ପୁରୀ ଉପକୂଳ ମୁହାଁ ହେଉଛି ବାତ୍ୟା ଜୱାଦ, ବର୍ଷା ବଢୁଛି : ପ୍ରଶାସନ ସଜାଗ

72

ପୁରୀ : ବଙ୍ଗୋପ ସାଗରରେ ସୃଷ୍ଟ ବାତ୍ୟା ଜୱାଦ ଗଭୀର ଅବପାତର ରୂପ ନେଇ ପୁରୀ ଉପକୂଳ ମୁହାଁ ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି । ବାତ୍ୟା ଜୱାଦ ପ୍ରଭାବରେ ଗତକାଲି ଠାରୁ ପୁରୀ ଉପକୂଳବର୍ତି ଅଂଚଳରେ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି । ଆଜି ସକାଳ ଠାରୁ ପବନର ବେଗ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ବର୍ଷା ମଧ୍ୟ ବଢୁଛି । ଏଥିସହ ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳିଛି । ପୋଲିସ ପ୍ରଶାସନ ପକ୍ଷରୁ ସମୁଦ୍ର କୂଳରେ ରେଡ଼ ଫ୍ଲାଗ୍ ପୋତାଯାଇଛି । ଦିଗବାରିଣୀ ଠାରୁ ଲାଇଟ୍ ହାଉସ୍ ପର୍ଯ୍ୟନ୍ତ ଏହି ରେଡ୍ ଫ୍ଲାଗ୍ ପୋତାଯାଇଛି । ସକାଳୁ ଏସପି କେ. ବିଶାଲ ସିଂହ ସମୁଦ୍ର କୂଳେ ପର୍ଯ୍ୟଟକଙ୍କୁ ଏନେଇ ତାଗିଦ୍ କରିବା ସହ ସମୁଦ୍ର କୂଳକୁ ନଯିବାକୁ ପରାମର୍ଶ ଦେଇଛନ୍ତି । ପୋଲିସ ଓ ଲାଇଫ୍ ଗାର୍ଡ଼ ସମୁଦ୍ର କୂଳେ ପଇଁତରା ମାରୁଛନ୍ତି । ବାତ୍ୟା ଜୱାଦ ପ୍ରଭାବରେ ଭୀଷଣ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ସହରର ଜଳ ନିଷ୍କାସନ ପାଇଁ ୨୦ଟି ସ୍ଥାନରେ ପମ୍ପସେଟ୍ ବ୍ୟବସ୍ଥା କରାଯାଇଛି । ଚିଲିକା ଓ ସମୁଦ୍ର ତଟବର୍ତି ଅଂଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ପରାମର୍ଶ ଦିଆଯାଇଛି ।

Comments are closed.