ମୋଦୀ-ପୁଟିନ୍ ଶିଖର ବୈଠକ ଦୁନିଆ ବଦଳିଛି, ଆମ ବନ୍ଧୁତ୍ୱ ବଦଳିନି: ମୋଦୀ

70

-ଭାରତ ଏକ ମହାଶକ୍ତି: ପୁଟିନ୍

ନୂଆଦିଲ୍ଲୀ : ଗୋଟିଏ ଦିନ ଭାରତ ଗସ୍ତରେ ଆସିଥିବା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରିଛନ୍ତି । ପୁଟିନ ବିମାନବନ୍ଦରରେ ପହଞ୍ଚିବା ପରେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଉଭୟ ପ୍ରଧାନନେତା ମିଡିଆ ସାମ୍ନାରେ ନିଜ ନିଜର ବକ୍ତବ୍ୟ ରଖିଛନ୍ତି । ହେଲେ ସବୁଥର ପରି ଏଥର ବି ଭାରତ ଋଷିଆ ମଧ୍ୟରେ ଥିବା ବନ୍ଧୁତ୍ୱ ସମ୍ପର୍କର ଝଲକ ଦେଖିବାକୁ ମିଳିଥିଲା । ଭାରତ ପ୍ରତି ଋଷ ରାଷ୍ଟ୍ରପତି ପୁଟିନଙ୍କ ସଦ୍ଭାବନା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ଭଲପାଇବା ଦେଖାଇଥିଲେ । ଉଭୟ ନେତାଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିଗତ ୧୦ ବର୍ଷରେ ସାରା ବିଶ୍ୱରେ ବଡ଼ ବଡ଼ ମୂଳ ପରିବର୍ତ୍ତନ ଘଟିଛି । ଅନେକ ଭୂରାଜନୈତିକ ପରିବର୍ତ୍ତନ ହୋଇଛି । କିନ୍ତୁ ଭାରତ ଓ ଋଷର ବନ୍ଧୁତ୍ୱ ଯେମିତି ଥିଲା ସେମିତି ରହିଛି । ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଓ ଋଷ ମଧ୍ୟରେ ଥିବା ସମ୍ପର୍କ ନିଆରା ଓ ଏହା ଭରସାର ନିଅଁ ଉପରେ ଛିଡ଼ା ହୋଇଛି । କରୋନା ସମୟରେ ବିଶ୍ୱରେ ଅନେକ ଚ୍ୟାଲେଞ୍ଜ ଆସିଥିଲେ ବି ଭାରତ-ଋଷ ମଧ୍ୟରେ ସମ୍ପର୍କ ଯେମିତିକୁ ସେମିତି ରହିଛି ।ରଣନୈତିକ କ୍ଷେତ୍ରରେ ଆମର ବନ୍ଧୁତ୍ୱ ଲଗାତର ବଢ଼ିବାରେ ଲାଗିଛି ବୋଲି ମୋଦୀ କହିଛନ୍ତି । ପୁଟିନ୍ ମଧ୍ୟ ଭାରତ ପ୍ରତି ଥିବା ତାଙ୍କ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ପ୍ରକାଶ କରିଥିଲେ । ଭାରତ ସବୁଠାର ଭରସାଯୋଗ୍ୟ ବନ୍ଧୁ ବୋଲି ପୁଟିନ କହିଥିଲେ । ସେ କହିଥିଲେ ଯେ ଆମେ ଭାରତକୁ ଏକ ବିଶାଳ ଶକ୍ତି, ବନ୍ଧୁ ରାଷ୍ଟ୍ର ଓ ଭରସାଯୋଗ୍ୟ ସାଥି ରୂପରେ ଦେଖୁ । ଦୁଇଦେଶର ବନ୍ଧୁତ୍ୱ ଲଗାତର ମଜଭୁତ ହେବାରେ ଲାଗିଥିବା ବେଳେ ଭବିଷ୍ୟତ ଉପରେ ବି ନଜର ରହିଛି ।

ସେହିପରି ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ବ୍ୟବସାୟିକ କାରବାର ସମ୍ପର୍କରେ ପୁଟିନ କହିଛନ୍ତି ଯେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ୩୮ ଅରବ ଡଲାର ବ୍ୟବସାୟ ଚାଲିଛି । ଏହାବାଦ୍ ପ୍ରତିରକ୍ଷା ଓ ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ବଡ଼ ସହଯୋଗୀ ହୋଇ କାମ କରୁଛୁ ବୋଲି ପୁଟିନ କହିଛନ୍ତି । କେବେଳ ସେତିକି ନୁହେଁ ଆତଙ୍କବାଦ ବିରୋଧରେ ଋଷିଆ ଭାରତରେ ସହଯୋଗ କରିବ ବୋଲି ମଧ୍ୟ ପୁଟିନ କହିଛନ୍ତି । ଅନ୍ୟପଟେ ଆଫଗାନିସ୍ତାନ ପ୍ରସଙ୍ଗରେ ବି ଋଷ ଭାରତର ସହଯୋଗ କରିବ ବୋଲି ପୁଟିନ କହିଛନ୍ତି । ଆତଙ୍କବାଦ ବିରୋଧରେ ଯୁଦ୍ଧ ଲଢ଼ିବାର ଗୋଟିଏ ଦିଗ ହେଲା ଡ୍ରଗ୍ସ ତସ୍କରି ଓ ସଂଗଠିତ ଅପରାଧ ବିରୋଧରେ ଲଢ଼ିବା । ତେଣୁ ଆଫଗାନିସ୍ତାନରେ ଘଟୁଥିବା ଘଟଣାକୁ ନେଇ ଆମେ ଚିନ୍ତିତ ଅଛୁ ବୋଲି ସେ କହିଛନ୍ତି । ମୋଦୀ-ପୁଟିନଙ୍କ ସାକ୍ଷାତକାର ପୂର୍ବରୁ ଉଭୟ ଦେଶର ପ୍ରତିରକ୍ଷା ଓ ବୈଦଶିକ ମନ୍ତ୍ରୀମାନଙ୍କର ବି ସାକ୍ଷାତକାର ହୋଇଥିଲା । ଯେଉଁଥିରେ ଭାରତର ପ୍ରତିରକ୍ଷାମନ୍ତ୍ରୀ ଋଷର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ଅବସରରେ ଉଭୟ ଦେଶ ମଧ୍ୟରେ ୫,୦୦୦ କୋଟି ଟଙ୍କାର ପ୍ରୋଜେକ୍ଟ ସ୍ୱାକ୍ଷରିତ ହୋଇଛି । ଏହି ଯୋଜନାରେ ୫ ଲକ୍ଷରୁ ଅଧିକ ଏକେ ୨୦୩ ରଇଫଲ ନିର୍ମାଣ ୟୁପିର ଅମେଠିରେ ହେବ । ଦୁଇଦେଶ ମଧ୍ୟରେ ଆଗାମୀ ୧୦ ବର୍ଷ ପାଇଁ ସୁରକ୍ଷା ଚୁକ୍ତି ବି ହୋଇଛି ।

Comments are closed.