭିନ୍ନ ଅନୁଷ୍ଠାନରେ କୋଭିଡ୍ ନିୟମାବଳିର ଅନୁପାଳନ ଏବଂ ପିତାମାତା ତଥା ଅଭିଭାବକମାନଙ୍କୁ ଯଥାର୍ଥ ମାର୍ଗଦର୍ଶନ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବିଭାଗର ଉପ ଶାସନ ସଚିବ ଅମ୍ବିକା ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ୱେବିନାରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ତଥା ଉପଶମ କେନ୍ଦ୍ରଗୁଡ଼ିକର ପ୍ରତିନିଧି, ଜିଲ୍ଲା ପୁନର୍ବାସ କେନ୍ଦ୍ରର କାର୍ଯ୍ୟକର୍ତାମାନେ ଅଂଶଗ୍ରହଣ କରିଥିଲେ ।

ପୂର୍ବରୁ ଭାରତୀୟ ରେଡ୍କ୍ରସ ସଂଗଠନର ଓଡ଼ିଶା ଶାଖା ତଥା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ୱେବିନାରରେ ମଧ୍ୟ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦ୍ବୋଧନ ଦେଇଥିଲେ ।

Comments are closed.